Unknown

 

 

 

 

 

 

 

 

 

 

ଆରବ୍ୟ କାହାଣୀ

(ପ୍ରଥମ ଭାଗ)

ଶ୍ରୀ ଅକ୍ଷୟ କୁମାର ଘୋଷ

 

ସୂଚୀପତ୍ର

 

୧.

କୁଲି ଓ ତିନି ମହିଳା

୨.

ପ୍ରଥମ ଫକୀରର କଥା

୩.

ଦ୍ୱିତୀୟ ଫକୀରର କଥା

୪.

୫.

ସାଧୁ ଓ ପରଶ୍ରୀକାତର ଲୋକ

ତୃତୀୟ ଫକୀରର କଥା

୬.

ଅତୀତ କାହାଣୀ

୭.

ଜୋବେଦୀର କଥା

୮.

ଆମିନୀର କଥା

୯.

କଂସେଇ, ସ୍ତ୍ରୀଲୋକ ଓ ଭାଲୁ

Image

 

କୁଲି ଓ ତିନି ମହିଳା

 

ସୁପ୍ରସିଦ୍ଧ କାଲିଫ ହାରୁନ ଅଲ ରସିଦଙ୍କ ରାଜୁତିବେଳେ ବାଗ୍‌ଦାଦ୍‌ ନଅରରେ ଜଣେ କୁଲି ବାସ କରୁଥିଲା । ସେ ନିତି ମୂଲ ଲାଗି ପେଟ ପୋଷୁଥିଲା । ପତି ଯାହା ସେ ରୋଜଗାର କରୁଥିଲା ସେଥିରେ କୌଣସିମତେ, ଚଳି ଯାଉଥିଲା । ମୂଲ ନ ମିଳିଲେ ସେ ଭୋକ ଉପାସରେ କାଳ କାଟୁଥିଲା । ସେ ମୂଲ ଲାଗି ଚଳୁଥିଲା ସତ; ହେଲେ ସେ ଅରସିକ ବା ନିର୍ବୋଧ ନ ଥିଲା ।

 

ଦିନେ ସେହି କୁଲିଟି ଟୋକେଇ ହାତରେ ଧରି ବଜାରରେ ଠିଆ ହୋଇଛି, ଠିକ୍‌ ଏତିକିବେଳେ ଜଣେ ପରମା ସୁନ୍ଦରୀ ମହିଳା ବୋରକା ପିନ୍ଧି ସେଠାରେ ପହଞ୍ଚି ତା’ପାଖକୁ ଆସି କହିଲେ, ‘‘ହଇରେ କୁଲି, ମୋ ସାଙ୍ଗରେ ଆ, ମୁଁ ବଜାରରୁ ଜିନିଷପତ୍ର କିଣିବି, ତୁ ଟୋକେଇରେ ଜିନିଷପତ୍ର ଭର୍ତ୍ତିକରି ମୋ ଘରକୁ ବୋହି ନେବୁ ।’’ ସେହି ସ୍ତ୍ରୀ ଲୋକର ମିଠା କଥା ଶୁଣି ସେ ଖୁସି ହୋଇ ମନକୁ ମନ କହିଲା, ‘‘ଆଜି ମୋ ଭାଗ୍ୟ ବଡ଼ ଟାଣ । ଏଡ଼େ ସୁନ୍ଦରୀ ସ୍ତ୍ରୀ ଲୋକ ସାଙ୍ଗରେ ମୋର ଭେଟ ହେଲା ଏବଂ ତାଙ୍କ ମୁହଁରୁ ଯେମିତି ମହୁ ବର୍ଷୁଛି !’’ ଏ କଥା ମନେ ମନେ ଭାବି ସେ ସେହି ସ୍ତ୍ରୀ ଲୋକର ପଛେ ପଛେ ଚାଲିଲା ।

 

ସେହି ସ୍ତ୍ରୀ ଲୋକଟି ଗୋଟିଏ ଘର ପାଖରେ ପହଞ୍ଚି କବାଟ ଖଡ଼ ଖଡ଼ କଲେ । କାଳବିଳମ୍ୱ ନ କରି ଦୋକାନୀ ଦ୍ୱାର ଖୋଲିଲା । ସ୍ତ୍ରୀ ଲୋକଟି ଦୋକାନୀ ଲୋକଟି ହାତକୁ କେତେକ ଟଙ୍କା ବଢ଼େଇ ଦେବାରୁ ସେ ଦୋକାନ ଘର ଭିତରକୁ ଯାଇ କେତୋଟି ମଦ ବୋତଲ ଓ ଜଳପାଇ ଫଳ ଆଣିଦେଲା । ସ୍ତ୍ରୀ ଲୋକଟି ଏଗୁଡ଼ିକ ଟୋକେଇ ଭିତରେ ରଖି ଦେଲେ ଏବଂ କୁଲି ଟୋକେଇ ମୁଣ୍ଡେଇ ତାଙ୍କ ପଛେ ପଛେ ଚାଲିଲା ।

 

ତା’ ପରେ ସେହି ସ୍ତ୍ରୀ ଲୋକଟି ବଜାରକୁ ଗଲେ ଏବଂ ଫଳମୂଳ, ମସଲା, ମିଠେଇ, ମାଂସ ପ୍ରଭୃତି କିଣି ଟୋକେଇରେ ଥୋଇଲେ । କୁଲି ଟୋକେଇ ମୁଣ୍ଡେଇ ତାଙ୍କ ପଛେ ପଛେ ଗଲା-। ତା’ପରେ ସ୍ତ୍ରୀ ଲୋକଟି କିଛି ଦୂର ଯାଇ ଗୋଟିଏ ବଡ଼ ଘର ପାଖରେ ପହଞ୍ଚିଲେ ଏବଂ କବାଟ ଖଡ଼ ଖଡ଼ କରିବାରୁ ଜଣେ ସୁନ୍ଦରୀ ଆସି କବାଟ ଫିଟାଇ ଦେଲେ । କୁଲି ସେହି ସ୍ତ୍ରୀଲୋକରର ରୂପମାଧୁରୀ ଦେଖି ତା’ ଆଡ଼କୁ ବଲ ବଲ କରି ଅନାଇଲା । ତା’ର ମୁଣ୍ଡର ବୋଝ ଆଡ଼କୁ ନିଘା ରହିଲା ନି । ମୁଣ୍ଡରୁ ବୋଝ ଖସି ପଡ଼ିବା ଅବସ୍ଥାକୁ ଆସିବାରୁ ତା’ର ହୋସ ଆସିଲା-। କବାଟ ଖୋଲିଥିବା ସ୍ତ୍ରୀ ଲୋକ କହିଲେ, ‘‘ଏମିତି ଠିଆ ହୋଇ ରହିଛ କାହିଁକି, ଭିତରକୁ ଆସ-।’’ ବଜାର ସୌଦା କରି ଆଣିଥିବା ସ୍ତ୍ରୀ ଲୋକଟି କୁଲିକୁ ସାଙ୍ଗରେ ନେଇ ଭିତରକୁ ଗଲେ ।

 

ତା’ପରେ ତିନିହେଁ ଗୋଟିଏ ଅଗଣା ପାରି ହୋଇ ଗୋଟିଏ ବଡ଼ ଘର ଭିତରେ ପଶିଲେ । କୁଲି ଘରର ସାଜସଜା ଦେଖି ଚମକି ପଡ଼ିଲା । ଘରର କାନ୍ଥ ନାନାରକମର ସୁନ୍ଦର ସୁନ୍ଦର ଛବିରେ ସଜା ହୋଇଥିଲା ଏବଂ ମଝିରେ ଗୋଟିଏ କୃତ୍ରିମ ଝରଣା ଥିଲା । ଘରର ଗୋଟିଏ ପାଖରେ ନାଲି ରଙ୍ଗର ସାଟିନ ଲୁଗାରେ ମଣ୍ଡିତ ମଣି ମୁକ୍ତାଖଚିତ ଗୋଟିଏ ସିଂହାସନ ଉପରେ ଷୋଳବର୍ଷର ପରମା ସୁନ୍ଦରୀ ସ୍ତ୍ରୀ ଲୋକଟିଏ ବସିଥିଲେ । ଏହି ସ୍ତ୍ରୀ ଲୋକ ଦୁଇଜଣକୁ ଆସିବାର ଦେଖି ସେ ସିଂହାସନରୁ ଓହ୍ଲାଇ ଆସି ସେମାନଙ୍କ ପାଖରେ ପହଞ୍ଚିଲେ ।

 

କୁଲି ଏହି ସ୍ତ୍ରୀ ଲୋକଟିକୁ ଦେଖିଲାକ୍ଷଣି ତାର ଜ୍ଞାନ ହଜିଗଲା । ସତ କହିବାକୁ ଗଲେ ଏହି ସ୍ତ୍ରୀ ଲୋକଟି ଏଇ ଘରର ମାଲିକାଣୀ । ତାଙ୍କ ନାମ ଜୋବେଦୀ । ଯେଉଁ ସ୍ତ୍ରୀ ଲୋକଟି କବାଟ ଫିଟେଇ ଦେଇଥିଲେ, ତାଙ୍କ ନାମ ସାଫୀ । ବଜାର ସୌଦା କରିବା ଲାଗି ଯାଇଥିବା ସ୍ତ୍ରୀଟିର ନାମ ଆମିନୀ । ଜୋବେଦୀ ଅନ୍ୟ ଦୁଇଜଣ ସ୍ତ୍ରୀ ଲୋକଙ୍କୁ ଅନାଇ କହିଲେ, ‘‘ଲୋକଟା କେତେବେଳ ଯାଏ ବୋଝ ମୁଣ୍ଡେଇ ଠିଆ ହୋଇଥିବ ! ତୁମେ ଏହା ମୁଣ୍ଡରୁ ବୋଝ ଓହ୍ଲାଉ ନା କାହିଁକି ?’’

 

ଏକଥା ଶୁଣି ଆମିନୀ ଓ ସାଫୀ ସେହିକ୍ଷଣି ଧରାଧରି କରି କୁଲି ମୁଣ୍ଡରୁ ବୋଝ ଓହ୍ଲାଇଲେ । ଜୋବେଦୀ ବି ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିଥିଲେ । ତା’ପରେ ଆମିନୀ ଟୋକେଇରୁ ଜିନିଷପତ୍ର ବାହାର କରି କୁଲିକୁ ଟଙ୍କାଟିଏ ଦେଲେ । କୁଲି ଟଙ୍କାଟିଏ ପାଇ ଖୁବ୍ ଖୁସି ହେଲା; କିନ୍ତୁ ସେଠାରୁ ଯିବା ଲାଗି ତା’ ଗୋଡ଼ ଚଳିଲାନି । କାରଣ, ଏହି ଟାଣିଦେଲା । ଜୋବେଦୀ ଭାବିଲେ କୁଲି ବୋଝ ବୋହି ହାଲିଆ ହୋଇପଡ଼ିଛି, ସେଥିପାଇଁ ସେ ବିଶ୍ରାମ ନେଉଛି ।

 

କୁଲି ସେ ଘରୁ ଟିକିଏ ହେଲେ ଗୋଡ଼ ନ କାଢ଼ିବାରୁ ଜୋବେଦୀ ଆମିନୀକୁ କହିଲେ ‘‘ଭଉଣୀ, କୁଲିକୁ ଯାହା ମୂଲ ଦେଲ ସେଥିରେ ସେ ସନ୍ତୁଷ୍ଟ ହୋଇନି । ଆଉ କିଛି ତାକୁ ଦେଇ ବିଦା କରିଦିଅ । କୁଲି କହିଲା, ‘‘ନା ନା, ମୋର ମୂଲ ଠିକ୍‌ ଅଛି, ମୁଁ ସେଥିପାଇଁ ଠିଆ ହୋଇନି । ତୁମେମାନେ କାହିଁକି ଏମିତି ନିଛାଟିଆ ଜାଗାରେ ରହିଛ, ମୁଁ ସେ କଥା ମନେ ମନେ ଭାବୁଛି । ତୁମେ ତ ମାଇପି ଲୋକ, ପୁଣି ଏକୁଟିଆ ଏଠାରେ ରହୁଛ, ଏଠାରେ ମୁଁ ଜଣେ ହେଲେ ପୁରୁଷକୁ ଦେଖିବାକୁ ପାଉନି । ତୁମେ ଜଣେ, ପୁରୁଷ ସ୍ତ୍ରୀ ଲୋକ ଅଭାବରେ ଯେମିତି କଷ୍ଟରେ ଦିନକାଟେ, ସ୍ତ୍ରୀଲୋକ ବି ପୁରୁଷକୁ ନ ପାଇ ସେମିତି କଷ୍ଟରେ କାଳ କାଟନ୍ତି ।’’

 

ଏକଥା ଶୁଣି ସ୍ତ୍ରୀଲୋକମାନେ ବଡ଼ ପାଟିକରି ହସି ଉଠିଲେ । ଜୋବେଦୀ କହିଲେ, ଆମେ ବିଭା ହୋଇନୁ, ‘‘ଆମେ କୁମାରୀ । ଆମେ ଆମ କାମ ଗୋପନରେ ଚଳାଇ ନେଉଁ, କୌଣସି ପୁରୁଷ ସାଙ୍ଗରେ ଆମର କୌଣସି ସମ୍ଫର୍କ ନ ଥାଏ ।’’ କୁଲି କହିଲା, ‘‘ତୁମେମାନେ ଭାବୁଥିବ, ମୁଁ ଜଣେ ସାମାନ୍ୟ କୁଲି, ମୂଲ ଲାଗ ମୁଁ ପେଟ ପୋଷେଁ, ମୁଁ ପାଠଶାଠ ପଢ଼ିନି । ପ୍ରକୃତରେ ତାହା ନୁହେଁ । ମୁଁ କିଛି ପାଠଶାଠ ପଢ଼ିଛି, ହେଲେ କପାଳ ଦୋଷରୁ ମୁଁ ମୂଲ ଲାଗୁଛି । ଇତିହାସ ଓ ବିଜ୍ଞାନଶାସ୍ତ୍ର ଆଲୋଚନା କରି ମୁଁ ନିଜ ମନରୁ ଦୁଃଖ ଦୂର କରିପାରିଛି । ଆଉ ମୋ ପାଖରେ ଗୋଟିଏ ମହତ୍‌ଗୁଣ ଅଛି, କେହି ମୋତେ ବିଶ୍ୱାସ କରି ଗୁପ୍ତକଥା କହିଲେ, ମୁଁ ପ୍ରାଣପଣେ ଏହାକୁ ଗୋପନରେ ରଖେ ।’’ ଏପରି ବକ୍ତୃତା ଓ ରସିକତା କଲେହେଁ ଜୋବେଦୀ ତାକୁ ବିଦା କରି ଦେବାକୁ କହିଲେ । କିନ୍ତୁ ଆମିନୀର ଅନୁରୋଧରେ କୁଲି ସେଠାରେ ରହିଲା ।

 

ମଧ୍ୟାହ୍ନ ଭୋଜନର ବେଳ ଆସିବାରୁ ସ୍ତ୍ରୀଲୋକ ତିନିଜଣ ଖାଇବାକୁ ବସିଲେ । କୁଲିକୁ ବି ଖାଇବାଲାଗି ଖାଦ୍ୟ ଦିଆଗଲା । ଖାଉଁ ଖାଉଁ ଆମିନୀ ବୋତଲରୁ ମଦ ଗିଲାସରେ ଢାଳି ନିଜେ ପିଇଲେ ଏବଂ ଦୁଇ ଭଉଣୀଙ୍କୁ ଦୁଇ ଗିଲାସ ଦେଲେ । ଶେଷରେ କୁଲିକୁ ବି ଗିଲାସେ ମଦ ଦିଆଗଲା । କୁଲି ମଦ ପିଇଦେଇ ଆନନ୍ଦରେ ଭୋଳ ହୋଇ ମଉଜିଆ ଗୀତଟାଏ ବୋଲିଲା । ଏହିପରି ଚାରି ଜଣଙ୍କ ଭିତରେ ମଦପିଆ ଚାଲିଲା ଏବଂ ସମସ୍ତେ ଆମୋଦ ପ୍ରମୋଦରେ ମାତିଲେ-

 

ରାତି ହେଲା । ଜୋବେଦୀ କହିଲେ, ‘‘କୁଲି, ତୁ ଏଥର ବିଦାହୋଇ ଯା ।’’ କୁଲି କହିଲା, ‘‘ଏତେବେଳେ ମୁଁ କୁଆଡ଼େ ଯିବି ? ରାତିରେ ମୁଁ ଏଠାରେ ଟିକିଏ ମୁଣ୍ଡ ଗୁଞ୍ଜିଛି, ଏତେବେଳେ କେହି କାହାକୁ କ’ଣ ଘରୁ ତଡ଼ିଦିଏ ? ମୁଁ ତୁମମାନଙ୍କୁ ଦେଖି ଆତ୍ମହରା ହୋଇଛି, ତା’ପରେ ମଦ ପିଇ ମୁଁ ଏଇଲାଗେ ମାତାଲ । ଏପରି ଅବସ୍ଥାରେ ମୁଁ ଏଠାରୁ ଗଲେ ମୋ ଘର ଖୋଜି ପାଇବି ନି । ତେଣୁ ମୋତେ ଆଜି ରାତିଟା ଏଠାରେ କଟେଇବାକୁ ଅନୁମତି ମିଳୁ । କାଲି ସକାଳୁ ଉଠି ମୁଁ ନିଜ ଘରକୁ ଯିବି ।’’

 

କୁଲିର ଏପ୍ରକାର କଥା ଶୁଣି ଆମିନୀ କୁଲି ପଟନେଇ କହିଲେ,‘‘ଭଉଣୀ ଜୋବେଦୀ, ସେ ଆଜି ରାତିଟା ଏଠାରେ ରହୁନା, ସେ ଆମର କଣ କ୍ଷତି କରୁଛି, କାଲି ସକାଳୁ ଉଠି ସେ ତାର ଘରକୁ ଯିବ ବୋଲି ତ କହୁଛି ।’’ ଜୋବେଦୀ ଭଉଣୀ କଥାରେ ରାଜି ହୋଇ କୁଲିକୁ କହିଲେ, ‘ହଇରେ କୁଲି, ମୁଁ ତୋତେ ଏଠାରେ ରହିବାକୁ ଅନୁମତି ଦେଲି ସତ, ହେଲେ ତୋତେ ପ୍ରତିଜ୍ଞା କରିବାକୁ ପଡ଼ିବ ଯେ, ତୁ ଏଠାରେ ଯାହା ଦେଖିବୁ ସେ ସବୁ ବୁଝି ପାରିବୁ ନି, ତଥାପି ସେ ସବୁ ବିଷୟରେ କୌଣସି ପ୍ରଶ୍ନ ପଚାରି ପାରିବୁ ନି ।’’ କୁଲି କହିଲା, ‘‘ହଁ, ମୁଁ ଅଙ୍ଗୀକାର କରୁଛି, ଯେଉଁ ବିଷୟରେ ମୋର କୌଣସି ସଂପକ ନାହିଁ, ମୁଁ ସେ ବିଷୟରେ ପାଟି ଫିଟାଇବି ନି ।’’

 

ଖିଆପିଆ ସରିଲା ପରେ ପୁଣି ମଦପିଆ, ସଙ୍ଗୀତ ଓ ଖେଳ କୌତୁକ ଚାଲିଲା । ଠିକ୍‌ ଏତିକିବେଳେ ବାହାରପଟ କବାଟରେ କିଏ ଖଡ଼ ଖଡ଼ କରିବାର ଶୁଣାଗଲା । ଦୁଇ ଭଉଣୀଙ୍କଠୁ ଅନୁମତି ନେଇ ଆମିନୀ କବାଟ ଖୋଲିବାକୁ ଗଲେ । ଅଳ୍ପ ସମୟ ଭିତରେ ଲେଉଟି ଆସି କହିଲେ, ‘‘ଆଜି ରାତିଟା ବେଶ୍‌ ମଉଜରେ କଟିବ ବୋଲି ଜଣାଯାଉଛି; କାରଣ, ତିନିଜଣ ଫକୀର ଆମ ଦ୍ୱାରରେ ଆସି ହାଜର ହୋଇଛନ୍ତି । ତିନି ଜଣଙ୍କ ମୁଣ୍ଡର ଓ ଦାଢ଼ିର ବାଳ ଧଳା, ତିନି ଜଣଙ୍କ ଡାହାଣ ଆଖି ଫୁଟି ଯାଇଛି ଏବଂ ତିନି ଜଣଙ୍କ ଆକାର ପ୍ରାୟ ସମାନ । ସେହି ଫକୀରମାନେ କହୁଛନ୍ତି; ସେମାନେ ନୂଆ ହୋଇ ବିଦେଶରୁ ଆସିଛନ୍ତି । ରାତି ବେଶୀ ହେବାରୁ ସେମାନେ ରାତିଟା ଏଠାରେ କଟାଇବାଲାଗି ନେହୁରା ହେଉଛନ୍ତି ।’’

 

ଆମିନୀ ଏକଥା କହି ଦୁଇ ଭଉଣୀଙ୍କୁ ଅନୁମତି ଦେବାଲାଗି ଜିଗର ଲାଗାଇଲେ । ଜୋବେଦୀ ପହିଲେ ରାଜି ନ ହେଲେହେଁ ସାଫୀର ଅନୁରୋଧରେ ପଡ଼ି କହିଲେ, ‘‘ତୁମେମାନେ ତ ନାନା ନବରଙ୍ଗ ବାହାର କରିବ । ଦି ଭଉଣୀଯାକ ଯେବେ ରାଜି ହେଲଣି, ମୁଁ କଣ ଆଉ ମନା କରି ପାରୁଛି, ଯାହା ଭଲମନ୍ଦ ହେବ ତୁମେ ଦି ଭଉଣୀ ସେଥିପାଇଁ ଦାୟୀ ହେବ । ହଉ, ସେମାନଙ୍କୁ ଯେବେ ଭିତରକୁ ଆଣିବା ଲାଗି ରାଜି ହୋଇଛ ତେବେ ଆଣ, ମୋର ଆପତ୍ତି ନାହିଁ । ହେଲେ, ଆମର ଏଠାରେ ଯେଉଁ ନିୟମ ଅଛି, ତାଙ୍କୁ ମାନିବାକୁ ପଡ଼ିବ ବୋଲି ସେମାନଙ୍କୁ ଜଣାଇ ଦିଅ; ସେମାନେ ଯେବେ ସେ ନିୟମ ପାଳିବାକୁ ପ୍ରସ୍ତୁତ ଥାଆନ୍ତି, ତେବେ ସେମାନଙ୍କୁ ଏଠାକୁ ନେଇଆସ-।’’

 

ସାଫୀ ସେହିକ୍ଷଣି ଦ୍ୱାର ନିକଟରେ ପହଞ୍ଚି ଫକୀର ତିନିଜଣକୁ ନିୟମମାନ ଜଣାଇବାକୁ ସେମାନେ ସେହି ସବୁ ନିୟମ ପାଳନ କରିବା ଲାଗି ସ୍ୱୀକୃତ ହେଲେ । ସାଫୀ ସେମାନଙ୍କୁ ନେଇ ଘର ଭିତରକୁ ଆସିଲେ । ଫକୀରମାନେ ଘରଭିତରକୁ ଆସି ସ୍ତ୍ରୀ ଲୋକମାନଙ୍କୁ ସଲାମ କଲେ । ସ୍ତ୍ରୀ ଲୋକମାନେ ଲେଉଟ ସଲାମ ଜଣାଇ ସେମାନଙ୍କୁ ଆଦର ଓ ଅଭ୍ୟର୍ଥନା କଲେ । ସେମାନେ ଫକୀରମାନଙ୍କୁ ନେଇ ପୁଣି ଖିଆପିଆ ଆରମ୍ଭ କଲେ । ଖିଆପିଆ ଶେଷ ହେବାରୁ ଫକୀରମାନେ କହିଲେ ଗୀତଗାଇ ତୁମକୁ ପ୍ରୀତ କରିବା ଆମର ଏକାନ୍ତ ଇଚ୍ଛା । ଯେବେ କୌଣସି ବାଦ୍ୟଯନ୍ତ୍ର ଏଠାରେ ଥାଏ, ତେବେ ଆଣି ଦିଅନ୍ତୁ ।’’

 

ସାଫୀ ସେହିକ୍ଷଣି ଦ୍ୱାର ନିକଟରେ ପହଞ୍ଚି ଫକୀର ତିନିଜଣକୁ ନିୟମମାନ ଜଣାଇବାରୁ ସେମାନେ ସେହି ସବୁ ନିୟମ ପାଳନ କରିବା ଲାଗି ସ୍ୱୀକୃତ ହେଲେ । ସାଫୀ ସେମାନଙ୍କୁ ନେଇ ଘର ଭିତରକୁ ଆସିଲେ । ଫକୀର ମାନେ ଘରଭିତରକୁ ଆସି ସ୍ତ୍ରୀ ଲୋକମାନେ ଲେଉଟ ସଲାମ ଜଣାଇ ସେମାନଙ୍କୁ ନେଇ ପୁଣି ଖିଆପିଆ ଆରମ୍ଭ କଲେ । ଖିଆପିଆ ଶେଷହେବାରୁ ଫକୀରମୋହନ କହିଲେ ଗୀତଗାଇ ତୁମକୁ ପ୍ରୀତ କରିବା ଆମର ଏକାନ୍ତ ଇଚ୍ଛା । ଯେବେ କୌଣସି ବାଦ୍ୟଯନ୍ତ୍ର ଏଠାରେ ଥାଏ, ତେବେ ଆଣି ଦିଅନ୍ତୁ ।’’

 

ସାଫୀ ସାଙ୍ଗେ ସାଙ୍ଗେ ଦୁଇଟି ବଂଶୀ ଓ ହଳେ ଡୁବି ତବଲା ଆଣି ଦେଲେ । ଫକୀରମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ବାଦ୍ୟଯନ୍ତ୍ର ନେଇ ବାଦ୍ୟ ଆରମ୍ଭ କଲେ । ସ୍ତ୍ରୀ ଲୋକମାନେ ବାଦ୍ୟଯନ୍ତ୍ର ବାଜିବାର ଶୁଣି ଥୟ ଧରି ରହି ପାରିଲେ ନି, ସେମାନେ ଗୀତ ଗାଇଲେ । ଗାଉଣା ବାଜଣାରେ ଘରଟି କମ୍ଫି ଉଠିଲା । ଠିକ୍‌ ଏତିକିବେଳେ ବାହାର ପଟେ କିଏ କବାଟ ଖଡ଼ ଖଡ଼ କଲା । କିଏ ଏତେ ରାତିରେ କବାଟ ଖଡ଼ ଖଡ଼ କଲା । କିଏ ଏତେ ରାତିରେ କବାଟ ଖଡ଼ଖଡ଼ କରୁଛି ଜାଣିବା ଲାଗି ସାଫୀ ଦ୍ୱାର ପାଖକୁ ଗଲେ ।

 

(ଶାହାଜାଦୀ ସୁଲତାନଙ୍କୁ କହିଲେ, ମହାରାଜ, ଏତେ ରାତିରେ କିଏ କାହିଁକି କବାଟ ଖଡ଼ ଖଡ଼ କରୁଛି, ତାହା ସମ୍ୱନ୍ଧରେ ମୁଁ କହୁଛି ଶୁଣିବା ହେଉନ୍ତୁ ।)

 

ହାରୁନ ଅଲ୍‍ ରସିଦ ସେ ଦିନ ରାତିରେ ତାଙ୍କର ପ୍ରଧାନ ଉଜିର ଜାଫର ଏବଂ ମସରୁର ନାମକ କଞ୍ଚୁକୀକୁ ସାଙ୍ଗରେ ଧରି ତାଙ୍କ ଶାସନ ସମ୍ୱନ୍ଧରେ ପ୍ରଜାମାନଙ୍କ ମନୋଭାବ ଜାଣିବା ସକାଶେ ଛଦ୍ମ ବେଶରେ ରାଜ୍ୟ ଭିତରେ ବୁଲୁଥିଲେ । ବୁଲୁବୁଲୁ ସେମାନେ ସେହି ତିନୋଟି ସ୍ତ୍ରୀ ଲୋକଙ୍କ ଘର ପାଖରେ ହାଜର ହେଲେ । ହଠାତ୍‌ ବାଦ୍ୟ ଧ୍ୱନି ଓ ସ୍ତ୍ରୀ ଲୋକମାନଙ୍କ କଣ୍ଠସ୍ୱର ତାଙ୍କ କାନରେ ପଡ଼ିଲା । ସେ ପ୍ରଧାନ ଉଜିରଙ୍କୁ ସମ୍ୱୋଧନକରି କହିଲେ, ‘ଜାଫର’ କେଉଁମାନେ ଏତେ ରାତିରେ ଏମିତି ମଉଜ ମଜ୍‍ଲିସ କରୁଛନ୍ତି ! ଘର ଭିତରକୁ ଯାଇ ଦେଖିବା ଲାଗି ମନ ହେଉଛି ।’’ ଉଜିର କହିଲେ, ‘‘ମହାରାଜ, ଘର ଭିତରେ ନିଶ୍ଚୟ ଯୁବକ ଯୁବତୀ ଏମତି ଆମୋଦ ପ୍ରମୋଦ କରୁଛନ୍ତି । ଆପଣ ତାହା କ’ଣ ଦେଖିବେ ? ସେମାନେ ମଦ ପିଇ ନିଶ୍ଚୟ ମାତାଲ ହୋଇଥିବେ । କେଜାଣି ଯେବେ ସେମାନେ ହଜୁରଙ୍କୁ ଚିହ୍ନି ନ ପାରି ଅପମାନ କରନ୍ତି । ରାତି ତ ଏତେ ବେଶୀ ହୋଇନି, ତେଣୁ ସେମାନଙ୍କୁ ଏ କାର୍ଯ୍ୟରୁ ନିରସ୍ତ ହେବାକୁ କୁହାଯାଇ ନ ପାରେ ।’’

 

ରାଜା କହିଲେ, ‘‘ଯାହା ହେଉ, ଘର ଭିତରେ କ’ଣ ହେଉଛି ଦେଖିବାକୁ ହେବ ।’’ ଉଜିର ଦେଖିଲେ ଯେ, ରାଜା ନଛୋଡ଼ବନ୍ଦା । ସେ ବାଧ୍ୟ ହୋଇ କବାଟ ଖଡ଼ ଖଡ଼ କଲେ । ମୁହୂର୍ତ୍ତକ ଭିତରେ ସାଫୀ ଆସି କବାଟ ଖୋଲି ସେମାନଙ୍କ ପରିଚୟ ମାଗିଲେ । ଉଜିର କହିଲେ, ‘‘ଆମେ ତିନିହେଁ ମୌଜଳ ଦେଶର ବଣିକ । ବର୍ତ୍ତମାନ ଏ ଦେଶକୁ ଆସିଛୁ । ଆଜି ଜଣେ ସାଧୁଙ୍କ ଘରକୁ ନିମନ୍ତ୍ରଣ ଖାଇବାଲାଗି ଯାଇଥିଲୁ । ଖିଆ ପିଆ ପରେ ବିଦାହୋଇ ଆସିଛୁ । ଏକେ ତ ଆମେ ଏ ଦେଶରେ ବିଦେଶୀ । ଏ ଦେଶର ବାଟ ଘାଟ ଆମକୁ ମାଲୁମ ନାହିଁ, ତହିଁରେ ପୁଣି ଅମାବାସ୍ୟା ରାତି, କୌଣସିପ୍ରକାରେ ଆମେ ବାଟ ଖୋଜି ପାଉନୁ । ଯେବେ ଦୟାକରି ରାତିଟା ତୁମ ଘରେ ରହିବାକୁ ଜାଗା ଦେବ, ତା’ ହେଲେ ଆମକୁ କଷ୍ଟ ଭୋଗ କରିବାକୁ ପଡ଼ିବନି ।’’

 

ସାଫୀ କହିଲେ, ମୁଁ ଘରର ମାଲିକାଣୀ ନୁହେଁ । ଆପଣମାନେ ଏଠାରେ ଟିକିଏ ଅପେକ୍ଷା କରନ୍ତୁ, ମୁଁ ମାଲିକାଣୀଙ୍କୁ ପଚାରି ଆସେ । ଏହା କହି ସେ ଦୁଇ ଭଉଣୀଙ୍କ ପାଖରେ ପହଞ୍ଚି ମୂଳରୁ ଶେଷଯାଏ ସବୁକଥା କହିଗଲେ । ଜୋବେଦୀ ଓ ଆମିନୀ କିଛିକ୍ଷଣ ଚିନ୍ତାକରି ସେମାନଙ୍କୁ ଆସିବାକୁ ଅନୁମତି ଦେଲେ । ରାଜା, ଉଜିର ଓ କଞ୍ଚୁକୀ ସେଠାରେ ଉପସ୍ଥିତ ହୋଇ ସ୍ତ୍ରୀଲୋକ ଓ ଫକୀରମାନଙ୍କୁ ସଲାମ କଲେ । ସମସ୍ତେ ସେମାନଙ୍କୁ ପ୍ରତି ସଲାମ ଜଣାଇଲେ । ସ୍ତ୍ରୀ ଲୋକମାନେ ସେମାନଙ୍କୁ ଆଦର କରି ବସାଇଲେ ।

 

ତା’ପରେ ଜୋବେଦୀ କହିଲେ, ଆପଣମାନେ ଆସିଛନ୍ତି, ଏହା ଖୁସିର କଥା; କିନ୍ତୁ ଆପଣମାନଙ୍କୁ ଗୋଟିଏ ପ୍ରତିଜ୍ଞା କରିବାକୁ ପଡ଼ିବ । ଉଜିର ପଚାରିଲେ ‘‘କି ପ୍ରତିଜ୍ଞା ?’’ ଜୋବେଦୀ କହିଲେ, ‘‘ଯେଉଁ ବିଷୟରେ ଆପଣମାନଙ୍କର କୌଣସି ସମ୍ଫର୍କ ନାହିଁ, ସେ ବିଷୟରେ ଆପଣମାନେ ଆମକୁ କିଛି ପଚାରି ପାରିବେନି । ଆପଣମାନେ ଯେବେ ପ୍ରତିଜ୍ଞା ଭୁଲି ପଚାରନ୍ତି, ତେବେ ଅନିଷ୍ଟ ହେବ ।’’ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଲେ, ତାହାହିଁ ହେବ । ତା’ପରେ ସମସ୍ତେ ଏକ ସାଙ୍ଗରେ ଖିଆପିଆ କଲେ । ରାଜା ସୁନ୍ଦରୀମାନଙ୍କର ଭାବଭଙ୍ଗୀ, ରୂପଲାବଣ୍ୟ ଓ ରୀତିନୀତି ଦେଖି ପରମ ସନ୍ତୋଷ ଲାଭକଲେ, ମାତ୍ର ଫକୀର ତିନିଜଣଙ୍କ ଡାହାଣ ଆଖିଫୁଟି ଯାଇଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ ।

 

କିଛି ସମୟ ଆମୋଦ ପ୍ରମୋଦ ଚାଲିଲା ପରେ ଜୋବେଦୀ ଉଠି ଆମିନୀକୁ କହିଲେ ‘‘ଭଉଣୀ, ଆଉ ଡେରି କାହିଁକି ? ଆ, ଆମେ ନିତି ଦିନିଆ କାମ କରିବା ।’’ ଆମିନୀ ସେହିକ୍ଷଣି ସେଠାରେ ଥିବା ସମସ୍ତ ଜିନିଷପତ୍ର ଦୂରକୁ ଉଠେଇ ନେଲେ । ସାଫୀ ଘର ସଫାସୁତୁରା କରି, ରାଜା, ତାଙ୍କ ଅନୁଚର ଓ ଫକୀରମାନଙ୍କୁ ଘରର ଗୋଟିଏ ସ୍ଥାନରେ ବସାଇ କୁଲିକୁ କହିଲେ, ‘‘ତୁ ତ ଆମ ଘରଲୋକ, ଏଠାରେ ବସି ରହିଲେ ଚଳିବନି । ମୋ ସାଙ୍ଗରେ ଆ ।’’

 

କୁଲି ସାଫୀ ସାଙ୍ଗରେ ଗୋଟିଏ ଘରେ ପଶିଲାରୁ ଠାରିଦେଲା ମାତ୍ରେ ଝିଞ୍ଜିରରେ ବନ୍ଧାହୋଇଥିବା ଦୁଇଟି କାଳିଆ ମାଈ କୁକୁରକୁ ଆଣି ସେ ସେଠାରେ ପହଞ୍ଚାଇ ଦେଲା । ଜୋବେଦୀ ମାଈ କୁକୁର ଦୁଇଟିକୁ ନିଷ୍ଠୁର ଭାବରେ ବାଡେଇଲେ । ମାଈ କୁକୁର ଦୁଇଟି ନିର୍ଦ୍ଧୁମ ମାଡ଼ ଖାଇ ଖୁବ୍‌ ଜୋରରେ କେଁ କେଁ ଚିତ୍କାର କରି ମଲାପରି ତଳେ ପଡ଼ିଗଲେ, ଜୋବେଦୀ ବାଡ଼ି ଫିଙ୍ଗି ଦେଇ ସେଠାରେ ବସି କାନ୍ଦିଲେ । ତା’ପରେ ସେ ମାଈକୁକୁର ଦୁଇଟିର ଆଖିରୁ ଲୁହ ନିଜ ପଣିତ କାନିରେ ପୋଛିଦେଇ ସେମାନଙ୍କ ମୁହଁରେ ଚୁମା ଦେଲେ ।

 

ଯଥା ସମୟରେ ମାଈକୁକୁର ଦୁଇଟିକୁ ସେଠାରୁ ଅନ୍ୟ ଘରକୁ ନିଆଗଲା । ଯୁବତୀର ଏପରି ଅଦ୍ଭୁତ ଆଚରଣରେ ରାଜା, ତାଙ୍କ ଅନୁଚର ଓ ଫକୀରମାନେ ଆଶ୍ଚର୍ଯ୍ୟ ହେଲେ । ରାଜା ଠାରିଦେଇ ଜାଫରକୁ ଏ ସବୁର କାରଣ ପଚାରିବାକୁ କହିଲେ । ଜାଫର ଠାରରେ ଜଣାଇ ଦେଲେ ଏଇଲାଗେ ନୁହେଁ ପଛେ ଏ ସବୁ କଥା ପଚରାଯିବ । ମୋ ମନରେ ବି କୌତୁହଳ ଜନ୍ମିଛି, ହେଲେ ସମୟ ଦେଖି ପଚାରିବି ।’’

 

ତା’ପରେ ଜୋବେଦୀ ସୁନାରୂପା ଖଞ୍ଜା ହୋଇଥିବା ଗୋଟିଏ ପଲଙ୍କରେ ବସିଥିଲେ ଏବଂ ଭଉଣୀମାନଙ୍କୁ ଡାକି କହିଲେ ‘‘ଏବେ ତୁମମାନଙ୍କର ଯାହା କର୍ତ୍ତବ୍ୟ କର । ଆମନୀ ସାଙ୍ଗେ ସାଙ୍ଗେ ଉଠି ପାଖ ଘରୁ ହଳଦିଆ ସାଟିନ୍‌ଲୁଗା ଗୁଡ଼ାହୋଇଥିବା ଗୋଟିଏ ସାନ ବାକ୍‌ସ ଆଣିଲେ ଏବଂ ବାକ୍‌ସ ଭିତରୁ ବୀଣାଟିଏ ବାହାର କରି ସାଫୀ ହାତକୁ ବଢ଼େଇଦେଲେ । ସାଫୀ ବୀଣାର ସୁରବାନ୍ଧି ବଜାଉ ବଜାଉ ତାହା ସଙ୍ଗେ ନିଜ କଣ୍ଠସ୍ୱର ମିଳାଇଲେ ଏବଂ ତାନମାନ ସୁସଙ୍ଗତ ବିଶୁଦ୍ଧ ସଙ୍ଗୀତ ଆରମ୍ଭ କଲେ । ତାଙ୍କ ଗୀତ ଶୁଣି ଆଗନ୍ତୁକମାନେ ବଡ଼ ମୁଗ୍‌ଧ ହେଲେ ।

 

ସାଫୀ କିଛିକ୍ଷଣ ଏହିପରି ଗୀତ ଗାଇ ସାରି ହାଲିଆ ହୋଇ ଆମିନୀଙ୍କୁ କହିଲେ, ‘‘ଭଉଣୀ ମୁଁ ହାଲିଆ ହୋଇ ପଡ଼ିଲିଣି, ତୁ ଏହି ବୀଣାନେଇ ଗୀତ ବୋଲ । ଆମିନୀ ବୀଣାନେଇ ସାଫୀଙ୍କ ପରି ଗୀତ ବୋଲିଲେ । ଆମିନୀ ଗୀତ ଗାଇ ଗାଇ ହାଲିଆ ହେଲାରୁ ଜୋବେଦୀ ତାଙ୍କୁ କହିଲେ ‘‘ଭଉଣି, ତୁ ଯେଉଁ ଗୀତ ଗାଇଲୁ ତାହା ଅତି ମଧୁର ।’’ ଆମିନୀ କିଛି ନ କହି କ୍ଳାନ୍ତି ଦୂର କରିବା ଲାଗି ବେକରୁ ଓ ଛାତିରୁ ଲୁଗା ବାହାର କରିଦେଲେ । ଦେଖଣାହାରୀମାନେ ତାଙ୍କ ବେକ ଓ ଛାତିରେ ମାଡ଼ ଚିହ୍ନ ଦେଖି ଅତିଶୟ ବିସ୍ମିତ ହେଲେ । ଆମିନୀ ବେକ ଓ ଛାତିରୁ ଲୁଗା ବାହାର କରି ଦେଲେ ହେଁ କ୍ଳାନ୍ତି ଦୂର ନ ହେବାରୁ ସେ ବେହୋସ ହୋଇ ତଳେ ପଡ଼ିଗଲେ । ସେହିକ୍ଷଣି ଜୋବେଦୀ ଓ ସାଫୀ ତାଙ୍କ ସେବା ଶୁଶ୍ରୂଷାରେ ଲାଗିପଡ଼ିଲେ ।

 

ଫକୀରମାନେ ଏହି ଅଦ୍ଭୁତ କାଣ୍ଡ ଦେଖି ନିଜ ନିଜ ଭିତରେ କୁହାକୁହି ହେଲେ, ହାୟ ଏକି କଥା । ଯେବେ ଏହା ଆଗରୁ ଜାଣିଥାନ୍ତୁ, ତେବେ ଏଠାକୁ ନ ଆସି ଆମେ ବାଟ ଘାଟରେ ଶୋଇଥାଆନ୍ତୁ । ରାଜା ବି ସେପରି ଆଶ୍ଚର୍ଯ୍ୟ ହୋଇ ଫକୀରମାନଙ୍କୁ ପଚାରିଲେ ‘‘ତୁମେମାନେ କଣ ଏ ସବୁର କାରଣ କିଛି କହି ପାରିବ ? ସେମାନେ ଉତ୍ତର ଦେଲେ, ମହାଶୟ, ଆପଣମାନେ ଯେମିତି ନୂଆ ହୋଇ ଏଠାକୁ ଆସିଛନ୍ତି, ଆମେବି ସେପରି ନୂଆ ହୋଇ ଏଠାକୁ ଆସିଛୁ । ଏସବୁର କାରଣ ଆମେ ଜାଣିନୁ ।’’

 

ଏଥିରେ ରାଜାଙ୍କର ଆହୁରି ବିସ୍ମୟ ବଢ଼ିଲା । ସେ କୁଲି ଆଡ଼କୁ ଅନେଇ କହିଲେ ଏ ଲୋକଟା ବୋଧହୁଏ ଏଥିର ବିବରଣ ଜାଣିଥିବ । ସେହିକ୍ଷଣି ଫକୀରମାନେ କୁଲିକୁ ଠାରି, ଡାକି ପଚାରିଲେ, ‘‘ତୁ କଣ ଏସବୁର ବିବରଣ ଜାଣିଛୁ ?’’ କୁଲି ଉତ୍ତର ଦେଲା ‘‘ମୁଁ ଭଗବାନଙ୍କ ରାଣ ପକାଇ କହୁଛି ମୁଁ ଏ ସବୁ ବିଷୟରେ କିଛି ଜାଣିନି ।’’ ରାଜା ଓ ଫକୀରମାନେ ଭାବିଥିଲେ ଏ ଲୋକଟା ନିଶ୍ଚୟ ସେମାନଙ୍କୁ ପରିବାର ମଧ୍ୟରୁ କେହି ହୋଇଥିବ ।

 

ପଚରା ପଚରି କରିବା ଦ୍ୱାରା ଜଣାପଡ଼ିଲା ଯେ, କୁଲି ସେମାନଙ୍କ ପରିବାରର କେହି ନୁହେଁ । ଆଗନ୍ତୁକମାନେ ଏକ ସଙ୍ଗରେ ପରାମର୍ଶ କରି କହିଲେ ‘‘ଆସ, ଆମେ ଏସବୁ କଥା ସ୍ତ୍ରୀଲୋକମାନଙ୍କୁ ପଚାରିବା; ଏଥିରେ ଡରିବାର କଣ ଅଛି ? ଆମେ ତ ସାତଜଣ ପୁରୁଷ, ଏମାନେ ତ ତିନିଜଣ ସ୍ତ୍ରୀ । ଏମାନେ ଆମର କଣ କରି ପାରିବେ ?’’ କେବଳ ଉଜିର ସେମାନଙ୍କ କଥାରେ ରାଜି ହେଲେ ନି ଏବଂ ସେ କହିଲେ ‘‘ନା, ଆପଣମାନଙ୍କର ଏ ପରାମର୍ଶ ଭଲ ନୁହେଁ । ମାତ୍ର ଉଜିରଙ୍କ କଥାକୁ କେହି ପାସଙ୍ଗରେ ପକାଇଲେନି । ସେମାନେ ଏ କଥାକୁ ନେଇ ପୁଣି ଘାଣ୍ଟଚକଟ କଲେ ଏବଂ ଶେଷରେ ପଚାରିବାର ସ୍ଥିର ହେଲା । ଜଣେ କୁଲି ଆଡ଼କୁ ନିଜର ରଖି କହିଲେ ‘‘ଏ ଲୋକଟି ପଚାରୁ ।’’

 

ସେମାନେ ସାତ ଜଣଯାକ ଏମିତି କଥାଭାଷା କଲାବେଳେ ଆମିନୀ ଟିକିଏ ସୁସ୍ଥବୋଧ କଲେ । ଜୋବେଦୀ ଆମିନୀ ପାଖରୁ ଉଠି ଆସି ସେମାନଙ୍କ ପାଖରେ ପହଞ୍ଚି ପଚାରିଲେ ‘‘ଆପଣମାନେ କ’ଣ ପରାମର୍ଶ କରୁଛନ୍ତି ?’’ କୁଲି ତାଙ୍କ କଥାର ଉତ୍ତର ଦେଇ କହିଲା ‘‘ମାଆ, ଏମାନେ ସମସ୍ତେ ତୁମ ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ କେତୋଟି କଥା ପଚାରିବାକୁ ମନ କରିଛନ୍ତି ।’’ ଜୋବେଦୀ କହିଲେ ‘‘କି କଥା ?’’ କୁଲି କହିଲା ‘‘ମାଈ କୁକୁର ଦୁଇଟିର ପ୍ରକୃତ ବିବରଣ କଣ ? କାହିଁକି ବା ସେମାନଙ୍କୁ ବାଡ଼େଇଲ ? ପୁଣି କାହିଁକି ବା ସେମାନଙ୍କୁ ଆଦର କରି କାନ୍ଦିଲ ? ଆଉ ତୁମର ଏହି ଭଉଣୀଙ୍କ ଦେହରେ ମାଡ଼ ଚିହ୍ନ କୁଆଡ଼ୁ ଆସିଲା ? ଏହି କେତୋଟି ବିଷୟର ଯଥାର୍ଥ ଉତ୍ତର ଦେଇ ଆମକୁ ବାଧିତ କରୁନ୍ତୁ ।’’

 

ଜୋବେଦୀଙ୍କ ଆଖି ରାଗରେ ନାଲି ପଡ଼ିଗଲା ଏବଂ ସେ ସେମାନଙ୍କୁ ପଚାରିଲେ ‘‘ଆପଣମାନେ କଣ ଏ ଲୋକକୁ ଏସବୁ କଥା ପଚାରିବାକୁ କହିଛନ୍ତି ?’’ ସମସ୍ତେ ଏକ ସଙ୍ଗରେ କହିଲେ ‘‘ହଁ, ଆମେ କହିଛୁ ।’’ ଜୋବେଦୀ ଉତ୍ତର ଦେଲେ ‘‘ଦେଖନ୍ତୁ, ଆପଣମାନେ ଆପଣମାନଙ୍କ ପ୍ରତିଶ୍ରୁତି ଭାଙ୍ଗି ବଡ଼ ଅନ୍ୟାୟ କାମ କରିଛନ୍ତି । ଆପଣମାନଙ୍କୁ ଆଗରୁ କୁହାଯାଇଥିଲା, ଆମ କାର୍ଯ୍ୟକଳାପ ଦେଖି ଆପଣମାନେ କୌଣସି ପ୍ରଶ୍ନ ପଚାରିବେନି, ଆପଣମାନେ ସେ କଥାକୁ କାନରେ ପକାଇଲେନି । ଏହାର ଫଳ ଆପଣମାନଙ୍କୁ ଭୋଗ କରିବାକୁ ପଡ଼ିବ ।’’

 

ଏହା କହି ଜୋବେଦୀ ମାଟି ଉପରେ ତିନିଥର ଗୋଡ଼ କଚାଡ଼ିଲେ, ତା’ପରେ ତିନିଥର ହାତ ତାଳି ମାରି ବଡ଼ ପାଟିରେ କହିଲେ ‘‘ତୁମେମାନେ କିଏ ଅଛ ଶୀଘ୍ର ଆସ ।’’ ସେହିକ୍ଷଣି ପାଖ ଘରର ଦ୍ୱାର ଖୋଲିଲା । ସେହି ଦ୍ୱାରରୁ କାଳାନ୍ତକ ଯମପରି ଖଣ୍ଡାଧରି ସାତଜଣ ହାପ୍‌ସୀ (ଆଫ୍ରିକା ବାସୀ) ଆସି ଅତିଥିମାନଙ୍କ ହାତ ଧରି ମୁଣ୍ଡକାଟ କରିବା ଲାଗି ଉଦ୍ୟତ ହେଲେ ।

 

ରାଜା ଏପରି ଆକସ୍ମିକ ବିପଦରେ ବରଡ଼ାପତ୍ର ପରି ଥରି ଥରି ମନେ ମନେ ଭାବିଲେ ‘‘ହାୟ, କି ସର୍ବନାଶ, କାହିଁକି ଆମେ ଉଜିରଙ୍କ କଥା ଶୁଣିଲୁନି ?’’ ଉଜିର ଓ ଫକୀରମାନେ ଦେଖିଲେ ସମସ୍ତେ ଏକ ଡଙ୍ଗାରେ ବସିଛନ୍ତି, କାହାରି ଉଦ୍ଧାରର ଉପାୟ ନାହିଁ । ଏତିକିବେଳେ ଆମିନୀ ସେଠାକୁ ଆସି କହିଲା, ‘‘ଭଉଣୀ, ଅତିଥିମାନଙ୍କ ପ୍ରାଣନେବା ଉଚିତ ନୁହେଁ । ମୋର ଇଚ୍ଛା, ଏମାନେ ଯେତେବେଳେ ଆମ ଘରକୁ ଆସିଛନ୍ତି, ସେମାନେ ଜଣ ଜଣ କରି ନିଜ ନିଜ ବିବରଣୀ କହନ୍ତୁ । ଯେ ପ୍ରକୃତ ପରିଚୟ ଦେବେ ତାଙ୍କୁ ଛାଡ଼ି ଦିଆଯିବ, ଆଉ ଯିଏ ପ୍ରକୃତ ବିଷୟ ଲୁଚାଇ ରଖିବାକୁ ଚେଷ୍ଟା କରିବେ, ତାଙ୍କୁ ପ୍ରାଣଦଣ୍ଡ ଦିଆଯିବ ।’’ ଏ କଥା ସ୍ଥିର ହେବାରୁ ଜୋବେଦୀ ଟିକିଏ ଶାନ୍ତ ହେଲେ ଏବଂ ଅତିଥିମାନଙ୍କୁ କିଛି ସମୟ ମୁକ୍ତ କରିବାକୁ ହୁକୁମ ଦେଲେ ।

 

କୁଲି ଯେତେବେଳେ ଜାଣି ପାରିଲା, ପ୍ରକୃତ ପରିଚୟ ଦେଲେ ମୁକ୍ତି ମିଳିବ ତେବେ ମନ୍ଦ ଆଉ କ’ଣ ? ଏହା ଭାବି ସେ ଆଗେଇ ଆସି କହିଲା—ମାଆମାନେ, ମୋ କଥା ତ ତୁମେମାନେ ଜାଣିଛ, ମୁଁ ଆଉ ଅଧିକ କଣ କହିବି । ମୁଁ ବୋଝ ବୋହି ପେଟ ପୋଷେ । ଆଜି ସକାଳେ ମୁଁ ଟୋକେଇ ଧରି ବଜାରରେ ଠିଆ ହୋଇଥିଲି, ତୁମ ଭଉଣୀ ମୋମୁଣ୍ଡରେ ବୋଝ ଲଦିଦେଇ ଏଠାକୁ ଆଣିଲେ । ସେତିକିବେଳୁ ମୁଁ ଏଠାରେ ଅଛି । ମୁଁ ଆଉ କି ପରିଚୟ ଦେବି ?’’ ଜୋବେଦୀ ଶୁଣି କହିଲେ ‘‘ଭଲ, ତୁ ଛାଡ଼ ପାଇଲୁ । ଏବେ ତୋ ଘରକୁ ଯା ।’’ ସେ କହିଲା ‘‘ମାଆ ମୋତେ ଆଉ କିଛି ସମୟ ଏଠାରେ ରହିବାଲାଗି ଅନୁମତି ମିଳୁ । ମୁଁ ମୋ ସାଙ୍ଗମାନଙ୍କ ବିବରଣୀ ଶୁଣି ଯିବି ।’’ ଜୋବେଦୀ ତା’ କଥାରେ ରାଜି ହେଲେ ଏବଂ ଫକୀରମାନଙ୍କ ଭିତରୁ ଜଣକୁ ତାଙ୍କ ବିବରଣୀ କହିବାକୁ କହିଲେ ।

Image

 

ପ୍ରଥମ ଫକୀରର କଥା

 

ପ୍ରଥମ ଫକୀର କହିଲେ, ‘‘ମାଆ, ମୋ ଡାହାଣ ଆଖିଟା କିପରି ନଷ୍ଟ ହେଲା ଏବଂ ମୁଁ କାହିଁକି ଫକୀର ବେଶ ଧରିଛି ତାହା ବର୍ଣ୍ଣନ କରୁଛି ଶୁଣ ।’’

 

ମୁଁ ଜଣେ ରଜାପୁଅ । ମୋର କଳା ବି ଗୋଟିଏ ରାଜ୍ୟର ରାଜା ଥିଲେ । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ । ସେହି ପୁଅଟିର ବୟସ ମୋ ବୟସ ସହିତ ସମାନ ଥିଲା । ମୁଁ ପାଠ ପଢ଼ା ଶେଷ କରି ବାପାଙ୍କଠାରୁ ଅନୁମତି ନେଇ କକାଙ୍କ ଉଆସକୁ ଯାଇଥିଲି ଏବଂ ସେଠାରେ ଦୁଇମାସ କଟାଇଲି । କକା ପୁଅ ଭାଇ ମୋର ସମବୟସ୍କ ହୋଇଥିବାରୁ ସେ ମୋର ଅନ୍ତରଙ୍ଗ ବନ୍ଧୁ ହେଲେ । ଏହିପରି ବର୍ଷେ ବିତିଗଲା । ବର୍ଷକ ପରେ ମୁଁ ଆମ ରାଜ୍ୟକୁ ଫେରି ଆସିଲି ।

 

କିଛି କାଳ ମୁଁ ଆମ ଉଆସରେ କଟାଇଲା ପରେ ପୁଣି ମୋ କକା ପୁଅ ଭାଇକୁ ଦେଖିବାଲାଗି ମନ କଲି । ମୁଁ ଆଉଥରେ କକାଙ୍କ ରାଜ୍ୟକୁ ଯାଇ ମୋର ପରମ ବନ୍ଧୁ ସହିତ ଦେଖା ସାକ୍ଷାତ କଲି । ସେ ବହୁତ ଆଦର କରି ଖିଆ ପିଆ କରାଇଲେ । ଖିଆ ପିଆ ସରିଲାପରେ ସେ ମୋତେ କହିଲେ ‘‘ଭାଇ, କେତେବର୍ଷ ହେଲା ମୁଁ ଗୋଟିଏ ପାତାଳପୁରୀ ତିଆରି କରାଉଥିଲି, ଏବେ ତାହା ଶେଷ ହୋଇଛି, ଏଠାରେ ଖୁବ୍‌ ଆରାମରେ ରହିହେବ । ତୁମେ ଏ ଘରକୁ ଦେଖିଲେ ଏହାକୁ ପ୍ରଶଂସା ନ କରି ରହି ପାରିବ ନି । ହେଲେ ତୁମେ ଯେବେ ହଲପ କର ଯେ, ଏ ଘର କଥା କାହାପାଖରେ କହିବନି ତା’ ହେଲେ ମୁଁ ତୁମକୁ ସେ ଘର ଦେଖାଇ ନେବି ।’’

 

ମୁଁ ତାଙ୍କ ରହସ୍ୟ ଗୋପନ ରଖିବାକୁ ଶପଥ କଲାରୁ ସେ ସେହି ସ୍ଥାନରୁ ଉଠିଯାଇ ଅଳ୍ପ ସମୟ ପରେ ନାନା ପ୍ରକାର ଅଳଙ୍କାର ଓ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧିଥିବା ଜଣେ ସୁନ୍ଦରୀ ଯୁବତୀର ହାତଧରି ସେଠାକୁ ଫେରି ଆସିଲେ । ଭାଇ ମୋତେ ସେହି ସ୍ତ୍ରୀ ଲୋକର କୌଣସି ପରିଚୟ ଦେଲେ ନି, ମୁଁ ମଧ୍ୟ ଭଦ୍ରତା ଦେଖାଇ କୌଣସି ପ୍ରଶ୍ନ ପଚାରିଲି ନି । କିଛି ସମୟ ଗପସପ କଲା ପରେ ମୋ କକାପୁଅ ଭାଇ କହିଲେ ‘‘ଭାଇ, ତୁମେ ଏଇ ଯୁବତୀକୁ ନେଇ ଅମୁକ ସ୍ଥାନକୁ ଯାଅ । ମୁଁ ଠିକ୍‌ ତୁମ ପଛେ ପଛେ ଯାଉଛି ।’’

 

ମୁଁ ଭାଇଙ୍କ କଥା ମାନି ଯୁବତୀଙ୍କୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଯାଇ ପହଞ୍ଚିଲି । କିଛି କ୍ଷଣ ପରେ ମୋ କକା ପୁଅ ଭାଇ ଗୋଟାଏ ଠେକିରେ ପାଣି, ଗୋଟାଏ କୁରାଢ଼ି ଓ ଗୋଟାଏ ଥାଳିଆରେ ଚୂନ ସୁରକି ଧରି ସେଠାରେ ଉପସ୍ଥିତ ହେଲେ ଏବଂ ସେ କୁରାଢ଼ିରେ ସମାଧି ସ୍ଥାନର ପଥରଗୁଡ଼ିକୁ ହାଣି ବାହାର କରି ଗୋଟିଏ ପାଖରେ ଗଦାକଲେ ଏବଂ ତା’ପରେ ମାଟି ଖୋଳୁ ଖୋଳୁ ସମାଧିର ନିମ୍ନ ଦେଶରେ ଗୋଟିଏ ଦ୍ୱାର ଦେଖିବାକୁ ମିଳିଲା । ଦ୍ୱାର ଖୋଲା ହେବାରୁ ମାଟି ତଳେ ଖିଲାଣ ହୋଇଥିବା ଗୋଟିଏ ସୁନ୍ଦର ପକ୍‌କାଘର ଥିବାର ଦେଖିଲୁ । ମୋ କକାପୁଅ ଭାଇ ସେହି ଯୁବତୀଟିକୁ କହିଲେ, ‘‘ସୁନ୍ଦରୀ, ଏବେ ମୋର ମନମୁତାବକ କାମ କର ।’’ ସେ କଥା ଶୁଣିଲାକ୍ଷଣି ଯୁବତୀ ସେହି ଦ୍ୱାର ଭିତର ଦେଇ ପକା ଘର ଆଡ଼କୁ ଚାଲିଲେ ।

 

ତା’ପରେ ମୋ କକାପୁଅ ଭାଇ କହିଲେ, ‘‘ଭାଇ, ତୁମେ ମୋର ଯେଉଁ ଉପକାର କଲ ମୁଁ ସେଥିଲାଗି ତୁମକୁ ମୋ ଜୀବନଯାକ ଭୁଲି ପାରିବି ନି । ତୁମେ ମୋର ଆଉ ଗୋଟିଏ ଉପକାର କଲେ ମୁଁ ତୁମ ପାଖରେ ଚିରଋଣୀ ହୋଇ ରହିବି । ମୁଁ ଏଇଲାଗେ ଦ୍ୱାର ଭିତର ଦେଇ ପକ୍‌କା ଘରକୁ ଯାଉଛି । ତୁମେ ମାଟି ଚଳାଇ ଦ୍ୱାର ଭିତର ଦେଇ ପକକା୍‌ଘରକୁ ଯାଉଛି । ତୁମେ ମାଟି ଚଳାଇ ଦ୍ୱାରଟି ବନ୍ଦ କରିଦିଅ ଏବଂ ଚୁନ ସୁର୍‌କିରେ ପଥରଗୁଡ଼ିକ ଖିଲାଣ କରି ଆଗପରି ସମାଧି ଗଢ଼ିଦିଅ ।’’ ଏହା କହି ଦ୍ୱାର ଭିତରେ ପଶି ସେ ଦ୍ୱାର ବନ୍ଦ କରିଦେଲେ । ମୁଁ ବାଧ୍ୟ ହୋଇ ତାଙ୍କ ଉପଦେଶ ମୁତାବକ କାମ କରି ମୋ କକାଙ୍କ ଉଆସକୁ ଫେରି ଆସିଲି । ହେଲେ ସେ ଦିନ ରାତିରେ ମୁଁ ଆଖି କଷା କରିନି, ନାନାପ୍ରକାର ଦୁଶ୍ଚିନ୍ତା ମୋ ମୁଣ୍ଡରେ ଖେଳିଲା । ଏ ଘଟଣା ଘଟିଲାବେଳେ ମୋ କକା ଶିକାରକୁ ଯାଇଥିଲେ । ତେଣୁ କୌଣସି କଥା ଜଣା ପଡ଼ିଲା ନି, ମୁଁ ବି ପ୍ରତିଜ୍ଞା ଲଘଂନ ଭୟରେ କାହା ପାଖରେ କିଛି କହିଲିନି ।

 

ମୁଁ ବହୁତ ଦିନ ବିଦେଶରେ ରହିଥିବାରୁ ମୋର ବାପ ମାଆଙ୍କୁ ଦେଖିବା ଲାଗି ମନ ଚଞ୍ଚଳ ହେଲ । କକା ନଥିଲାବେଳେ ମୁଁ ତାଙ୍କ ଉଆସ ଛାଡ଼ି ଚାଲିଆସିଲି । ମୁଁ ଘରେ ପହଞ୍ଚି ଶୁଣିଲି ଯେ, ମୋ ବାପ ମାଆ ମରି ଯାଇଛନ୍ତି ଏବଂ ପ୍ରଧାନ ମନ୍ତ୍ରୀ ରାଜଗାଦି ଦଖଲ କରି ବସିଛନ୍ତି । ମୁଁ ଉଆସ ପାଖରେ ପହଞ୍ଚିଲାରୁ ଜଣେ ଲୋକ ମୋତେ ବାନ୍ଧି ନେଇ ମନ୍ତ୍ରୀଙ୍କ ପାଖରେ ହାଜର କରାଇଲା । ବହୁଦିନରୁ ମନ୍ତ୍ରୀଙ୍କର ମୋ ପ୍ରତି ରାଗ ଥିଲା । ମୁଁ ପିଲା ଥିଲାବେଳେ ଉଆସ ଛାତ ଉପରେ ଦିନେ ଧନୁଶର ଧରି ଶର ବିନ୍ଧୁଥିଲି । ମନ୍ତ୍ରୀଙ୍କ ଉଆସର ଛାତ ଉପରେ ଗୋଟାଏ ପକ୍ଷୀ ବସି ଥିଲାବେଳେ ଉଆସ ଛାତ ଉପରେ ଦିନେ ଧନୁଶର ଧରି ଶର ବିନ୍ଧୁଥିଲି । ମନ୍ତ୍ରୀଙ୍କ ଉଆସର ଛାତ ଉପରେ ଗୋଟାଏ ପକ୍ଷୀ ବସିଥିବାର ଦେଖି ମୁଁ ତାହା ଆଡ଼କୁ ଶର ମାଇଲି । ଠିକ୍‌ ସେତିକିବେଳେ ମନ୍ତ୍ରୀ ହାଉଆ ଖାଇବା ଲାଗି ଛାତ ଉପରକୁ ଆସିଲେ । ମୋ ତୀରଟି ତାଙ୍କ ଆଖିରେ ବାଜିବାରୁ ତାଙ୍କ ଆଖି ଫୁଟିଗଲା । ସେହି ଦିନରୁ ସେ ମୋତେ ଦେଖିଲେ ରକ୍ତ ଚାଉଳ ଚୋବେଇ ହେଉଥିଲେ । ଏଇ ଲାଗେ ସେ ମୋତେ ଅସହାୟ ଅବସ୍ଥାରେ ଦେଖି ମୋ ଡାହାଁଣ ଆଖିଟା ନଷ୍ଟ କରିଦେଲେ ।

 

ମନ୍ତ୍ରୀ ଯେ ଡାହାଣ ଆଖିଟା ଫୁଟାଇ ଦେଇ ସନ୍ତୁଷ୍ଟ ହେଲେ ତାହା ନୁହେଁ, ସେ ଘାତକକୁ ଡକାଇ ମୋତେ ମାରି ମୋର ମାଂସ ବନ୍ୟଜନ୍ତୁଙ୍କୁ ଖୁଆଇବା ଲାଗି ହୁକୁମ ଦେଲେ । ତାଙ୍କଠାରୁ ହୁକୁମ ପାଇ ଘାତକ ମୋତେ ମାରିବାପାଇଁ ନଅର ବାହାରକୁ ନେଇଗଲା । ମୁଁ କାନ୍ଦି କାନ୍ଦି ବହୁତ ନେହୁରା ହେବାରୁ ଘାତକର ମନରେ ଦୟା ଆସିଲା । ସେ କହିଲା ‘‘କୁମାର, ଆପଣ ଶୀଘ୍ର ଏ ରାଜ୍ୟରୁ ପଳାଇ ଯାଆନ୍ତୁ । କେବେହେଲେ ଏ ରାଜ୍ୟକୁ ଆଉ ଫେରିବେ ନି । ଯେବେ ଫେରି ଆସନ୍ତି, ତେବେ ଆପଣଙ୍କର ଓ ମୋର ଜୀବନ ନଷ୍ଟ ହେବ ।’’ ଏହା କହି ସେ ମୋ ବନ୍ଧନ ଖୋଲିଦେଲା । ମୁଁ ମୋର ପ୍ରାଣଦାତା ଘାତକକୁ ଶତ ଶତ ଧନ୍ୟବାଦ ଦେଇ ଜୀବନ ନେଇ ପଳାଇଆସିଲି ।

 

ତା’ପରେ ମୁଁ କକାଙ୍କ ରାଜ୍ୟକୁ ଗଲି ଏବଂ କକାଙ୍କୁ ସମସ୍ତ ଘଟଣା କହିଲି । ମୋ କକା ଏ ସବୁ କଥା ଶୁଣି ବହୁତ ବେଳଯାଏ କାନ୍ଦିଲେ । ପରେ ପ୍ରକୃତିସ୍ଥ ହୋଇ କହିଲେ, ‘‘ହାୟ ପୁଅ, ଏଇଲାଗେ ମୁଁ ତୋ ଭାଇକୁ ହରାଇଛି, ସେ କୁଆଡ଼େ ଯାଇଛି କେହି ଜାଣନ୍ତି ନି । ତାହା ଉପରେ ମୁଁ ପୁଣି ମୋ ବଡ଼ ଭାଇଙ୍କ ମଲା ଖବର ପାଇଲି ଏବଂ ତୋର ଏପରି ଦୁର୍ଦ୍ଦଶା ବି ମୋ ଆଖି ଦେଖିଲା-। ଏକଥା କହୁ ତାଙ୍କ ପୁତ୍ରଶୋକ ଦୁଇଗୁଣ ବଢ଼ିଲା ଏବଂ ତାଙ୍କ ଆଖିରୁ ଅନବରତ ଲୁହ ବୋହିଲା-

 

କକାଙ୍କୁ ଏପରି କାତର ଦେଖି ମୁଁ ମୋର ପ୍ରତିଜ୍ଞା ନ ଭାଙ୍ଗି ରହି ପାରିଲି ନି । ମୁଁ ତାଙ୍କ ପୁଅଙ୍କ ସମ୍ୱନ୍ଧରେ ଯାହା ଜାଣିଥିଲି ସେ ସମସ୍ତ ତାଙ୍କୁ ଜଣାଇଲି । ମୋ କଥା ଶୁଣି ତାଙ୍କ ଭଗ୍ନ ହୃଦୟରେ ଆଶାର ସଞ୍ଚାର ହେଲା । ସେ ମୋତେ ସାଙ୍ଗରେ ଧରି ସମାଧିପୀଠକୁ ଗଲେ । ମୁଁ ସେହି ସମାଧି ମନ୍ଦିରଟି ଭାଙ୍ଗି ମାଟି ଖୋଳି ଦ୍ୱାରଟି ବାହାର କଲି । ମୁଁ ଓ ମୋର କକା ଦ୍ୱାର ଭିତର ଦେଇ ଅଗଣାକୁ ଗଲୁ । ଆମେ ସେଠାରେ ପହଞ୍ଚିଲା ମାତ୍ରେ କାହୁଁ ଧୂଆଁ ମାଡ଼ି ଆସିଲା ଏବଂ ଆମ ନିଃଶ୍ୱାସ ବନ୍ଦ ହେଲା ପରି ଜଣାପଡ଼ିଲା ।

 

ଆମେ ହାତରେ ନାକ ବନ୍ଦକରି କୌଣସି ମତେ ଧୂଆଁ ଭିତର ଦେଇ ଗୋଟିଏ ଘରେ ଆସି ପହଞ୍ଚିଲୁ । ଏହି ଘରେ ନାନାପ୍ରକାର ଖାଦ୍ୟଦ୍ରବ୍ୟ ଭରି ରହିଥିଲା । ଏଠାରେ ଆମେ କୌଣସି ଜନମାନବକୁ ଦେଖିବାକୁ ପାଇଲୁନି । ପାଖ ଘରେ ଗୋଟିଏ ପଲଙ୍କ ପଡ଼ିଥିଲା ଏବଂ ପଲଙ୍କ ଉପରେ ମଶାରି ଟଣା ହୋଇଥିଲା । କକା ପଲଙ୍କ ପାଖକୁ ଯାଇ ମଶାରୀ ଟେକି ଦେଖିଲେ, ପଲଙ୍କରେ ଦେଖିଲେ ତାଙ୍କ ପୁଅ ଓ ଗୋଟିଏ ଯୁବତୀ ମରି ଶୋଇଛନ୍ତି । ସେମାନଙ୍କୁ ପୋଡ଼ି ଦିଆଯାଇଛି । ପୁଅର ଏମିତି ଦଶା ଦେଖି କକା ଟିକେ ହେଲେ ଦୁଃଖ ପ୍ରକାଶ କଲେନି ।

 

ସେ ମଲା ପୁଅକୁ ଦେଖି ରାଗରେ ଜରଜର ହୋଇ ତା’ ମୁହଁରେ ଛେପ ପକାଇଲେ ଏବଂ ଥରିଲା କଣ୍ଠରେ କହିଲେ ‘‘ରେ କୁଳାଙ୍ଗାର, ତୋର ପାପର ପ୍ରାୟଶ୍ଚିତ୍ତ ଇହକାଳରେ ଏତିକି ହେଲା, ପୁଣି ପରକାଳରେ ଏହା ଅପେକ୍ଷା କେତେ ଯେ ଅଧିକ ଶାସ୍ତି ପାଇବୁ ତା’ର ଇୟତ୍ତା ନାହିଁ-।’’ ତା’ପରେ ସେ ଅସମ୍ଭାଳ ହୋଇ ନିଜ ଗୋଡ଼ରୁ ଯୋତାକାଢ଼ି ମଲା ପୁଅ ମୁହଁରେ ଅନବରତ ବାଡ଼େଇବାକୁ ଲାଗିଲେ । ତାଙ୍କର ଏ ପ୍ରକାର ବ୍ୟବହାର ଦେଖି ମୁଁ ବିସ୍ମିତ ହୋଇ ପଚାରିଲି ‘‘କକା, ଭାଇ ଏମିତି କଣ ଗର୍ହିତ କାର୍ଯ୍ୟ କରିଛି ଯେ ଆପଣ ତା’ର ମଲାଦେହକୁ ଜୋତାରେ ବାଡ଼ୋଉଛନ୍ତି-?’’

 

ମୋ କକା ଉତ୍ତର ଦେଇ କହିଲେ, ‘‘ବାପ, କ’ଣ କହିବି, ଜିଭ ଲେଉଟୁନି, କହିବାକୁ ଲାଜ ମାଡ଼ୁଛି ଓ ଘୃଣା ବୋଧ ହେଉଛି ଏଇ ଯେ ଯୁବତୀକୁ ଦେଖୁଛୁ, ସେ ମୋର ପାଳିତା କନ୍ୟା–ଏହି ପାପାତ୍ମାର ଭଉଣୀ । ପିଲାଦିନେ ଏମାନଙ୍କର ସ୍ନେହ ଏବଂ ଯୌବନରେ ଏମାନଙ୍କର ପ୍ରେମ ଦେଖି ମୁଁ ଦୁଇ ଜଣଙ୍କୁ ଅଲଗା ଅଲଗା କରି ରଖିଲି, ପୁଅ ସୁବିଧା ପାଇଲେ ତାକୁ ହରଣ କରିବ, ଏହି ଆଶଙ୍କାରେ । ସେ ମାଟିତଳେ ପକ୍‌କା ଘର ତିଆରି କରି ଏଠାରେ ନାନାପ୍ରକାର ଖାଦ୍ୟ ସଞ୍ଚୟ କରି ରଖିଥିଲା । ମୁଁ ଶିକାରକୁ ଗଲାରୁ ସେ ସୁବିଧା ପାଇ ତାକୁ ଏଠାକୁ ନେଇ ଆସିଲା । ପାପର ଦଣ୍ଡ ସମସ୍ତଙ୍କୁ ଭୋଗ କରିବାକୁ ପଡ଼େ । ପାପୀ ଓ ପାପିୟସୀ ଧର୍ମ ନିଆଁରେ ପୋଡ଼ି ପାଉଁଶ ହୋଇଛନ୍ତି ।’’

 

କକା ଏତକ କହି ମୋତେ ସାଙ୍ଗରେ ନେଇ ଉଆସକୁ ଫେରିଆସିଲେ । ପୁଅର ସ୍ନେହ କି ଆଶ୍ଚର୍ଯ୍ୟ ବନ୍ଧନ ! ସନ୍ତାନ ପ୍ରତି ବାପାମାଆଙ୍କ ସ୍ନେହ କାହିଁରେ ସୁଦ୍ଧା ନଷ୍ଟ ହୁଏନି । କକା ଉଆସକୁ ଫେରି ଆସି ଶୋକରେ ଅଧୀର ହୋଇ ବହୁତ କାନ୍ଦିଲେ । ତାଙ୍କ କାନ୍ଦଣା ଦେଖି ମୁଁ ଧୈର୍ଯ୍ୟଧରି ପାରିଲି ନି ଏବଂ ମୋ ଆଖିରୁ ବି ଲୁହ ଗଡ଼ିଲା । କିଛିକ୍ଷଣ ପରେ ସେ ମୋତେ କୁଣ୍ଢେଇ ପକେଇ କହିଲେ, ‘‘ବାପ ଶାନ୍ତ ହ, ତୁ ଆଜିଠାରୁ ମୋର ପୁଅ । ସେ ମୋତେ ଏମିତି ବୋଧବାଧ ଦେଲାବେଳେ ଯୁଦ୍ଧ ବାଜା ଓ ଜୟଧ୍ୱନି ଶୁଣାଗଲା । ଆମେ ଦିହେଁ ଚମକିପଡ଼ିଲୁ ।

 

ପରେ ଆମେ ଜାଣିବାକୁ ପାଇଲୁ ଯେ, ଦୁରାତ୍ମା ମନ୍ତ୍ରୀ ମୋ ବାପାଙ୍କ ରାଜ୍ୟ ଦଖଲ କରି କକାଙ୍କ ରାଜ୍ୟ ଅତର୍କିତ ଭାବରେ ଆକ୍ରମଣ କରିଛି । ଏପରି ପ୍ରବଳ ଶତ୍ରୁର ମକାବିଲା କରିବା ଲାଗ ମୋର କକା ଆଦୌ ପ୍ରସ୍ତୁତ ନ ଥିଲେ । ତେଣୁ ସେ ଯୁଦ୍ଧରେ ପରାଜିତ ହୋଇ ଶତ୍ରୁ ହାତରେ ପ୍ରାଣ ହରାଇଲେ । ମୁଁ ପ୍ରାଣପଣେ ନିସ୍ତାର ନାହିଁ, ଉଆସର ପଛପଟେ ଥିବ । ଦ୍ୱାରଦେଇ ମୁଁ ପଳାଇଲି ।

ଚାରିଆଡ଼େ ଶତ୍ରୁ ସୈନ୍ୟ ଘେରି ରହିଛନ୍ତି । ସେମାନେ ଦେଖିଲାକ୍ଷଣି ମୋତେ ମାରି ପକାଇବେ । କଣ କରିବି ମୋତେ ବୁଦ୍ଧି ଦିଶିଲା ନି । ଭାବି ଭାବି ଶେଷରେ ଗୋଟିଏ ଉପାୟ ବାହାର କଲି । ମୁଁ ମୋ ମୁଣ୍ଡ ଲଣ୍ଡାକରି ଫକୀରବେଶ ପିନ୍ଧି ବାହାରି ପଡ଼ି ନଅରରେ ବୁଲିଲି । ତା’ପରେ ନଅର ଛାଡ଼ି ଅନ୍ୟ କେତେକ ଦେଶରେ ଭ୍ରମଣ କଲି ।

କାଲି ସଞ୍ଜ ପୂର୍ବରୁ ମୁଁ ବାଗଦାଦ୍‍ ନଅରରେ ପହଞ୍ଚିଲି । ହେଲେ, କୁଆଡ଼େ ଯିବି, କଅଣ କରିବି ଏ କଥା ଭାବୁଛି, ଏତିକିବେଳେ ମୋ ଡାହାଣରେ ଯେଉଁ ଫକୀରଙ୍କୁ ଦେଖୁଛନ୍ତି ସେ ଆସି ମୋ ପାଖରେ ପହଞ୍ଚିଲେ । ମୁଁ ତାଙ୍କ ପରିଚୟ ପଚାରିବାବେଳେ ଏଇ ଯେ ତୃତୀୟ ଫକୀରଙ୍କୁ ଦେଖୁଛନ୍ତି, ସେ ଆସି ହାଜର ହେଲେ । ଆମମାନଙ୍କ ନିଜ ନିଜ ଭିତରେ ପରିଚୟ ପରିଚୟ ନେବାରେ ଡେରି ହେଲା ଓ ରାତି ବି ବେଶୀ ହେଲା । ଏଠାର କୌଣସି ଲୋକଙ୍କ ସାଙ୍ଗରେ ପରିଚୟ ନ ଥିବାରୁ ଆମେ କେଉଁଠି ରାତିଟା କଟାଇବୁ, ଏଥିଲାଗି ଉତ୍କଣ୍ଠିତ ହେଲୁ । ଦୈବଯୋଗରୁ ଆମେ ଆପଣଙ୍କ ଦ୍ୱାର ପାଖରେ ଉପସ୍ଥିତ ହେଲୁ । ଆପଣମାନେ ଦୟା ଦେଖାଇ ରାତିଟା ଆପଣଙ୍କ ଘରେ ରହିବାକୁ ଅନୁମତି ହେଲେ । ସେତିକିବେଳୁ ଆମେ ଏଠାରେ ଅଛୁ । ମାଆ ! ମୋର ବିବରଣୀ ଶେଷ ହେଲା ।

ଜୋବେଦୀ ଏହି ବିବରଣୀ ଶୁଣି କହିଲେ ‘‘ଫକୀର, ତୁମକୁ କ୍ଷମା ଦିଆଗଲା । ତୁମେ ଏଠାରୁ ଚାଲିଯାଇ ପାର ।’’ ଫକୀର କହିଲେ, ‘‘ମାଆ ଅନୁମତି ଦେଲେ ସାଙ୍ଗମାନଙ୍କ ବିବରଣୀ ଶୁଣି ମୁଁ ଏଠାରୁ ବିଦା ହୋଇଯିବି । ଜୋବେଦୀ କୌଣସି ଆପର୍ତ୍ତି କଲେନି ।’’

ତା’ପରେ ଦ୍ୱିତୀୟ ଫକୀର ତାଙ୍କ ବିବରଣୀ ଆରମ୍ଭ କଲେ ।

Image

 

ଦ୍ୱିତୀୟ ଫକୀରଙ୍କ କଥା

 

ମାଆ, ମୁଁ ଜନ୍ମରୁ କଣା ନୁହେଁ, ମୁଁ ବି ରାଜାପୁଅ । ମୋ ପାଠପଢ଼ା ଲାଗି ଉପଯୁକ୍ତ ଶିକ୍ଷକ ନିଯୁକ୍ତ ହୋଇଥିଲେ । ମୁଁ ପଣ୍ଡିତମାନଙ୍କ ମେଳରେ ରହି ଲେଖାପଢ଼ା ଶିଖି ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ଇତିହାସ ଆଦି ଭଲଭାବରେ ଆୟତ୍ତ କରିନେଲି ଏବଂ ଲେଖାଲେଖିରେ ମୁଁ ଏମିତି ପାରଙ୍ଗମ ହେଲି ଯେ, ପ୍ରସିଦ୍ଧ ଲେଖକମାନେ ମୋ ପାଖରେ ପରାଭବ ମାନିଲେ । ମୋର ଏଇ ଯଶ ଦେଶ ବିଦେଶରେ ପ୍ରସାର ଲାଭ କରିବାରୁ ପ୍ରବଳ ପରାକ୍ରାନ୍ତ ଭାରତବର୍ଷର ରାଜା ମୋତେ ଦେଖିବା ଲାଗି ଦୂତ ପଠାଇଥିଲେ ।

 

ମୋର ବାପାଙ୍କର ଇଚ୍ଛା ଥିଲା, ମୁଁ ଦେଶ ବିଦେଶରେ ବୁଲି ଏମିତି ଯଶ ଲାଭ କରେ । ଭାରତରୁ ଦୂତ ଆସିବା ଖବର ପାଇ ମୋ ବାପା ବହୁତ ଉପହାର ଦେଇ ତାଙ୍କ ସାଙ୍ଗରେ ଭାରତକୁ ପଠାଇଲେ । ଆମ ଯାତ୍ରାର ପ୍ରଥମ ମାସରେ କୌଣସି ପ୍ରକାର ବିଘ୍ନ ଘଟି ନ ଥିଲା । ଦ୍ୱିତୀୟ ମାସର ପ୍ରଥମ ଦିନ ହଠାତ୍‌ ଦିନେ ଦଳେ ଦସ୍ୟୁ ଆମକୁ ଆକ୍ରମଣ କଲେ । ଏଇ ଦସ୍ୟୁମାନଙ୍କ ସାଙ୍ଗରେ ଯୁଦ୍ଧ କଲାଭଳି ବଳ ଆମ ଦେହରେ ନ ଥିଲା । ତେଣୁ ମୁହଁ ଭୁରୁଡ଼ି ଦେଖାଇ ସେମାନଙ୍କୁ କହିଲୁ, ‘‘ଆମେ ପ୍ରବଳ ପରାକ୍ରାନ୍ତ ଭାରତ ରାଜାଙ୍କ ଦୂତ, ଆମ ଦିହରେ ତୁମେ ହାତ ଦେଇପାରିବ ନି ।’’

 

ଦସ୍ୟୁମାନେ ଏ କଥା ଶୁଣି ବେଖାତିର କରି ହସି କହିଲେ, ‘‘ତୁମ ରାଜାଙ୍କୁ କିଏ ମାନୁଛି-? ଆମେ ତାଙ୍କ ରାଜ୍ୟରେ ବାସକଲେ ତାଙ୍କୁ ମାନିବୁ ।’’ ଏହା କହି ସେମାନେ ଅସ୍ତ୍ର ନେଇ କାହାକୁ ହାଣିଲେ, କାହାକୁ ମାଇଲେ । ଆମ ଭିତରେ ଆତଙ୍କ ଖେଳିଗଲା । ସେମାନେ ଆମ ଯଥାସର୍ବସ୍ୱ ଅପହରଣ କଲେ । ଆମେ ବି ପାରୁ ପର୍ଯ୍ୟନ୍ତ ସେମାନଙ୍କ ସାଙ୍ଗରେ ଲଢ଼ିଲୁ-। କିନ୍ତୁ ମୁଁ ଯେତେବେଳେ ଦେଖିଲି, ରାଜଦୂତବୀ ସାଙ୍ଗମାନେ ଯୁଦ୍ଧରେ ମଲେ, ମୁଁ ଘୋଡ଼ା ଚଢ଼ି ଅତି ବେଗରେ ପଳ ଇଗଲି । ଲଢ଼େଇରେ ମୋ ଘୋଡ଼ାଇ ଦେବାରୁ ସେ ହାଲିଆ ହୋଇ ବାଟରେ ପଡ଼ି ମରିଗଲା । ମୁଁ ଅନ୍ୟ କୌଣସି ଉପାୟ ନ ଦେଖି ଲୁହଭରା ଆଖିରେ ଚାଲିବାକୁ ଲାଗିଲି-। ଚାଲି ଚାଲି ସଞ୍ଜବେଳେ ମୁଁ ଗୋଟିଏ ପର୍ବତ ଉପରେ ପହଞ୍ଚିଲି । ସେହି ସ୍ଥାନରେ ଗୋଟିଏ ଗୁହା ଭିତରେ ରାତିଟା କଟାଇ ତହିଁ ଆରଦିନ ସକାଳେ ପୁଣି ଯାତ୍ରା ଆରମ୍ଭ କଲି । ବାଟରେ କେତେଗୁଡ଼ିଏ ଫଳ ପାଇ ଭୋକଦାଉ ସମ୍ଭାଳି ନ ପାରି ଖାଇଲି ।

 

ଏହିପରି ଚାଲୁ ଚାଲୁ ଶେଷରେ ମୁଁ ଗୋଟିଏ ବଡ଼ ନଅରରେ ପହଞ୍ଚିଲି । ମୁଁ ପହିଲେ ଗୋଟିଏ ଦରଜୀ ଦୋକାନକୁ ଗଲି । ଦରଜି ମୋତେ ଭଦ୍ର ସନ୍ତାନ ଦେଖି ଆଦର କରି ପାଖରେ ବସାଇ ମୋ ପରିଚୟ ପଚାରିଲା । ମୁଁ ଖୋଲାଖୋଲି ଭାବରେ ଯାହା ଘଟିଥିଲା ସେ ସମସ୍ତ କହିଗଲି । ସେ ମୋ କଥାତକ ଶୁଣି ବଡ଼ ଦୁଃଖ କରି କହିଲା, ‘‘କୁମାର, ତୁମେ ଏଠାରେ ଯାହା ପାଖରେ ନିଜ ପରିଚୟ ଦେବ ନି । ଏ ଦେଶର ରାଜା ତୁମ ବାପାଙ୍କର ପରମ ଶତ୍ରୁ । ରାଜା ଜାଣି ପାରିଲେ ତୁମର ସର୍ବନାଶ କରିବେ ।’’ ତାପରେ ଦରଜି ମୋତେ ଭୋକିଲା ଜାଣି ପାରି ଖୁଆଇଲା ଏବଂ ରହିବା ଲାଗି ଘରେ ଜାଗା ଦେଲା । ମୁଁ ସେଠାରେ କିଛିଦିନ ପାଇଁ ରହିଲି ।

 

ଦିନେ ଦରଜି ମୋତେ ପଚାରିଲା, ‘‘କୁମାର, ତୁମେ ତୁମ ପେଟ ପୋଷିବା ଲାଗି କୌଣସି ଧନ୍ଦା ଶିଖିଛ ?’’ ମୁଁ କହିଲି ‘‘ମୁଁ ନ୍ୟାୟ ଶାସ୍ତ୍ର, ବ୍ୟାକରଣ ଶାସ୍ତ୍ର ଓ କାବ୍ୟ ଶାସ୍ତ୍ର ଶିକ୍ଷା କରିଛି ଏବଂ ଲେଖା ଲେଖିରେ ମୋର ବିଶେଷ ପାରଗତା ଅଛି ।’’ ଦରଜି ଟିକିଏ ହସି ଦେଇ କହିଲା, ‘‘ଏ ସବୁ ବିଦ୍ୟା ସାହାଯ୍ୟରେ ଏଠାରେ ଦିନକ ପାଇଁ ସୁଦ୍ଧା ଖାଦ୍ୟ ଯୋଗାଡ଼ କରି ପାରିବନି । ଏ ସବୁ ବିଦ୍ୟାର ଆଦର ଏଠାରେ ନାହିଁ । ତୁମ ଦିହରେ ତ ବହୁତ ବଳ ଥିବାପରି ଜଣା ପଡ଼ୁଛି, ତୁମେ ଯେବେ ଜଙ୍ଗଲକୁ ଯାଇ ଜାଳେଣି କାଠ କାଟି ଆଣି ବଜାରରେ ବିକ, ତା’ହେଲେ ବହୁତ ଟଙ୍କା ରୋଜଗାର କରିପାରିବ । ତା’ ହେଲେ ପେଟ ପୋଷିବାରେ ତୁମର ଅସୁବିଧା ହେବ ନି । ଏଥିରେ ରାଜି ହେଲେ ତୁମ ଲାଗି ମୁଁ ଖଣ୍ଡେ କୁରାଢ଼ି ଓ ରସି ଆଣି ଦେବି ।’’ ଅନ୍ୟ ଉପାୟ ନ ଦେଖି ମୁଁ ସେଥିରେ ରାଜିହେଲି ।

 

ତହିଁ ଆରଦିନ ସକାଳେ ଦରଜି ଖଣ୍ଡିଏ କୁରାଢି ଓ ରସି ଆଣି ମୋତେ ଦେଲା ଏବଂ କେତେକ କାଠୁରିଆଙ୍କ ସାଙ୍ଗରେ ପରିଚୟ କରାଇଦେଲା । ମୁଁ ସେମାନଙ୍କ ସାଙ୍ଗରେ ଜଙ୍ଗଲକୁ ଗଲି ଏବଂ କାଠ ହାଣି ଆଣି ବଜାରରେ ବିକି ଆଠଅଣା ପଇସା ପାଇଲି । ସେ ଦେଶରେ କାଠ ବଡ଼ ମହରଗ ଥିଲା । ତେଣୁ ଏ ପ୍ରକାର ବେଉସାରେ ମୋର ବେଶ ଦି ପଇସା ହେଲା ।

 

ଏମିତି ଗୋଟିଏ ବର୍ଷ ବିତିଗଲା । ଦିନେ ମୁଁ ଘୋର ଜଙ୍ଗଲରେ ପଶି କାଠ ହାଣୁଛି, ଠିକ୍‌ଏତିକିବେଳେ ଗୋଟିଏ ଗଛ ମୂଳରୁ ଉପୁଡି ପଡ଼ିଲା । ମୁଁ ଦେଖିଲି ମାଟିତଳେ ଲୁହାରେ ତିଆରି ଗୋଟିଏ ଗୁପ୍ତ ଦ୍ୱାର ଅଛି । ସେହି ଦ୍ୱାର ଖୋଲି ଦେଇ ଦେଖିଲି ତଳକୁ ଗୁଡିଏ ପାହାଚ ଲମ୍ୱି ଯାଇଛି । ମୁଁ ସେହି ପାହାଚଗୁଡ଼ିକ ସାହାଯ୍ୟରେ ତଳକୁ ଓହ୍ଲାଇ ଗୋଟିଏ ସୁନ୍ଦର ଉଆସ ଦେଖିଲି । ମୁଁ ଉଆସକୁ ଯାଇ ଏଣେ ତେଣେ ବୁଲି ଦେଖୁଛି, ଏମିତି ସମୟରେ ଜଣେ ଅତି ସୁନ୍ଦରୀ ସ୍ତ୍ରୀ ମୋ ପାଖକୁ ଆସି ମୋତେ ପଚାରିଲେ ‘‘ଯୁବକ, ତୁମେ କିଏ, ମଣିଷ ନା ଦୈତ୍ୟ ?’’ ମୁଁ ଉତ୍ତର ଦେଲି, ‘‘ମୁଁ ଦୈତ୍ୟ ନୁହେଁ, ମଣିଷ !’’

 

ଏକଥା ଶୁଣି ସୁନ୍ଦରୀ ସ୍ତ୍ରୀ ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ମୁଁ ପଚିଶ ବର୍ଷ ହେଲା ଏଠାରେ ବାସ କରୁଛି, ତଥାପି ଏଥି ଭିତରେ ଜଣେ ହେଲେ ମଣିଷ ମୋ ଆଖିରେ ପଡ଼ିନି । ତୁମେ କେମିତି ଏଠାକୁ ଅଇଲ କୁହ ।’’ ମୁଁ ମୂଳରୁ ଶେଷଯାଏ ସବୁ କଥା ଗୋଟି ଗୋଟି କରି କହିଗଲି ଏବଂ କେମିତି ସେହି ଉଆସକୁ ଆସିଲି ଜଣାଇଲି ।

 

ସ୍ତ୍ରୀ ଲୋକଟି ଦୀର୍ଘଶ୍ୱାସ ପକାଇ କହିଲେ, ‘‘ମୁଁ ବି ମୋ କଥା କହୁଛି ଶୁଣ । ତୁମେ ଶୁଣିଥିବ, ଏବନି ଉପଦ୍ୱୀପରେ ଏପିଟେ ମାରସ୍‌ନାମରେ ଜଣେ ରାଜା ଥିଲେ । ମୁଁ ତାଙ୍କ ଝିଅ । ମୋ ବାପା ଆମ କୁଟୁମ୍ୱ ଭିତରୁ ଜଣଙ୍କ ସହିତ ମୋତେ ବିଭା ଦେଲେ । ବିଭାଘର ରାତିରେ ସମସ୍ତେ ମଉଜ ମଜଳିସରେ ମାତିଥିବାବେଳେ ଜଣେ ଦୈତ୍ୟ ମୋତେ ବେଦୀ ଉପରୁ ଶୂନ୍ୟେ ଶୂନ୍ୟେ ଉଡ଼େଇ ନେଇ ଆସିଲା । ମୁଁ ସେତେବେଳେ ବେହୋସ ହୋଇପଡ଼ିଥିଲି । ତେଣୁ ସେତେବେଳେ କଣ ହେଲା, କହି ପାରିବିନି । କିଛି ସମୟ ପରେ ମୋର ହୋସ ଆସିବାରୁ ମୁଁ ଦେଖିଲି, ଦୈତ୍ୟ ମୋତେ ଏଠାକୁ ଆସି ରାତିଟା ମୋ ସହିତ କଟାଏ, ହେଲେ ଗୋଟିଏ ରାତିରୁ ବେଶି ଏଠାରେ ରହେ ନି କାରଣ ତାର ଜଣେ ବିବାହିତା ସ୍ତ୍ରୀ ଅଛି । ଏଥିଭିତରେ ମୋର ଯେବେ ତାକୁ ଦେଖିବାଲାଗି ମନ ହୁଏ, ତେବେ ମୋର ଶୋଇବାଘର ଦ୍ୱାରରେ ଯେଉଁ ସ୍ପର୍ଶ ପଥର ଅଛି, ତାକୁ ଛୁଇଁ ଦେଲା ମାତ୍ରେ ସେ ଆସି ହାଜର ହୁଏ । ଚାରିଦିନ ହେଲା ଦୈତ୍ୟ ଆସିଥିଲା, ଏଇଲାଗେ ଆଉ ପାଞ୍ଚଦିନ ରହିବ, ତା’ହେଲେ ମୁଁ ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ତୁମ ମନ ଖୁସି କରାଇବି ।’’

 

ଯୁବତୀ ମୋ ପ୍ରତି ଯେ ଏତେ ଦୟା ଦେଖାଇବେ, ମୁଁ ଏହା ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ଏଣୁ କୃତାର୍ଥ ମନେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି । ଏଣୁ କୃତାର୍ଥ ମନେ କରି ମୁଁ ତାଙ୍କ କଥାରେ ରାଜି ହେଲି । ତା’ପରେ ସେ ସୁନ୍ଦରୀ ମୋତେ ଗାଧୋଇ ଦେଇ ଦାମିକା ପୋଷାକ ପିନ୍ଧେଇ ଦେଲେ । ଆମେ ଦିହେଁ ଏକ ସଙ୍ଗରେ ଖିଆପିଆ କଲୁ । ରାତିରେ ଆମେ ଦୁହେଁ ଗୋଟିଏ ବିଛଣାରେ ଶୋଇଲୁ । ତହିଁଆର ଦିନ ବଡ଼ି ଭୋରରୁ ମୁଁ ଉଠି ତାଙ୍କୁ କହିଲି, ‘‘ରାଜକୁମାରୀ, ତୁମେ ବହୁ ଦିନରୁ ସୂର୍ଯ୍ୟଙ୍କ ମୁହଁ ଦେଖିନ, ଆସ, ଆଜି ମୁଁ ତୁମକୁ ମାଟି ତଳୁ ବାହାର କରି ନେଇ ସୂର୍ଯ୍ୟଙ୍କୁ ଦେଖାଇ ଦେବି ।’’

 

ଏହା ଶୁଣି ରାଜକୁମାରୀ ଟିକିଏ ହସି ଦେଇ କହିଲେ, ‘‘ରାଜକୁମାର ସ୍ଥିର ହୁଅ । ଇଚ୍ଛା କରି କାହିଁକି ଅମଙ୍ଗଳକୁ ଡାକି ଆଣିବା ! ମୁଁ ଏଠାରେ ବେଶ ସୁଖରେ ଅଛି । ଦଶଦିନ ପରେ ମୁଁ ଦିନେ ଦୈତ୍ୟ ସହିତ କଟାଉଛି, ବାକୀ ନଅଦିନ ତୁମ ପାଖରେ ରହୁଛି ।’’ ମୁଁ କହିଲି, ‘‘ରାଜକୁମାରୀ, ତୁମେ ଦୈତ୍ୟକୁ ସିନା ଡରି ଏକଥା କହୁଛ, ହେଲେ ମୁଁ ତାକୁ ଟିକେ ହେଲେ ଡରୁନି-। ଦେଖ, ମୁଁ ଏ ପଥର ଭାଙ୍ଗି ଦେଉଛି, ତା’ହେଲେ ସେ ଆସିବ । ସେ ଆସିଲେ ମୁଁ ତାକୁ ହାଣି ପକାଇବି ।’’ ରାଜକୁମାରୀ ଜାଣିଥିଲେ ସ୍ପର୍ଶ ପଥର ଛୁଇଁଲେ ମହାବିପଦ ପଡ଼ିବ । ତେଣୁ ତାକୁ ନ ଛୁଇଁବା ଲାଗି ସେ ମୋତେ ଥରକୁ ଥର ମନା କଲେ ।

 

ମଦ ପିଇ ମୋ ବୁଦ୍ଧି ଲୋପ ପାଇଥିଲା । ଏଣୁ ମୁଁ ରାଜକୁମାରୀଙ୍କ ମନା ନ ମାନି ଖୁବ୍‌ ଜୋରରେ ପଥରକୁ ଗୋଇଠାଟାଏ ମାଇଲି । ସେହି କ୍ଷଣି ଚାରିଆଡେ ଅନ୍ଧାର ଘୋଟିଗଲା । ସେଇ ମୁହୂର୍ତ୍ତରେ ଘଡ଼ ଘଡ଼ି ପରି ଶବ୍ଦ ଶୁଣିବାକୁ ମିଳିଲା । ସମୁଦାୟ ଉଆସ ଯେପରି ଥରିଉଠିଲା-। ଜଣାଗଲା ଯେମିତି ତାହା ରସାତଳକୁ ଗଳି ପଡ଼ିବ । ଏପରି ଭୟାନକ ଘଟଣା ଦେଖି ମୁଁ ରାଜକୁମାରୀଙ୍କୁ ପଚାରିଲି ‘‘ରାଜକୁମାରୀ, ଏ କଣ ? ରାଜକୁମାରୀ କହିଲେ, ‘‘ସର୍ବନାଶ ଉପସ୍ଥିତ, ତୁମେ ଏଇ ଲାଗେ ପଳାଅ, ନ ହେଲେ ତୁମକୁ ଦୈତ୍ୟ ହାତରେ ପ୍ରାଣ ଦେବାକୁ ପଡ଼ିବ ।’’

 

ଏ କଥା ଶୁଣି ମୋର ହୋସ ହେଲା । ମୁଁ କାଳ ବିଳମ୍ୱ ନ କରି ସେଠାରୁ ପଳାଇଆସିଲି-। ହେଲେ ଭୟରେ ମୋ କୁରାଢ଼ି ଓ ରଶି ଆଣିବାକୁ ଭୁଲିଗଲି । ତାପରେ ପାହାଡ଼ ପାଖରୁ ଲେଉଟି ଆସି ଦେଖିଲି, ଚଟାଣ ହଠାତ୍‌ ଫାଟି ଦିଫାଳ ହୋଇଲା ଏବଂ ତାହା ଭିତରୁ ଗୋଟାଏ ଭୟଙ୍କର ଦୈତ୍ୟ ବାହାରିଆସିଲା । ସେ ମାଟିତଳୁ ବାହାରି ରାଗରେ ଜଳିଉଠି ରାଜକୁମାରୀଙ୍କୁ ଗର୍ଜନ କରି ପଚାରିଲା, ‘‘ତୋର କ’ଣ ହୋଇଛି ? ତୁ କାହିଁକି ମତେ ଅସମୟରେ ଡାକିଲୁ ?’’

 

ରାଜନନ୍ଦିନୀ କହିଲା, ‘‘ପ୍ରଭୁ, ମୋର ମନର ଅବସ୍ଥା ଭଲ ନ ଥିବାରୁ ମୁଁ ଅଳ୍ପ ମଦ ପିଇଥିଲି, ମୋତେ ନିଶା ଭାରି ଘାରିଲା, ତେଣୁ ପଥର ଉପରେ ପଡ଼ିଗଲି ।’’ ତାହା ଶୁଣି ଦୈତ୍ୟ କହିଲା ‘‘ମିଛୋଇ, ମତେ ପୁଣି ଠକିବୁ ? ତେବେ ଏ କୁରାଢ଼ି ଓ ରସି, କୁଆଡ଼ୁ ଆସିଲା ?’’ ରାଜକୁମାରୀ କହିଲେ, ‘‘ମୁଁ ତାହା କହି ପାରିବି ନି । ବୋଧହୁଏ ତୁମ ସାଙ୍ଗରେ ଉଡ଼ି ଆସିଥିବ, ତୁମେ ଜାଣି ପାରିନ ।’’ ଦୈତ୍ୟ ତାଙ୍କର ଏ କଥାରେ କୌଣସି ଉତ୍ତର ନ ଦେଇ ସତ କଥା ମାନିଯିବା ଲାଗି ତାଙ୍କୁ ନିର୍ଦ୍ଧୂମ ମାଡ଼ ଦେଲା । ରାଜକୁମାରୀଙ୍କ କାନ୍ଦଣା ମୁଁ ଆଉ ସହି ନ ପାରି ଡରି ଡରି ଦ୍ୱାର ବନ୍ଦ କରି ପଳାଇ ଆସିଲି ।

 

ମୁଁ ଖୁବ୍‌ଭୋର ଭୋର ଦରଜି ଘରେ ପହଞ୍ଚିଲାରୁ ଦରଜି ମୋତେ ଦେଖି ଭାରି ଖୁସି ହୋଇ କହିଲା, ‘‘ରାଜକୁମାର, ତୁମକୁ ନ ଦେଖି ବଡ଼ ଭାବନାରେ ପଡ଼ିଥିଲି । ଭାବିଲି ବନ୍ୟଜନ୍ତୁ ହୁଏତ ମାରି ପକାଇ ଅଛନ୍ତି ବା ତୁମେ ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଇଛ । ଯାହାହେଉ, ଏଇଲାଗେ ଈଶ୍ୱରଙ୍କ କୃପାରୁ ତୁମେ ନିରାପଦରେ ଫେରିଲ, ମୁଁ ନିଶ୍ଚିନ୍ତ ହେଲି ।’’ ଏହା ଶୁଣି ମୁଁ ଦରଜିକୁ ବହୁତ ଧନ୍ୟବାଦ ଦେଲି; କିନ୍ତୁ କୌଣସି କଥା ଫଟେଇ କହିଲି ନାହିଁ ।

 

ତା’ପରେ ମୁଁ ନିଜ ଘରକୁ ଗଲି ଓ ନିଜର ବୋକାମି ଯୋଗୁଁ ଯେଉଁ ଅମଙ୍ଗଳ ଘଟାଇଛି ତାହା ଚିନ୍ତାକରି ମୁଁ ନିଜକୁ ମନେ ମନେ ଗାଳି ଦେଉଛି, ଠିକ୍‌ ଏତିକିବେଳେ ଦରଜି ମୋ ପାଖକୁ ଆସି କହିଲା, ‘‘ଜଣେ ବୁଢ଼ା ବାହାରେ ତୁମକୁ ଅପେକ୍ଷା କରୁଛନ୍ତି । ସେ ତୁମ କୁରାଢ଼ି ଓ ରସି ବାଟରୁ ପାଇଛନ୍ତି । ଅତଏବ ତୁମେ ବାହାରକୁ ଯାଇ ତାଙ୍କୁ ଧନ୍ୟବାଦ ଦେଇ ନିଜ ଜିନିଷ ନେଇଆସ । ଏକଥା ଶୁଣିଲାକ୍ଷଣି ମୋ ପିଳେଇ ପାଣିହେଲା ଓ ଡରରେ ମୁଁ ବରଡ଼ା ପତ୍ରପରି ଥରିଲି । ଦେଖୁଁ ଦେଖୁଁ ମୋ କୋଠରୀ ଦ୍ୱାର ଆପଣାଛାଏଁ ଫିଟିଗଲା । କୁରାଢ଼ି ଓ ରସି ହାତରେ ଧରି ବୁଢ଼ା ଲୋକଟି ମୋ ସାମନାକୁ ଆସି କହିଲା, ‘‘ମୋ ହାତରେ ଯେଉଁ କୁରାଢ଼ି ଓ ରସି ଦେଖୁଛ, ଏହା ତୁମର କି ନା କୁହ ।’’

 

ମୋ ପାଟିରୁ କଥା ବାହାରିଲା ନି । ମୋ ଉତ୍ତରକୁ ଅପେକ୍ଷା ନକରି ମୋତେ ସେ ଶୂନ୍ୟେ ଶୂନ୍ୟେ ଉଡ଼େଇ ନେଇଗଲା ଏବଂ ଆଖି ପିଛୁଳାକେ ମୋତେ ନେଇ ତଳକୁ ଓହ୍ଲାଇ ପଡ଼ିଲା-। ସେ ଗୋଟାଏ ଗୋଇଠା ମାରିବାରୁ ମାଟି ଫାଟିଗଲା ଏବଂ ସେ ମୋତେ ନେଇ ପାତାଳ ପୁରୀରେ ପହଞ୍ଚିଲା । ସେଠାରେ ଦେଖିଲି, ରାଜକୁମାରୀ ଲଙ୍ଗଳା ମୁକୁଳା ହୋଇ ମଢ଼ପରି ପଡ଼ିଛନ୍ତି, ତାଙ୍କ ଦେହ ରକ୍ତରେ ଜୁଡ଼ବୁଡ଼ ଓ ନାକରୁ ସାମାନ୍ୟ ନିଃଶ୍ୱାସ ବାହାରୁଛି-। ଦୈତ୍ୟ ରାଜକୁମାରୀଙ୍କ ସାମନାକୁ ମୋତେ ନେଇଯାଇ ତାକୁ ପଚାରିଲା, ‘‘କହ ପାପିୟସୀ, ତୁ ୟା ସାଙ୍ଗରେ ରହୁଥିଲୁ କି ନା ?’’

 

ରାଜକୁମାରୀ ମୋ ଆଡ଼କୁ ଟିକେ ଅନାଇ ଦେଇ କ୍ଷୀଣ ସ୍ୱରରେ କହିଲେ, ‘ମୁଁ ଏହାକୁ ଚିହ୍ନେନି, କେବେ ବି ଦେଖିନି, ମୁଁ ଏଇଲାଗେ ପହିଲେ ଏହାକୁ ବେଖୁଛି ।’’ ଦୈତ୍ୟ କହିଲା, ‘‘କଣ ହେଲା ତୁ ଦେଖିବୁ ? ମାରି ମାରି ତୋତେ ଦରମରା କଲି, ତେବେ ବି ତୋ ପାଟିରୁ ସତ କଥା ବାହାରୁନି ।’’ ରାଜକୁମାରୀ କହିଲେ, ‘‘ଯାହାକୁ କେବେ ହେଲେ ଦେଖିନି, କଣ ବୋଲି ତା’ ନାଁରେ ଦୋଷଦେବି ! ତୁମର କଣ ଇଚ୍ଛା ଯେ, ମିଛକଥା କହି ଏ ବିଚାରାର ପ୍ରାଣନାଶର କାରଣ ହେବି ?’’ ଦୈତ୍ୟ ରାଜକୁମାରୀ ହାତରେ ଖଣ୍ଡାଟିଏ ଧରାଇ ଦେଇ କହିଲା, ‘‘ଯେବେ ତୁ ଏହାକୁ ନ ଚିହ୍ନୁ, ତେବେ ଖଣ୍ଡାରେ ଏକୁ ହାଣି ଦିଗଡ଼ କରି ଦେ ।’’ ରାଜକୁମାରୀ ଉତ୍ତର ଦେଇ କହିଲେ—‘‘ମୁଁ କେମିତି ଏକୁ ହାଣି ଦିଗଡ଼ କରିବି ! ମୋର ଉଠିବାର ବଳ ନାହିଁ, ଉଠିବାକୁ ବଳ ଥିଲେ ବି ନିର୍ଦ୍ଦୋଷକୁ କିପରି ମାରିବି !’’

 

ରାଜକୁମାରୀ ମୁହଁରୁ ଏ କଥା ଶୁଣି ଦୈତ୍ୟ କହିଲା—‘‘ତୁ ଯେ ବ୍ୟଭିଚାରିଣୀ, ଏଥିରେ ଟିକେ ହେଲେ ସନ୍ଦେହ ନାହିଁ । ତା’ ପରେ ସେ ମୋତେ ପଚାରିଲା, ‘‘ତୁ କଣ ଏ ଦୁଷ୍ଟକୁ ଜାଣୁନା-?’’ ମୁଁ କହିଲି, ‘‘ଯିଏ ମୋତେ କେବେ ହେଲେ ଦେଖିନି ମୁଁ ତାକୁ କେମିତି ଜାଣିବି-?’’ ଦୈତ୍ୟ କହିଲା ‘‘ଯେବେ ତୁ ଏହାକୁ କେବେ ହେଲେ ଦେଖିନୁ ତେବେ ଏଇ ଖଣ୍ଡାରେ ତାକୁ ହାଣି ପକା, ତା’ ହେଲେ ତୁ ନିର୍ଦ୍ଦୋଷ ବୋଲି କ୍ଷମା ଦେବି ।’’ ମୁଁ କହିଲି, ‘‘ଆଚ୍ଛା ତାହା କରୁଛି ।’’ ଏହା କହି ମୁଁ ଖଣ୍ଡା ଧରି ରାଜକୁମାରୀ ଆଡ଼କୁ ଆଗେଇଗଲି । ରାଜକୁମାରୀ ମୋ ଆଡ଼କୁ ଆଖିଠାରି ଜଣାଇଦେଲେ ଯେ—‘‘ମୋତେ ମାରି ଯେବେ ତୁମେ ବଞ୍ଚିଯିବ, ତେବେ ମାରିବାଲାଗି ପଛାଅନି-।’’

 

ହେଲେ ରାଜକୁମାରୀଙ୍କୁ ମାରିବା ମୋର ଉଦ୍ଦେଶ୍ୟ ନଥିଲା, ଏଣୁ ହାଣିବା ବାହାନା କରି ଖଣ୍ଡାକୁ ମାଟି ଉପରେ ଫିଙ୍ଗି ଦେଇ ମୁଁ ଦୈତ୍ୟକୁ କହିଲି, ‘‘ଦୈତ୍ୟରାଜ ଏଇ ନିରପରାଧିନୀ ସ୍ତ୍ରୀଲୋକକୁ ମାରି ମୁଁ ପାପ ଅର୍ଜନ କରିବିନି । ସ୍ତ୍ରୀ ହତ୍ୟା ମହାପାପ । ମୁଁ ଏଇଲାଗେ ତୁମ ହାତରେ ଏଇ ଖଣ୍ଡାଟି ସମର୍ପଣ କରୁଛି, ମନ ହେଉଛି ତ ମୋତେ ମାରିଦିଅ ।’’ ଦୈତ୍ୟ କହିଲା—‘‘ତୁମ ଦିହିଙ୍କ ପ୍ରେମ ମୁଁ ବେଶ୍‌ ବୁଝିପାରିଛି, ସେଥିଲାଗି କେହି କାହାକୁ ହାଣି ପାରୁ ନ । ମୁଁ କଣ ତୁମ ଦି’ଜଣଙ୍କୁ ସହଜରେ ଛାଡ଼ୁଛି । ତୁମେ ଦିହେଁ ପ୍ରତିଫଳ ନିଶ୍ଚୟ ପାଇବ ।’’

 

ଏହା କହି ଦୈତ୍ୟ ମାଟି ଉପରୁ ଖଣ୍ଡା ଉଠାଇ ଆଣି ରାଜକୁମାରୀଙ୍କ ପାଖକୁ ଯାଇ ତାଙ୍କ ଗୋଟିଏ ହାତ ହାଣି ପକାଇଲା । ରାଜକୁମାରୀ ଅନ୍ୟ ହାତରେ ଇଙ୍ଗିତ ଦେଇ ମୋଠାରୁ ଶେଷ ବିଦାୟ ଦେଇ ପ୍ରାଣ ତ୍ୟାଗ କଲେ । ଏ ଘଟଣା ଦେଖି ମୁଁ କାଠ ପାଲଟିଗଲି । ପ୍ରତି ମୁହୂର୍ତ୍ତରେ ମୁଁ ମରଣର ବାଟକୁ ଅନାଇ ବସିଥିଲି । ତା ପରେ ଦୈତ୍ୟ ମୋ ଆଡକୁ ଅନାଇ କହିଲା-‘‘ଦେଖିଲୁ, ସ୍ତ୍ରୀ ଲୋକଙ୍କ ସତୀତ୍ୱରେ ସନ୍ଦେହ ହେଲେ ଆମେ ତାଙ୍କୁ କେମିତି ଶାସ୍ତି ଦେଉଁ । ଆମ ଶାସ୍ରରେ ବ୍ୟଭିଚାରିଣୀ ସ୍ତ୍ରୀ ବଧରେ ପାପ ନାହିଁ । ସେ ଯାହାହେଉ, ଏବେ ତୋ ବିଷୟରେ କଣ କରିବି କହ । ତୁ ସତରେ ଦୋଷୀ କି ନା ମୁଁ ତାହା ଠିକ୍‍ କରି ପାରୁନି, ହେଲେ ତୁ ଧୁଆମୂଳା ପରି ବୋଧ ହେଉନୁ । ଏଥିପାଇଁ ତୋତେ କିଛି ଦଣ୍ଡ ଦେବି । ତୁ ଆଉ ମଣିଷ ଦେହଧରି ରହିବୁନି, ତୁ କୁକୁର, ବଣ ମଣିଷ ବା ପକ୍ଷୀ, ଯାହା ଦେବାକୁ ଇଚ୍ଛା କରୁଛୁ କହ, ମୁଁ ତୋତେ ସେହିରୂପ ଦେଇଦେବି ।’’

 

ମୁଁ ଗୁହାରି କରି କହିଲି—‘‘ଦୈତ୍ୟରାଜ, କ୍ରୋଧ ସମ୍ଭାଳି ନିଅ । ଯେବେ ଦୟାକରି ମୋତେ ପ୍ରାଣଦାନ କଲ, ତେବେ ମୋ ଆଡ଼କୁ ନିଗ୍ରହ କାହିଁଙ୍କି ଦେଖାଉଛ ? ମୋତେ ଛାଡିଦ଼ିଅ । ମୁଁ ସବୁଦିନ ଲାଗି ତୁମ ଅନୁଗ୍ରହ ମନେ ପକାଇବ । ଦେଖନ୍ତୁ, ଜଣେ ସାଧୁ ଯେମିତି ପରଶ୍ରୀକାତରକୁ କ୍ଷମା ଦେଇଥିଲେ, ତୁମେ ସେହିପରି ମୋତେ କ୍ଷମାଦେଇ ଈଶ୍ୱରଙ୍କ ଅନୁଗ୍ରହ ଲଭକର ।’’ ଦୈତ୍ୟ କହିଲା, ‘‘ସେ କି ଗପ ?’’ ମୁଁ କହିଲି ‘‘ତେବେ ଶୁଣନ୍ତୁ ।’’

Image

 

ସାଧୁ ଓ ପରଶ୍ରୀକାତର ଲୋକ

 

କୌଣସି ଏକ ନଅରରେ ଦୁଇଜଣ ଲୋକ ଲଗାଲଗି ଘର କରି ବାସ କରୁଥିଲେ । ସେମାନଙ୍କ ଭିତରୁ ଜଣେ ସାଧୁ ଓ ଅନ୍ୟ ଜଣକ ପରଶ୍ରୀକାତର । ପରଶ୍ରୀକାତର ଲୋକ ସାଧୁଲୋକର ଶ୍ରୀ ଦେଖି ପାରୁ ନଥିବାରୁ ସାଧୁ ଲୋକଟି ବ୍ୟଥିତ ଓ ବିରକ୍ତ ହୋଇ ଘରବାଡ଼ି ବିକିଦେଇ ରାଜଧାନୀର ସୀମାରେ ଖଣ୍ଡିଏ ଭଲଘର କରି ରହିଲେ । ସେହି ଘରର ଅଗଣାଟି ଖୁବ୍‌ ବଡ଼ ଥିଲା ଏବଂ ଅଗଣା ପାଖରେ ଗୋଟିଏ ଗହିଡ଼ା କୁଅ ଥିଲା ।

 

ସାଧୁ ଲୋକଟି ଖୁବ୍‌ ଶାନ୍ତିରେ ସେଠାରେ ଜୀବନ ଯାପନ କଲେ । ସଂସାରର ମୋହ ତାଙ୍କୁ ଘାରି ନ ଥିଲା ଏବଂ ସେ ଫକୀର ପରି ସେଠାରେ ଚଳୁଥିଲେ । ସେ ତାଙ୍କ ଘର ପାଖରେ କେତେଗୁଡିଏ ପତ୍ରକୁଡିଆ ତିଆରି କରାଇଲେ । ଅନେକ ଫକୀର ଆସି ପତ୍ର କୁଡିଆରେ ରହିଲେ-। ସାଧୁ ଲୋକଟି ସେମାନଙ୍କ ସାଙ୍ଗେ ଅନବରତ ଧର୍ମ ସମ୍ୱନ୍ଧରେ ଆଲୋଚନା କରୁଥିଲେ-। ଅଳ୍ପଦିନ ଭିତରେ ତାଙ୍କ ଯଶ ଚାରିଆଡେ ବ୍ୟାପିଲା । ନିଅରର ବଡ଼ ବଡ଼ ଲୋକମାନେ ଦଳ ଦଳ ହୋଇ ତାଙ୍କୁ ଦେଖିବାଲାଗି ଆସୁଥିଲେ ।

 

କ୍ରମେ କ୍ରମେ ତାଙ୍କ ଯଶକଥା ତାଙ୍କ ପୂର୍ବ ପଡ଼ୋଶୀ ପରଶ୍ରୀକାତର ଲୋକର କାନରେ ପଡ଼ିଲା । ତା’ର ହିଂସା ଦିନକୁ ଦିନ ବଢ଼ିଲା । ସେ ସାଧୁ ଲୋକଟିର କେମିତି ଅନିଷ୍ଟ କରିବ ଏଥିପାଇଁ ଉପାୟ ପାଞ୍ଚିଲା । ଦିଦେ ସେ ଗୋଟାଏ ମତଲବ ଆଣ୍ଟି ସାଧୁଲୋକ ପାଖରେ ପହଞ୍ଚିଲା-। ସାଧୁ ଲୋକଙ୍କର ତ ମନ ନିର୍ମଳ । ସେ ତାଙ୍କୁ ଦେଖି ଖୁବ୍‌ଖୁସିହେଲେ ଓ ଭଲମନ୍ଦ ପଚାରିଲେ-। ତାଙ୍କର ଧାରଣା ଥିଲା, ନିଜେ ଭଲ ତ ଦୁନିଆ ଭଲ । କିନ୍ତୁ ଦୁନିଆର ସବୁ ଲୋକ ବା କେମିତି ସାଧୁ ହେବେ ?

 

ପରଶ୍ରୀକାତର ଲୋକଟି ସାଧୁ ଲୋକଙ୍କୁ କହିଲା—ମହାଶୟ, ଆପଣଙ୍କ ସାଙ୍ଗରେ ମୋର ଗୁପ୍‌ଚୁପ୍‌,କଥା ଅଛି । ଆପଣ ଅନୁଗ୍ରହ କରି ଫକୀରମାନଙ୍କ ଏଠାରୁ ବିଦା କରିଦିଅନ୍ତୁ । ସାଧୁ ଲୋକଟି ତାଙ୍କର ଏକଥା ଶୁଣି ଫକୀରମାନଙ୍କୁ ବିଦା କରିଦେଲେ । ତା’ପରେ ସେ ଦୁହେଁ ଅଗଣାରେ ଟହଲୁ ଟହଲୁ କଥା ଭାଷା କଲେ । ସାଧୁ ଲୋକଟି ଟହଲୁ ଟହଲୁ ଟହଲୁ କୂଅ ପାଖରେ ପହଞ୍ଚିବାରୁ ପରଶ୍ରୀକାତର ଲୋକଟି ସାଧୁ ଲୋକଟିକୁ କୂଅ ଭିତରକୁ ଠେକିଲାବେଳେ କେହି ତାକୁ ଦେଖି ନ ଥିଲେ । ସେ ତା’ର ପୂର୍ବ ପଡ଼େଶୀକୁ ମାରି ପକାଇଛି ଭାବି ମନେ ମନେ ବଡ଼ ଖୁସି ହୋଇ ତା’ ଘରକୁ ଲେଉଟିଗଲା ।

 

ସେହି କୂଅ ଭିତରେ କେତେଗୁଡ଼ିଏ ପରୀ ଓ ଦୈତ୍ୟ ବାସ କରୁଥିଲେ । ସାଧୁ ଲୋକଟିକୁ କୂଅରେ ପଡ଼ିବାର ଦେଖି ସେମାନେ ତାଙ୍କୁ ଧରି ନେଇ କୂଅତଳେ ବସାଇ ଦେଲେ । ଅଳ୍ପ ସମୟ ପରେ ସାଧୁ ଲୋକଟି କୂଅ ଭିତରେ ରହି ତାଙ୍କରି କଥା କହୁଥିବା ଦୁଇଜଣଙ୍କ କଥା ଶୁଣିଲେ । ଜଣେ କହିଲା ତୁମେ ଏହି ମହାପୁରୁଷଙ୍କୁ ଜାଣ ?’’ ଅନ୍ୟ ଜଣକ କହିଲା, ‘‘ନା ମୁଁ ତାଙ୍କୁ ଜାଣିନି ।’’ ତାହା ଶୁଣି ପ୍ରଥମ ଲୋକଟି କହିଲା, ‘‘ଏହି ସାଧୁ ଲୋକଟି ତାଙ୍କ ପଡ଼ୋଶୀଙ୍କ ଅନ୍ୟାୟ ଆଚରଣରେ ବିରକ୍ତ ହୋଇ ଏଠାକୁ ପଳାଇ ଆସିଛନ୍ତି । ଏଠାରେ ତାଙ୍କ ଖ୍ୟାତି ବ୍ୟାପିବାରୁ ସେହି ପରଶ୍ରୀକାତର ପଡ଼ୋଶୀଟି ହିଂସା ବିଷରେ ଘାରି ହୋଇ ଏଠାକୁ ଆସି ତାଙ୍କୁ କୂଅ ଭିତରକୁ ଠେଲି ଦେଇଛି ।’’

 

‘‘ଆମେ ଏଠାରେ ନ ଥିଲେ ସେ କୂଅରେ ପଡ଼ି ନିଶ୍ଚୟ ମରି ଥାଆନ୍ତେ । ଏହି ନଅରର ସୁଲତାନ ତାଙ୍କ ସୁଖ୍ୟାତି ଶୁଣି ଆସନ୍ତା କାଲି ନିଜ ଝିଅର ରୋଗ ଭଲ କରାଇବା ଲାଗି ସାଧୁଲୋକଙ୍କ ପାଖକୁ ଆସିବେ ।’’ ଆର ଜଣକ, ପଚାରିଲା, ‘‘ସୁଲତାନଙ୍କ ଝିଅର କି ରୋଗ ହୋଇଛି ?’’ ପ୍ରଥମ ଲୋକଟି କହିଲା—‘‘ତୁମେ କଣ ଜାଣିନ, ଡିମଡିମ ଦୈତ୍ୟର ପୁଅ ମୈମୁନ ସୁଲତାନଙ୍କ ଝିଅର ରୂପ ଲାବଣ୍ୟରେ ମୁଗ୍‌ଧ ହୋଇ ତାଙ୍କୁ ଆଶ୍ରା କରିଛି । ଏହି ସାଧୁ ଲୋକଟି ରାଜକନ୍ୟାକୁ ସହଜରେ ଭଲକରି ପାରିବେ ।’’

 

ଆର ଲୋକଟି ପଚାରିଲା ‘‘କି ଉପାୟରେ ସେ ରାଜକନ୍ୟାକୁ ଭଲ କରିବେ ?’’ ପ୍ରଥମ ଲୋକଟି କହିଲା, ‘‘ଏହି ସାଧୁ ଲୋକଙ୍କ ଘରେ ଗୋଟିଏ କାଳିଆ ବିରାଡି ଅଛି । ଏଇ ବିରାଡିର ଲାଞ୍ଜର ଅଗରେ ସୁନା ରୂପା ଟଙ୍କା ଆକାରରେ ଗୋଟିଏ ଧଳା ଚିହ୍ନ ଅଛି । ସେହି ଧଳା ଚିହ୍ନରୁ ସାତୋଟି ରୁମ୍‍ ନେଇ ଏଥିରେ ନିଆଁ ଲଗାଇ ରୁମର ଧୂଆଁକୁ ସୁଲତାନଙ୍କ ଝିଅର ନାକରେ ଶୁଘାଂଇଲେ ମୈମୁନ ଦୈତ୍ୟ ଛାଡ଼ି ପଳାଇବ ଏବଂ ସେ ଭଲ ହୋଇଯିବେ ।’’

 

ଏଆଡେ ଆଶ୍ରମର ଫକୀରମାନେ ସାଧୁ ଲୋକଟିକୁ ନ ଦେଖି ବ୍ୟସ୍ତ ହୋଇ ଖୋଜିଲାବେଳେ ସେ କୂଅ ଭିତରୁ ବାହାରିବାର ଦେଖି ସେମାନେ ଆଶ୍ଚର୍ଯ୍ୟ ହେଲେ । ଦୈତ୍ୟ ଓ ପରୀମାନଙ୍କ କଥା ଭାଷା ଛଡା ଅନ୍ୟ ସମସ୍ତ ବିଷୟ ସେ ସେମାନଙ୍କୁ କହିଲେ । ତା’ ପରେ ସେ କାଳିଆ ବିରାଡିର ଲାଞ୍ଜ ଅଗରୁ ସାତକେରା ରୁମ୍‌ନେଇ ଲୁଗା କାନିରେ ଗଣ୍ଠି ପକାଇ ରଖିଲେ ।

 

ସୂର୍ଯ୍ୟ ଉଇଁବା ପରେ ସୁଲତାନ ଉଜିରମାନଙ୍କୁ ସାଙ୍ଗରେ ଧରି ସାଧୁଙ୍କ ଆଶ୍ରମକୁ ଆସିଲେ । ସାଧୁ ସୁଲତାନଙ୍କୁ ଦେଖିଲାମାତ୍ରେ କହିଲେ ‘‘ମହାରାଜ, ଆପଣ ରାଜକନ୍ୟାଙ୍କ ସ୍ୱାସ୍ଥ୍ୟ କାମନାରେ ଏଠାକୁ ଆସିଛନ୍ତି ତ ?’’ ସୁଲତାନ କିଛି କହିବା ପୂର୍ବରୁ ସାଧୁ ତାଙ୍କ ମନୋଭାବ ବ୍ୟକ୍ତ କରିବାର ଦେଖି ସେ ଚମକିପଡ଼ି କହିଲେ ‘‘ଆଜ୍ଞା ହଁ, ମୁଁ ସେଥିପାଇଁ ଆସିଛି ।’’ ସାଧୁ କହିଲେ ‘‘ମହାରାଜ, ରାଜକନ୍ୟାଙ୍କୁ ଏହି ଆଶ୍ରମକୁ ଆଣିବା ଲାଗି ଲୋକ ପଠାନ୍ତୁ । ଭଗବାନଙ୍କ ଦୟାରୁ ମୁଁ ତାଙ୍କ ରୋଗ ଭଲ କରି ପାରିବି ବୋଲି ଭରସା ଦେଉଛି ।’’ ସୁଲତାନ ସାଧୁଙ୍କ କଥା ଶୁଣି ରାଜକନ୍ୟାକୁ ଆଣିବା ଲାଗ ଲୋକ ପଠାଇଲେ ।

 

ରାଜକନ୍ୟା ସେଠାରେ ପହଞ୍ଚିବାରୁ ସାଧୁ ସାତକେରା କଳା ବିରାଡ଼ିର ରୁମରେ ନିଆଁ ଲଗାଇ ରାଜକନ୍ୟାଙ୍କୁ ଶୁଘାଂଇଦେଲେ । ମୈମୁନ ସେହି ଧୂଆଁ ଗନ୍ଧରେ ଛାଟି ପିଟି ହୋଇ ରାଜକନ୍ୟାକୁ ଛାଡ଼ି ପଳାଇଗଲା ଏବଂ ରାଜକନ୍ୟା ପୂରାପୂରି ଭଲ ହେଲେ । ଝିଅ ଭଲ ହୋଇଯିବାରୁ ସୁଲତାନ ଆନନ୍ଦରେ ଆତ୍ମହରା ହୋଇ ସାଧୁଙ୍କ ସହିତ ତାଙ୍କ ଝିଅକୁ ବିଭା ଦେଲେ । କିଛିକାଳ ପରେ ସୁଲତାନ ମୃତ୍ୟୁ ମୁଖରେ ପଡ଼ିଲେ । ଏଣୁ ତାଙ୍କ ଜୋଇଁ ସାଧୁ ଲୋକଟି ରାଜଗାଦି ପାଇଲେ ।

 

ଦିନେ ନୂତନ ରାଜା ଘୋଡ଼ାରେ ଚଢ଼ି ବୁଲୁଥିବାବେଳେ ସେ ସେହି ପରଶ୍ରୀକାତର ପଡ଼ୋଶୀକୁ ଦେଖିଲେ । ସେ ତାଙ୍କୁ ଆଦର କରି ଉଆସିକୁ ଡାକିଆଣି ଦାମିକା ପୋଷାକ, ଧନରତ୍ନ ଦେଇ ତା ଘରକୁ ପଠାଇଦେଲେ ।

 

ହେ ଦୈତ୍ୟରାଜ ! ପରଶ୍ରୀକାତର ଲୋକଟା ସାଧୁଙ୍କୁ ବରାବର ହିଂସା କଲେ ହେଁ ସାଧୁ ତାକୁ କିପରି କ୍ଷମା ଦେଲେ ଶୁଣିଲ । ତୁମେ ବି ସେପରି ମୋ ଦୋଷ କ୍ଷମା କଲେ ତୁମ ମହତ୍ତ୍ୱ ବଢିବ ।

 

ଦ୍ୱିତୀୟ ଫକୀର କହିଲେ—‘‘ମାଆ, ମୁଁ ଭାବିଥିଲି ଦୈତ୍ୟ ମୋ ଗପ ଶୁଣି ମୋତେ ଛାଡିଦେବ । ତା’ ହୃଦୟ ତ ଲୁହାଠୁ ଟାଣ, ମୋ ଗପ ଶୁଣି ତା’ ହୃଦୟ କାହିଁକି ତରଳିବ ? ସେ ମୋ ଗପ ଶୁଣି କହିଲା, ‘‘ତୋ ବାକ୍‌ଚାତୁରୀରେ ମୁଁ ଭୁଲିବା ଲୋକ ନୁହେଁ । ମୁଁ ନିଶ୍ଚୟ ତୋତେ ପଶୁ କରି ଛାଡ଼ିବି । ଏହା କହି ସେ ମୋତେ ନେଇ ପାତାଳ ପୁରୀରୁ ବାହାରିଲା ଏବଂ ମୋତେ ଶୂନ୍ୟେ ଶୂନ୍ୟେ ଉଡ଼େଇ ଗୋଟିଏ ପର୍ବତ ଉପରେ ଓହ୍ଲେଇଲା । ତା’ ପରେ ମନ୍ତ୍ରପଢ଼ି ମୁଠାଏ ଧୂଳି ମୋ ଉପରେ ଫିଙ୍ଗି ଦେଇ କହିଲା, ‘‘ତୁ ମଣିଷ ଦେହ ଛାଡ଼ି ବଣ ମଣିଷ ଦେହ ଧର ।’’ ମୁଁ ସାଙ୍ଗେ ସାଙ୍ଗେ ବଣ ମଣିଷ ହୋଇଗଲି ।

 

ଦୈତ୍ୟ ମୋତେ ବଣ ମଣିଷ କରିଦେଇ ସେଠାରୁ ଉଭେଇ ଗଲା । ମୁଁ ମୋର ଦେହକୁ ଅନାଇ କିଛି ସମୟ କାନ୍ଦିଲି ଏବଂ ମନକୁ ବୋଧବାଧ ଦେଇ କହିଲି, ଏ ସବୁ ମୋର ଅଦୃଷ୍ଟର ଦୋଷ । ପର୍ବତ ଉପରୁ ତଳକୁ ଓହ୍ଲାଇ ଆସି ମାସେ କାଳ ଏଣେ ତେଣେ ବୁଲି ଶେଷରେ ସମୁଦ୍ର କୂଳରେ ଆସି ଉପସ୍ଥିତ ହେଲି । ଭଗବାନଙ୍କ କୃପାରୁ ଅଳ୍ପ ସମୟ ଭିତରେ ଗୋଟିଏ ବୋଇତ ମୋ ଆଖିରେ ପଡ଼ିଲା ଏବଂ ମୋ ମନରେ ଆଶାର ସଞ୍ଚାର ହେଲା । ମୁଁ ଅତି ଖୁସି ହୋଇ ଗୋଟିଏ ଗଛର ଡାଳ ଭାଙ୍ଗି ତାକୁ ସମୁଦ୍ର ପାଣିରେ ଭସାଇ ଡାଳ ଉପରେ ବସିଲି ଏବଂ ଖଣ୍ଡିଏ ବାଡ଼ିରେ ଆହୁଲା ମାରି ବୋଇତ ଆଡ଼କୁ ଚାଲିଲି । ମୁଁ ବୋଇତ ପାଖରେ ପହଞ୍ଚିବାରୁ ବୋଇତର ନାଉରୀ ଓ ଯାତ୍ରୀମାନେ କୌତୁକ ଦେଖିବା ଲାଗି ବୋଇତ ଉପରେ ଧାଡ଼ିବାନ୍ଧି ଠିଆ ହୋଇଗଲେ ।

 

ମୁଁ ବୋଇତ ପାଖକୁ ଯାଇ ଖଣ୍ଡିଏ ରସି ଧରି ବୋଇତ ଉପରକୁ ଉଠିଲି । ବୋଇତର ଲୋକେ ସେହିକ୍ଷଣି ମାର ମାର ଶବ୍ଦ କରି ଉଠିଲେ । ହଠାତ୍‌ ଏମିତି ବିପଦ ପଡ଼ିବାର ଦେଖି ମୁଁ ବୋଇତ ମାଲିକଙ୍କର ଶରଣ ପଶିଲି ଏବଂ ହାତଯୋଡ଼ି ସେମାନଙ୍କ ସାମନାରେ ଠିଆ ହୋଇ ମୋ ପ୍ରାଣ ବଞ୍ଚାଇବା ଲାଗି ଠାରିଲି । ମୋ କାତରତା ଦେଖି ମାଲିକଙ୍କ ହୃଦୟ ଦୟାରେ ତରଳିଗଲା । ସେ ଯାତ୍ରୀମାନଙ୍କୁ କହିଲେ—‘‘ବଣିକମାନେ, ଦେଖଏଇ ବଣମଣିଷ ମୋର ଶରଣ ନେଇଛି, କେହି ୟା ଦେହରେ ହାତ ଦେଇ ପାରିବ ନି, ମୋ ଆଦେଶକୁ ବେଖାତିର କଲେ ଦଣ୍ଡ ଭୋଗିବ ।’’ ଏହାଶୁଣି ସେମାନେ ଜୋକ ମୁହଁରେ ଲୁଣ ଦେଲାପରି ହୋଇ ରହିଲେ । ବୋଇତର ମାଲିକ ମୋ ପ୍ରତି ବିଶେଷ ସ୍ନେହ ଦେଖାଇଲେ । ମୁଁ ବି ଚାକର ପରି ତାଙ୍କ ହୁକୁମ ତାମିଲ କରୁଥିଲି ।

 

କିଛିଦିନ ପରେ ସେହି ବୋଇତଟି ଗୋଟିଏ ସମୃଦ୍ଧିଶାଳୀ ନଅର ପାଖରେ ପହଞ୍ଚିଲା । ମାଲିକ ବନ୍ଦରରେ ନଙ୍ଗର ପକାଇଲେ । ଅଳ୍ପ ସମୟ ପରେ କେତେଜଣ ରାଜକର୍ମଚାରୀ ବୋଇତ ଉପରକୁ ଆସି ବଣିକମାନଙ୍କୁ ସାଦର ସମ୍ଭାଷଣ ଜଣାଇ କହିଲେ—‘‘ଏଇଲାଗେ ଆମ ରାଜ୍ୟର ଉଜିର ମରି ଯାଇଛନ୍ତି । ତାଙ୍କୁ ରାଜନୀତି ବେଶ୍‌ ମାଲୁମ ଥିଲା, ବିଶେଷତଃ ସେ ଲେଖାଲେଖିରେ ଖୁବ୍‌ ପାରଙ୍ଗମ ଥିଲେ । ରାଜ ଘୋଷଣା କରିଛନ୍ତି, ମଲା ଉଜୀରଙ୍କ ପରି ସୁଲେଖକ ଛଡ଼ା ଅନ୍ୟ କାହାରିକୁ ସେ ପଦରେ ନିଯୁକ୍ତ କରିବେ ନି । ତେଣୁ ଆମେ ଖଣ୍ଡିଏ କାଗଜ ଆଣିଛୁ, ଆପଣମାନେ ପ୍ରତ୍ୟେକ ଦୁଇ ଚାରି ଧାଡ଼ି ଲେଖି ଦିଅନ୍ତୁ, ଆମେ ଏ କାଗଜ ଖଣ୍ଡିକ ମହାରାଜଙ୍କୁ ଦେଖାଇବୁ ।’’

 

ରାଜ କର୍ମଚାରୀମାନେ ଏପରି କହିବାରୁ ଉଜିର ପଦପ୍ରାର୍ଥୀ ବଣିକମାନେ ନିଜ ନିଜ କ୍ଷମତା ମୁତାବକ ନିଜ ଲେଖାର ବାହାଦୁରି କଲମ ମୁନରେ ଫୁଟାଇଲେ । ତା ପରେ ମୁଁ ରାଜକର୍ମଚାରୀଙ୍କ ହାତରୁ କାଗଜ ଖଣ୍ଡିକ ଟାଣିନେଇ ଲେଖିବାକୁ ଗଲାବେଳେ ସମସ୍ତେ ଅବାକ୍‌ହୋଇ ମୋ ଆଡକୁ ଅନାଇଲେ । ବଣ ମଣିଷ ଲେଖି ଜାଣିବ ନି ଭାବି କେହି କେହି କାଗଜଟିକୁ କାଢି ନେବାରୁ ଉଦ୍ୟତ ହେଲେ । ହେଲେ ବୋଇତର ମାଲିକ ସମସ୍ତଙ୍କୁ କହିଲେ, ଯେବେ ଏ ଲେଖିପାରେ ଲେଖୁ, କେହି କିଛି କହନି । ଯେବେ ସେ କାଗଜ ନଷ୍ଟ କରିବ ତେବେ ମୁଁ ତା ମୁଣ୍ଡ ଫଟେଇ ଦେବି ।’’ ମୁଁ ରାଜାଙ୍କ ଗୁଣ ବର୍ଣ୍ଣନ କରି ଛଅଟି ଭାଷାରେ ଛଅଟି କବିତା ଲେଖିଲି-। ମୋର ହସ୍ତାକ୍ଷର ଓ ରଚନା ନୈପୁଣ୍ୟ ଦେଖି ସମସ୍ତେ ଚମତ୍କୃତ ହେଲେ । ରାଜକର୍ମଚାରୀମାନେ ସେହି କାଗଜ ଖଣ୍ଡିକ ଧରି ରାଜାଙ୍କ ପାଖକୁ ଗଲେ ।

 

ରାଜା କାଗଜ ଖଣ୍ଡିକ ଦେଖିଲେ, କାହାରି ହସ୍ତାକ୍ଷର ମନୋନୀତ ହେଲାନି, ମୋର ହସ୍ତାକ୍ଷର ଦେଖି ଖୁସିହୋଇ କର୍ମଚାରୀମାନଙ୍କୁ ଆଦେଶ ଦେଲେ, ଯାଅ ଏଇ ଛଅଟି କବିତା ଲେଖକକୁ ବହୁମୂଲ୍ୟ ପୋଷାକ ପିନ୍ଧାଇ ଘୋଡ଼ା ପିଠିରେ ବସାଇ ମୋ ପାଖକୁ ନେଇଆସ । ରାଜକର୍ମଚାରୀମାନେ ଏହା ଶୁଣି ଟିକିଏ ହସି କହିଲେ-‘‘ମହାରାଜ, ଏଇ ହସ୍ତାକ୍ଷର ମଣିଷର ନୁହେଁ, ଜଣେ ବଣମଣିଷ ଲେଖିଅଛି ।’’ ରାଜା କହିଲେ-‘‘କଅଣ, ବଣମଣିଷ ଏପରି ସୁନ୍ଦର କବିତା ଲେଖିଛି, ହଉ ସେଥିରେ କିଛି ଯାଏ ଆସେ ନା, ମୋର ଆଦେଶ ମୁତାବକ ସେହି ବଣମଣିଷକୁ ଏଠାକୁ ନେଇଆସ । ସେ କିପରି ବଣମଣିଷ ମୁଁ ତାହାକୁ ଦେଖିବି ।’’ ରାଜାଙ୍କ ଅନୁମତି ପାଇ କର୍ମଚାରୀମାନେ ବୋଇତରେ ଆସି ହାଜର ହେଲେ ଏବଂ ମାଲିକଙ୍କଠାରୁ ମୋତେ ନେଇ ରାଜା ପଠାଇଥିବା ବହୁମୂଲ୍ୟ ପୋଷାକ ମୋତେ ପିନ୍ଧାଇ ଦେଲେ । ତା’ପରେ ସେମାନେ ମୋତେ ଘୋଡ଼ା ପିଠିରେ ବସାଇ ରାଜାଙ୍କ ପାଖକୁ ନେଇଗଲେ । ମୁଁ ରାଜାଙ୍କୁ ଦେଖିଲାକ୍ଷଣି ତାଙ୍କ ପାଖରେ ପହଞ୍ଚି ତିନିପାଦ ଭୂମି ଚୁମ୍ୱନ କଲି । ରାଜା ମୋତେ ବସିବାଲାଗି ଅନୁମତି ଦେଲେ । ମୁଁ ଆଣ୍ଠୁମାଡ଼ି ବସିଲି । ରାଜା ମୋତେ କାଗଜ ଖଣ୍ଡିକ ଦେଖାଇ ପଚାରିଲେ ‘‘ଏହାକୁ କଣ ତୁମେ ଲେଖିଛ ?’’ ମୁଁ ଇଙ୍ଗିତରେ ମୋର ସ୍ୱୀକୃତି ଜଣାଇଲି ।

 

କ୍ରମେ ସଭା ଭାଙ୍ଗିବାର ବେଳ ହେଲା । ରାଜା ଅନ୍ୟାନ୍ୟ ଲୋକଙ୍କୁ ସେହିଦିନ ପାଇଁ ବିଦା କରିଦେଇ ପ୍ରଧାନ କଞ୍ଚୁକୀ, ମୋତେ ଓ ବାଳକ ଭୃତ୍ୟକୁ ସାଙ୍ଗରେ ନେଇ ଆଉ ଗୋଟିଏ ଘରକୁ ଗଲେ, ସେଠାରେ ଭୋଜନର ବ୍ୟବସ୍ଥା ହୋଇଥିଲା । ରାଜା ଇଙ୍ଗିତ ଦେଇ ମୋତେ ତାଙ୍କ ସାଙ୍ଗରେ ଖାଇବାଲାଗି କହିଲେ । ମୁଁ ଯଥାରୀତି ଅଭିବାଦନ କରି ଖାଇବାକୁ ବସିଲି । ଖାଇ ସାରିଲା ପରେ ରାଜା ସତରଞ୍ଜ ଖେଳ ଅଣାଇ ମୋତେ ଇଙ୍ଗିତରେ ପଚାରିଲେ ‘‘ତୁମେ ଏ ଖେଳ ଜାଣ ?’’ ମୁଁ ମୁଣ୍ଡ ହଲାଇ କହିଲି— ‘‘ଜାଣେ ।’’

 

ତା’ ପରେ ସତରଞ୍ଜ ଖେଳ ଆରମ୍ଭ ହେଲା । ରାଜା ପହିଲେ ଜିତିଲେ ହେଲେ ପଛ ଦୁଇଥର ମୁଁ ଜିତିଲି । ବଣମଣିଷର ଏପରି ଅଦ୍ଭୁତ କ୍ଷମତା ଦେଖି ରାଜା ରୂପେଶ୍ୱରୀ ନାମରେ ତାଙ୍କ ଜେମାକୁ ଡକେଇ ପଠେଇଲେ । ଜେମା ଘର ଭିତରକୁ ପଶିଆସି ମୋତେ ଦେଖିଲାକ୍ଷଣି ଓଢଣା ଟାଣିଦେଇ ରାଜାଙ୍କୁ କହିଲେ—‘‘ବାପା, ଆଜି ହଠାତ୍‌ ମୋତେ ଅପରିଚିତ ମଣିଷ ସାମନାକୁ କାହିଁଙ୍କି ଡାକି ଆଣିଲ ?’’ ରାଜା କହିଲେ—‘‘ଝିଅ, ତୁ କଣ କହୁଛୁ ? ଏଠାରେ ଅନ୍ୟ ମଣିଷ କିଏ ଅଛି । ମୁଁ ବୁଢ଼ା କଞ୍ଚୁକୀ ଓ ବାଳକ ଭୃତ୍ୟ ମାତ୍ର ଏଠାରେ ଅଛୁ । ଆମ ସାମନାରେ ତୁତ ସବୁବେଳେ ଯା’ ଆସ କରୁ, ଏଇଲାଗେ ଆମ ସାମନାକୁ ଆସିବା ପାଇଁ ତୋତେ ଲାଜ ମାଡ଼ୁଛି କାହିଁକି ?’’ ଜେମା କହିଲେ-‘‘ବାପା ଏଇଯେ ବଣମଣିଷ ଦେଖୁଛ, ଏ ପଶୁ ନୁହେ, ଜଣେ ରଜା ପୁଅ, ମାୟାବିଦ୍ୟା ହେତୁ ସେ ଏଭଳି ଅବସ୍ଥା ପାଇ ଅଛନ୍ତି ।’’

 

ରାଜା ଜେମାଙ୍କ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ମୋ ଆଡକୁ ଅନାଇ କହିଲେ-‘‘ଆମ ଜେମା ଯାହା କରୁଛି ତାହା କଣ ସତ ? ମୋର ପାଟି ଫିଟୁ ନ ଥିବାରୁ ମୁଁ କଥା କହି ପାରିଲିନି, ମୁଣ୍ଡ ଓ ହାତ ହଲାଇ ଜଣାଇଲି । ଆପଣଙ୍କ ଜେମା ଯାହା କହୁଛନ୍ତି ତାହା ସତ ।’’ ସେଥିରେ ସେ ଜେମାକୁ କହିଲେ-‘‘ଜେମା, ତୁ କେମିତି ଜାଣିଲୁ ଯେ ଏ ବଣମଣିଷ ନୁହଁନ୍ତି, ମାୟା ବିଦ୍ୟାବଳରେ ପଶୁ ପାଲଟି ଅଛନ୍ତି ।’’ ଜେମା କହିଲେ-‘‘ତୁମର ମନେ ଥିବ, ପିଲାବେଳେ ମୋର ଜଣେ ବୁଢ଼ୀ ଧାଈ ଥିଲେ, ସେ ମୋତେ ସତୁରି ପ୍ରକାର ମାୟା ମନ୍ତ୍ର ଶିଖାଇଥିଲେ । ମୁଁ ସେହି ମନ୍ତ୍ର ବଳର କୁହୁକରେ ପଡ଼ି ଅନ୍ୟରୂପ ଧରିଥିବା ବ୍ୟକ୍ତିକୁ ଚିହ୍ନିପାରେ । ସେ କିଏ ଏବଂ କିଏ ତାକୁ ଏ ରୂପ ଦେଇଛି ତା ବି ମୁଁ ଜାଣିପାରେ ।

 

ରାଜା କହଲେ ‘‘ମାଆ, ତୁ ଯେ ଏମିତି ଆଶ୍ଚର୍ଯ୍ୟ ବିଦ୍ୟା ଜାଣୁ ମୁଁ ତାହା ଜାଣି ନ ଥିଲି । ଯାହାହେଉ ଏବେ ଏଇ ରାଜକୁମାରଙ୍କୁ ପଶୁ ଦଶାରୁ ମୁକ୍ତ କର । ମୁଁ ଏହାକୁ ମନ୍ତ୍ରୀପଦ ଦେଇ ତୋତେ ତାଙ୍କ ସାଙ୍ଗରେ ବିଭାଦେବି । ଜେମା କହିଲେ, ‘‘ବାପା, ତୁମ କଥା ମୁତାବକ ମୁଁ କାମ କରିବି ।’’ ଏହା କହି ସେ ଆମକୁ ଗୋଟିଏ ନିଛାଟିଆ ଘର ଭିତରକୁ ନେଇଗଲେ ଏବଂ ଆମକୁ ଗୋଟିଏ ପାଖରେ ବସିବାକୁ କହି, ନିଜେ ମଝିରେ ବସି ତାଙ୍କ ଚାରିପାଖରେ ଗୋଟିଏ ମଣ୍ଡଳ ଆଙ୍କିଲେ । ତାପରେ ସେ ତାହା ଭିତରେ ବସି ମନ୍ତ୍ର ଓ ଶାସ୍ରରୁ ଶ୍ଳୋକ ପଢିଲେ ।

 

ଦେଖ ଦେଖ ସମସ୍ତ ଉଆସରେ ଗାଢ଼ ଅନ୍ଧାର ମାଡ଼ିଗଲା ଓ ପୃଥିବୀ ଥରି ଉଠିଲା । ପର ମୁହୂର୍ତ୍ତରେ ଯେଉଁ ଦୈତ୍ୟ ମୋତେ ବଣ ମଣିଷ କରିଥିଲା ସେ ସିଂହ ମୂର୍ତ୍ତିଧରି ଭୀଷଣ ଗର୍ଜନ କରି ସେଠାରେ ପହଞ୍ଚିଲା । ତାକୁ ଦେଖି ଆମ କଲିଜା ଥରି ଉଠିଲା । ଜେମା ତାକୁ ଦେଖି କହିଲେ, ‘‘ଆରେ କୁକୁର ତୋର ଏଡ଼େ ସ୍ପର୍ଦ୍ଧା ଯେ ମୋ ପାଖକୁ ବିନୀତ ଭାବରେ ନ ଆସି ସିଂହ ବେଶଧରି ଆସିଛୁ । ତୁ କ’ଣ ଭାବିଛୁ ମୁଁ ତୋତେ ଦେଖି ଡରିଯିବି ?’’ ସିଂହ ଉତ୍ତରଦେଲା ‘‘ତୋର କ’ଣ ମନେ ନାହିଁ ଯେ, ଆମେ କେହି କାହାକୁ ହିଂସା କରିବୁନି ବୋଲି ପ୍ରତିଜ୍ଞା କରିଥିଲୁ ତୋର କ’ଣ ସେହି ସତ୍ୟଭଙ୍ଗ କରିବାର ଇଚ୍ଛା ?’’

 

ଜେମା କହିଲେ, ‘‘ଆରେ ପାଜି, ତୁ କ’ଣ ନିଜେ ସେ ସତ୍ୟ ପାଳନ କରିଛୁ ?’’ ସିଂହ ମୂର୍ତ୍ତି ଧରିଥିବା ଦୈତ୍ୟ ଏହା ଶୁଣି ବିକଟ ସ୍ୱରରେ କହିଲା, ‘‘ତୁ ମତେ ଯେମିତି ଏତେ କଷ୍ଟ ଦେଇ ଆଣିଲୁ ସେମିତି ତାହାର ପ୍ରତିଫଳ ଭୋଗକର ।’’ ଏହା କହି ଖୁବ୍‌ଆସ୍ଫାଳନ କରି ପାଟି ମେଲାଇ ଜେମାଙ୍କୁ ଗଳିବାକୁ ଆସିଲା । ଜେମା ସେହିକ୍ଷଣି ପଛକୁ ଘୁଞ୍ଚିଯାଇ ମୁଣ୍ଡରୁ ବାଳ କେରାଏ ଛିଣ୍ଡାଇ କି ମନ୍ତ୍ର ପଢିଲେ ଯେ ତାହା ଖଣ୍ଡା ରୂପ ଧରିଲା । ସେ ସେହି ଖଣ୍ଡାରେ ସିଂହକୁ ଦିଗଡ କରି ହାଣି ପକାଇଲେ । ସିଂହର ମୁଣ୍ଡ ଛଡା ସମସ୍ତ ଶରୀର ସେହିକ୍ଷଣି କୁଆଡେ ଉଭେଇଗଲା । ହେଲେ, ମୁଣ୍ଡଟା ଗୋଟାଏ ପ୍ରକାଣ୍ଡ ବିଛା ପାଲଟି ଗଲା ।

 

ଜେମା ସାପ ରୂପ ଧରି ବିଛାସାଙ୍ଗରେ ଘୋର ଯୁଦ୍ଧ କଲେ । ହେଲେ, ବିଛାଟା ପରାସ୍ତ ହେବାର ପରମୁହୂର୍ତ୍ତରେ ଇଗଲପକ୍ଷୀ ରୂପ ଧରି ଉଡ଼ି ପଳାଇଲା । ସାପ ସାଙ୍ଗେ ସାଙ୍ଗେ କାଳିଆରଙ୍ଗର ଅଧିକ ବଳୁଆ ଇଗଲପକ୍ଷୀ ରୂପ ଧରି ତାହା ପଛେ ପଛେ ଧାଇଁଲା । କେତେ ସମୟ ପରେ ସେମାନେ ଆମ ଦୃଷ୍ଟି ପଥର ବାହାରକୁ ଚାଲିଗଲେ ।

 

ସେମାନେ ଅଦୃଶ୍ୟ ହେବାର ଅଳ୍ପ ସମୟ ପରେ ଆମ ସାମନାରେ ଥିବା ମାଟି ଫାଟିଗଲା ଏବଂ ତାହା ଭିତରୁ ଧଳା କଳା ରଙ୍ଗର ଗୋଟିଏ ବିରାଡ଼ି ବାହାରିଲା । ସେହି ବିରାଡ଼ିଟା ରୁମ୍‍କୁ ଫୁଲାଇ ଭୟଙ୍କର ଭାବରେ ଗର୍ଜ୍ଜନ କଲା । ସାଙ୍ଗେ ସାଙ୍ଗେ ଗୋଟାଏ କଳା ହେଟାବାଘ ବିରାଡ଼ିକୁ ଏମିତି ଭାବରେ ଆକ୍ରମଣ କଲା ଯେ ସେହି ବିରାଡ଼ି ପଳାଇବାର ସୁବିଧା ନ ପାଇ ପାଖରେ ଥିବା ଡାଳିମ୍ୱ ଗଛରୁ ପଡ଼ିଥିବା ଡାଳିମ୍ୱ ଭିତରେ କଣା କରି ଲୁଚିଗଲା । ଡାଳିମ୍ୱ ଗଛରୁ ପଡ଼ିଥିବା ଡାଳିମ୍ୱ ଭିତରେ କଣା କରି ଲୁଚିଗଲା । ଡାଳିମ୍ୱଟା ଫୁଲି ଗୋଟାଏ ଲାଉପରି ହେଲା । ତା’ପରେ ଏହା କେତେଥର ଉପରକୁ ଉଠି ଓ ତଳକୁ ଖସି ଏବଂ ପଛକୁ ଘୂରିଲା ପରେ ଅଗଣାରେ ପଡ଼ି ଫାଟି ଖଣ୍ଡ ଖଣ୍ଡ ହୋଇଗଲା ।

 

ହେଟା ବାଘ ଏଥି ଭିତରେ କୁକୁଡ଼ା ରୂପ ଧରି ଦଉଡ଼ି ଯାଇ ଅତି ବେଗରେ ଡାଳିମ୍ୱ ମଞ୍ଜିଗୁଡ଼ିକ ଗୋଟି ଗୋଟି ଖୁଣ୍ଟି ଖାଇବାକୁ ଗଲାବେଳେ ମଞ୍ଜିଟା ଗଡ଼ିଯାଇ । ସେହି ମଞ୍ଜିକୁ ଖୁଣ୍ଟି ଖାଇବାକୁ ଗଲାବେଳେ ମଞ୍ଜିଟା ଗଡିଯାଇ ନଈରେ ପଡ଼ି ଗୋଟିଏ ଛୋଟ ମାଛରେ ପରିଣତ ହେଲା । କୁକୁଡା ସାଙ୍ଗେ ସାଙ୍ଗେ ଗୋଟିଏ ବଡ଼ ମାଛ ହୋଇ ସେହି ସାନ ମାଛର ପଛେ ପଛେ ଗୋଡାଇଲା । ସେମାନେ ପାଣି ଭିତରେ ଦୁଇଘଣ୍ଟା ଯାଏ ରହି କଣ କଲେ ଆମେ ଜାଣି ପାରିଲୁନି-। ତା’ପରେ ଘୋର ଗର୍ଜନ ଶୁଣି ଆମେ ଥରିଲୁ ।

 

କିଛି ସମୟ ପରେ ଦେଖିଲୁ ଦୈତ୍ୟ ଓ ଜେମା ଆଶ୍ଚର୍ଯ୍ୟମୟ ଦିଶୁଛନ୍ତି । ସେମାନେ ପ୍ରତ୍ୟେକେ ପ୍ରତ୍ୟେକକୁ ନାକବାଟେ ନିଆଁ ଫିଙ୍ଗୁଛନ୍ତି ଏବଂ ସେମାନଙ୍କ ଭିତରେ ରୀତିମତ ଲଢ଼େଇ ଚାଲିଛି । ନିଆଁ କ୍ରମେ କ୍ରମେ ବଢ଼ିଲା ଏବଂ ସେମାନଙ୍କ ଚାରିପଟେ ଧୂଆଁ ଓ ପାଉଁଶ ଭରିଯାଇ ଉପରକୁ ଉଠିବାକୁ ଲାଗିଲା । କାଳେ ଉଆସ ପୋଡ଼ିଯିବ ସେଥିଲାଗି ଆମେ ଡରିଗଲୁ । ସେହିକ୍ଷଣି ତାହା ଅପେକ୍ଷା ଅଧିକ ଭୟର କାରଣ ଆସି ଉପସ୍ଥିତ ହେଲା । କାରଣ ଦୈତ୍ୟ ଜେମାଙ୍କ ପାଖରୁ ଘୁଞ୍ଚି ଆସି ଆମ ପାଖରେ ପହଞ୍ଚି ନିଆଁ ହୁଳା ଫିଙ୍ଗିଲା । ଠିକ୍‌ ଏତିକିବେଳେ ଜେମା ଧାଇଁ ଆସି ଦୈତ୍ୟକୁ ଅଧିକ ଆକ୍ରମଣ କରିବାରୁ ଦୈତ୍ୟ ନିଜ ପ୍ରାଣ ବଞ୍ଚାଇବା ଲାଗି ପଛକୁ ଘୁଞ୍ଚିଯାଇ ନ ଥିଲେ, ଆମେ ପୋଡ଼ି ମରି ଥାଆନ୍ତୁ ।

 

ଆମକୁ ବଞ୍ଚାଇବାଲାଗି ଜେମା ଅତି ବେଗରେ ଧାଇଁ ଆସିଲେ ବି ରାଜାଙ୍କ ମୁଣ୍ଡବାଳ ପୋଡ଼ିଗଲା ଓ ମୁହଁ ସିଝିଗଲା । ବୁଢ଼ା କଞ୍ଚୁକୀ ସେଠାରେ ପୋଡ଼ିମଲା ଏବଂ ଅଗ୍ନିକଣା ପଡ଼ି ମୋ ଆଖିଟା ଫୁଟିଗଲା । ରାଜା ଓ ମୁଁ ଭାବିଲୁ ଆମ ମରଣ ଘନେଇ ଆସୁଛି କିନ୍ତୁ ଠିକ୍‌ ସେହି ସମୟରେ ଜୟ ଜୟ ଶବ୍ଦ ଆମ କାନରେ ପଡ଼ିଲା । ଜେମା ନିଜ ରୂପ ଧରି ଆମ ପାଖରେ ଆସି ଠିଆ ହେଲେ ଏବଂ ଦୈତ୍ୟ ପୋଡ଼ି ପାଉଁଶ ହୋଇ ତାଙ୍କ ପାଦ ତଳରେ ପଡ଼ିବାର ଆମେ ଦେଖିଲୁ-

 

ଜେମା ବାଳକ ଭୃତ୍ୟକୁ ଗିନାରେ ଗିନାଏ ପାଣି ଆଣିବାକୁ ହୁକୁମ୍‌ ଦେବାରୁ ସେ ସେହିକ୍ଷଣି ପାଣି ଗିନାଏ ଆଣିଲା । ଜେମା ପାଣି ଗିନାଟି ହାତରେ ଧରି ମନ୍ତ୍ର ପଢ଼ିଲେ ଏବଂ ଗିନାର ପାଣିକୁ ମୋ ଉପରେ ଛିଞ୍ଚିଦେଇ କହିଲେ, ‘ତୁମେ ଯେବେ ମାୟାବିଦ୍ୟା ବଳରେ ମାଙ୍କଡ଼ ହୋଇ ଥାଅ ତେବେ ମଣିଷ ଶରୀର ପାଅ ।’ ତାଙ୍କ ମୁହଁରୁ ଏତକ ବାହାରିଛି କି ନାହିଁ ମୁଁ ସାଙ୍ଗେ ସାଙ୍ଗେ ମଣିଷ ଦେହ ପାଇଲି ମାତ୍ର ମୋର ଯେଉଁ ଆଖିଟା ଫୁଟି ଯାଇଥିଲା ତାହା ସେମିତି ରହିଲା-

 

ମୁଁ ଜେମାକୁ ଧନ୍ୟବାଦ ଦେବାକୁ ଗଲାବେଳେ ସେ ମୋତେ ସୁଯୋଗ ନ ଦେଇ ରାଜାଙ୍କୁ ଅନାଇ କହିଲେ, ବାପା, ମୁଁ ଦୈତ୍ୟକୁ ଜୟ କରିଛି ହେଲେ ଜୟ ଲାଭରେ ମୋର ଯେଉଁ କ୍ଷତି ହୋଇଛି ତାହା ଆଉ ପୂରଣ ହୋଇ ପାରିବନି । ମୋତେ ବିଭା ଦେଇ ତୁମେ ଯେଉଁ ସୁଖଲାଭ କରିବାକୁ ମନ କରିଥିଲ ତାହା ଅପୂର୍ଣ୍ଣ ରହିଲା । ଆଉ ଅଳ୍ପ ସମୟପରେ ମୁଁ ମରିବି । ଯୁଦ୍ଧବେଳେ ମୋ ଦେହ ଭିତରେ ଯେଉଁ ନିଆଁ ଲାଗିଛି ତାହା ମୋତେ ଅତି ଅଳ୍ପ ସମୟ ଭିତରେ ପୋଡ଼ି ପାଉଁଶ କରିଦେବ । ମୁଁ କୁକୁଡ଼ା ହୋଇ ସବୁତକ ଡାଳିମ୍ୱ ମଞ୍ଜି ଖାଇ ଦେଇଥିଲେ ଏମିତି ବିପଦ ଘଟିନ ଥାଆନ୍ତା । ଦୈତ୍ୟ ଅନ୍ୟ କୌଣସି ବାଟ ନ ପାଇ ଶେଷପନ୍ଥା ଅବଲମ୍ୱନ କରିଥିଲା । ମୁଁ ଶତ୍ରୁର ସେହି ଅଭିସନ୍ଧି ଆଗରୁ ଜାଣିଥିଲେ ମୁଁ ବହୁତ ଆଗରୁ ଜୟଲାଭ କରି ଥାଆନ୍ତି ଏବଂ ମୋର କୌଣସି କ୍ଷତି ହୋଇ ନ ଥାଆନ୍ତା । ଆଗରୁ ମୁଁ ଏତକ ଜାଣି ପାରି ନ ଥିବାରୁ ମୋତେ କଠିନତର ଉପାୟ ଅବଲମ୍ୱନ କରିବାକୁ ପଡ଼ିଲା । ତୁମେ ଦେଖିଛ, ପ୍ରଚଣ୍ଡ ନିଆଁ ସାହାଯ୍ୟରେ ମୁଁ ଦୈତ୍ୟ ସହିତ ଘୋର ଯୁଦ୍ଧ କରିବାକୁ ବାଧ୍ୟ ହେଲି । ଦୈତ୍ୟର ଅତି ଭୟଙ୍କର ଶକ୍ତି ଓ ବହୁଦର୍ଶିତା ଥିଲେ ହେଁ ମୋର ମାୟାବିଦ୍ୟା ଓ କ୍ଷମତା ତାହା ଅପେକ୍ଷା ଶ୍ରେଷ୍ଠ ଥିଲା ବୋଲି ସେ ବୁଝିଥିଲା । ଶେଷରେ ମୁଁ ତାକୁ ଯୁଦ୍ଧରେ ହରାଇ ଦେଇ ପୋଡ଼ି ପାଉଁଶ କରି ଦେଇଛି କିନ୍ତୁ ମରଣ ମୁହଁ ମେଲା କରି ମୋତେ ଗିଲିବାକୁ ଆସୁଛି, ସେଥିରୁ ମୋର ଆଉ ନିଷ୍କୃତି ନାହିଁ ।

 

ଜେମା ଯୁଦ୍ଧ ବୁତ୍ତାନ୍ତ ଶେଷ କଲାକ୍ଷଣି ଶୋକ ବିଚଳିତ ରାଜା ଅତି କରୁଣଭାବରେ କହିଲେ ‘‘ମାଆ, ଦେଖ ତୋ ବାପାର କି ଦଶାହେବ । ହାୟ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ମୁଁ ଯା’ ନ ମରି କାହିଁକି ଏ ଯାଏ ବଞ୍ଚିଛି । ଯେଉଁ ବୁଢ଼ା କଞ୍ଚୁକୀ ତୋର ଲାଳନ ପାଳନର ଭାର ନେଇଥିଲା ସେ ପୋଡ଼ି ମରିଛି । ତୋ ବିଦ୍ୟା ପ୍ରଭାବରୁ ମାୟାମୁକ୍ତ ରାଜକୁମାର ଗୋଟିଏ ଆଖି ହରାଇ ଅଛନ୍ତି । ଶୋକାବେଗରେ କଣ୍ଠରୁଦ୍ଧ ଓ ଚକ୍ଷୁ ଲୋତକ ପୂର୍ଣ୍ଣ ହେବାରୁ ସେ ଆଉ କିଛି କହି ପାରିଲେନି । ଜେମା ଓ ମୁଁ ତାଙ୍କ ଶୋକରେ କାତର ହୋଇ ଆମେ ଦୁହେଁ କାନ୍ଦିଲୁ ।

 

ଆମେ ନିଜ ନିଜ ଶୋକ ପ୍ରକାଶ କଲାବେଳେ ଜେମା ହଠାତ୍‌ କହି ଉଠିଲେ ‘ମୁଁ ଜଳିଗଲି, ମୋର ଦେହ ଭିତର ପୋଡ଼ି ଯାଉଛି ।’ ଯେଉଁ ନିଆଁ ତାଙ୍କ ଦେହ ଭିତରକୁ ପୋଡ଼ୁଥିଲା ତାହା ତାଙ୍କ ସମଗ୍ର ଦେହକୁ ବ୍ୟାପିଲା । ‘ଜଳିଗଲି, ଜଳିଗଲି’ କହୁ କହୁ ଶେଷରେ ମୃତ୍ୟୁ ଆସି ତାଙ୍କୁ ସେହି ଅସହନୀୟ ଯନ୍ତ୍ରଣାରୁ ମୁକ୍ତି ଦେଲା । ଏହି ନିଆଁର ଏମିତି ଆଶ୍ଚର୍ଯ୍ୟ ଶକ୍ତି ଯେ ଦୈତ୍ୟପରି ଜେମା ବି କେତେକ ମୁହୂର୍ତ୍ତ ଭିତରେ ପୋଡ଼ି ପାଉଁଶ ହେଲେ ।

 

ଏହି ଭୟଙ୍କର ଶୋଚନୀୟ ଘଟଣାରେ ଆମେ କେତେଦୂର ବ୍ୟାକୁଳ ଓ ସନ୍ତାପିତ ହେଲୁ ତାହା କଥାରେ ପ୍ରକାଶ କରି ହେବନି । ମୁଁ ଭାବିଲି ଯେଉଁ ଜେମା ମୋର ଏତେ ଉପକାର କରିଥିଲେ ତାଙ୍କର ଏପରି ଭୟଙ୍କର ମୃତ୍ୟୁ ଯନ୍ତ୍ରଣା ଦେଖିବା ଅପେକ୍ଷା ସବୁଦିନ ମାଙ୍କଡ଼ ହୋଇ ଜୀବନ ଯାପନ କରିବା ମୋ ପକ୍ଷରେ ଉଚିତ ହୋଇଥାଆନ୍ତା । ରାଜାଙ୍କର ଶୋକର ସୀମା ଟପିଗଲା । ସେ ଅତି କରୁଣ ଭାବେ କାନ୍ଦିଲେ ଏବଂ ମୁଣ୍ଡ ଓ ଛାତିରେ ବିଧା ଚାପୁଡ଼ା ମାରି ମାରି ଶେଷରେ ହତାଶ ହେଇ ବେହୋସ ହେଲେ । ମୁଁ ଅନୁମାନ କଲି ଶୋକରେ ରାଜାଙ୍କ ପ୍ରାଣବାୟୁ ଉଡ଼ିଗଲା ।

 

ରାଜା କାନ୍ଦିଲାବେଳେ ରାଜକର୍ମଚାରୀ ଓ କଞ୍ଚୁକୀମାନେ ସେଠାରେ ଉପସ୍ଥିତ ହୋଇ ତାଙ୍କ ସେବା ଶୁଶ୍ରୁଷାରେ ଲାଗି ପଡ଼ିଲେ । ବହୁତ ବେଳଯାଏ ସେବାଶୁଶ୍ରୂଷା ଚାଲିବାରୁ ରାଜାଙ୍କର ହୋସ ହେଲା । ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶୋକର ବିଶେଷ ବିବରଣୀ ଦେବା ରାଜାଙ୍କର ବା ମୋର ଦରକାର ପଡ଼ିଲାନି । ରାଜଜେମା ଓ ଦୈତ୍ୟର ପାଉଁଶ ଗଦା ଦେଖି ସମସ୍ତେ ଶୋକର ପ୍ରକୃତ କାରଣ ବୁଝି ପାରିଲେ । ରାଜାଙ୍କର ଗୋଡ଼ହାତ ଆଉ ଚଳିଲାନି । ଦୁଇଜଣ ରାଜକର୍ମଚାରୀ ତାଙ୍କୁ ଟେକି ତାଙ୍କ ଶୋଇବା ଘରକୁ ନେଇଗଲେ ।

 

ଏଇ ଶୋଚନୀୟ ଘଟଣା ଉଆସ ଓ ନଅରରେ ପ୍ରଚାର ହେଲାକ୍ଷଣି ସମସ୍ତେ ରୂପେଶ୍ୱରୀ ଜେମାଙ୍କ ମୃତ୍ୟୁରେ ନ କାନ୍ଦି ରହି ପାରିଲେନି ଏବଂ ରାଜାଙ୍କ ଶୋକରେ ସହାନୁଭୂତି ପ୍ରକାଶ କଲେ । ସପ୍ତାହେ ପର୍ଯ୍ୟନ୍ତ ସମସ୍ତେ ଶୋକବସ୍ତ୍ର ପିନ୍ଧି ଜେମାଙ୍କର ପ୍ରେତାତ୍ମାର ମଙ୍ଗଳ ପାଇଁ ନାନାପ୍ରକାର ଅନୁଷ୍ଠାନ କଲେ । ଦୈତ୍ୟର ପାଉଁଶକୁ ପବନରେ ଉଡ଼ାଇ ଦେଇ ଜେମାଙ୍କ ପାଉଁଶକୁ ମୂଲ୍ୟବାନ ପାତ୍ରରେ ରଖିଲେ । ଯେଉଁ ସ୍ଥାନରେ ସେହି ଶୋଚନୀୟ ଘଟଣା ଘଟିଥିଲା ସେଠାରେ ମସ୍‌ଜିଦ ତିଆରି କରାଯାଇ ମସ୍‌ଜିଦ ଭିତରେ ଜେମାଙ୍କ ପାଉଁଶ ଗୋଟିଏ ପାତ୍ରରେ ରଖାଗଲା ।

 

କନ୍ୟା ଶୋକରେ ପୀଡ଼ିତ ହୋଇ ରାଜା ମାସେକାଳ ବିଛଣା ଧଇଲେ । ପୀଡ଼ା ଉପଶମ ନ ହେଉଣୁ ଦିନେ ସେ ମୋତେ ଡାକି କହିଲେ, ‘ବାପ, ମୁଁ ଯା ଆଦେଶ ଦେଉଛି ମନଦେଇ ଶୁଣ । ମୋ ଆଦେଶ ନ ଶୁଣିଲେ ତୋର ପ୍ରାଣଦଣ୍ଡ ହେବ ।’ ମୁଁ ତାହା ପାଳନ କରିବାକୁ ରାଜି ହେବାରୁ ସେ କହିଲେ, ମୁଁ ଏ ଯାଏ ପରମ ସୁଖରେ କାଳ କାଟୁଥିଲି । ମୋ ଶାସନ କାଳରେ କୌଣସି ପ୍ରକାର ଦୁର୍ଘଟଣା ଘଟି ନ ଥିଲା । ତୁ ଆସିଲାରୁ ମୋର ଶାନ୍ତିଭଙ୍ଗ ହେଲା । ଜେମା ଓ ବୁଢ଼ା କଞ୍ଚୁକୀ ଅକାଳରେ ମଲେ । ଈଶ୍ୱରଙ୍କ ଅନୁଗ୍ରହରୁ ମୁଁ ମରଣ ମୁହଁରୁ ବଞ୍ଚିଲି । ଏଇ ସମସ୍ତ ଦୁର୍ଦ୍ଦଶାର ତୁ ଏକମାତ୍ର ମୂଳ କାରଣ ହୋଇଅଛୁ । ଏ ସମସ୍ତ ଭାବି ମୁଁ ସ୍ଥିର କରିଛି ତୋତେ ବିଦା କରି ଦେଇ ମୁଁ ନିର୍ବିଘ୍ନରେ ରହିବି । ତୁ ଯେତେ ଶୀଘ୍ର ପାରୁ ଏଠାରୁ ଚାଲିଯା । ତୁ ଡେରି କଲେ ହୁଏତ ମୋ ପ୍ରାଣ ରହିବ କି ନା ସନ୍ଦେହ । କାରଣ ତୁ ଆସିଲାବେଳୁ ମୋ ରାଜ୍ୟରେ ଅମଙ୍ଗଳ ଦେଖା ଦେଇଛି । ମୋର ଆଉକିଛି ତୋତେ କହିବାକୁ ନାହିଁ, ତୁ ଜଲଦି ଏଠାରୁ ଗଲୁ । ହୁସିଆର, ଜୀବନ ପ୍ରତି ତୋର ମମତା ଥିଲେ କେବେହେଲେ ମୋ ରାଜ୍ୟର ସୀମା ମାଡ଼ିବୁ ନି ।’’ ମୁଁ ଉତ୍ତର ଦେବାକୁ ଚେଷ୍ଟା କଲାକ୍ଷଣି ସେ ରାଗରେ ନିଆଁ ବାଣ ହୋଇ କର୍କଶ ଭାବରେ ମୋତେ ସେଥିରୁ କ୍ଷାନ୍ତ କଲାରୁ ମୁଁ ଉଆସ ଛାଡ଼ି ଚାଲି ଆସିଲି ।

 

ଏଣେ ତେଣେ ବୁଲି ବୁଲି ନାନା ସ୍ଥାନରୁ ବିତାଡିତ ହୋଇ ମୋର ପରିଣାମ କଣ ହେବ ସ୍ଥିର କରି ପାରିଲିନି । ନଅର ଛାଡ଼ି ଗାଧୁଆ ଘରକୁ ଯାଇ ମୁଣ୍ଡ ଲଣ୍ଡା ହୋଇ ଫକୀର ବେଶ ଧଇଲି । ତା’ପରେ ମୋ ନିଜ ଦୁର୍ଦ୍ଦଶା ଅପେକ୍ଷା ଯେଉଁ ଦୁଇ ଜଣ ରାଜକୁମାରୀଙ୍କ ସଙ୍ଗେ ମୋ ପରିଚୟ ହୋଇଥିଲା ସେମାନଙ୍କ ଅକାଳ ମୃତ୍ୟୁ କଥା ଭାବି ଭାବି ଦେଶ ପର୍ଯ୍ୟଟନରେ ବାହାରି ପଡ଼ିଲି । ଜିଜ ପରିଚୟ ଦେଇ ନାନା ଦେଶରେ ବୁଲିଲି । ଶେଷରେ ବାଗଦାଦ, ନଅରକୁ ଯାଇ କାଲିଫଙ୍କ ପାଖରେ ମୋର ଏଇ ବିଚିତ୍ର କାହାଣୀ ବର୍ଣ୍ଣନା କରି ତାଙ୍କ ଅନୁଗ୍ରହ ଲାଭ କରିବି ବୋଲି ସଙ୍କଳ୍ପ କଲି । ଆଜି ସଞ୍ଜବେଳେ ମୁଁ ଏହି ନଅରରେ ପହଞ୍ଚିଲି ଏବଂ ପ୍ରଥମ ଫକୀର ସାଙ୍ଗରେ ମୋର ପରିଚୟ ଘଟିଲା । ତାହାପରେ ଯାହା ଯାହା ଘଟିଛି ଏବଂ ଯେପରି ତୁମ ଘରେ କେମିତି ଆଶ୍ରୟ ନେଲି ସେ କଥା ତୁମେ ଜାଣ ।

 

ଜୋବେଦୀ କହିଲେ ‘‘ହଁ ଆପଣ ଠିକ୍‌ କଥା କହିଛନ୍ତି, ଅତଏବ ଆପଣ ମୁକ୍ତ, ଯେଉଁଠିକି ଇଚ୍ଛା ଆପଣ ଯାଇ ପାରନ୍ତି ।’’

 

ଫକୀର କହିଲେ, ‘‘ମୋର ସାଙ୍ଗମାନଙ୍କ ଇତିବୃତ୍ତ ଶୁଣିବା ଲାଗି ମୋତେ ଅନୁମତି ମିଳୁ-।’’

 

ଜୋବେଦୀ କହିଲେ, ‘‘ହଉ ତେବେ, ଆପଣ ରହି ଶୁଣନ୍ତୁ ।’’ ତା’ପରେ ସେ ତୃତୀୟ ଫକୀର ଆଡ଼କୁ ଅନାଇ କହିଲେ, ‘‘ଏଇଲାଗେ ଆପଣଙ୍କ ଜୀବନୀ ବ୍ୟକ୍ତ କରନ୍ତୁ ।’’

 

ତୃତୀୟ ଫକୀର କହିବାକୁ ଆରମ୍ଭ କଲେ—

Image

 

ତୃତୀୟ ଫକୀରଙ୍କ କଥା

 

ମୋର ପିତା ଜଣେ ବିଶାଳ ରାଜ୍ୟର ଅଧୀଶ୍ୱର, । ତାଙ୍କର ନାମ କାଶୀବ ଏବ ମୋର ନାମ ଆଜୀବ । କାଳ ପୂର୍ଣ୍ଣ ହେବାରୁ ମୋର ପିତା ସ୍ୱର୍ଗ ଲାଭ କଲେ ଏବଂ ମୁଁ ସେହି ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ହେଲି ।

 

ପହିଲେ ମୁଁ ରାଜ୍ୟ ଭିତରେ ଥିବା ସମସ୍ତ ସହର ଓ ଗ୍ରାମ ପର୍ଯ୍ୟଟନ କରି ତଦାରକ କରିବାକୁ ଲାଗିଲି । ତାପରେ ସମୁଦାୟ ପ୍ରଜାଙ୍କୁ ମୋ ଅକ୍ତିୟାରକୁ ଆଣି ଶୃଙ୍ଖଳା ସ୍ଥାପନ କଲି ।

 

ଅନନ୍ତର ପୋତାଧ୍ୟକ୍ଷକୁ ପୋତ ସଜାଇବାକୁ ଅନୁମତି ଦେଇ ଅନୁଚରମାନଙ୍କ ସହିତ ଅଧିକାରଭୁକ୍ତ ଦ୍ୱୀପ ଓ ଉପଦ୍ୱୀପ ପରି ଦର୍ଶନ କରିବାଲାଗି ଯାତ୍ରା କଲି । ମୋ ସାଙ୍ଗରେ ଦଶୋଟି ପୋତ ଥିଲା ଏବଂ ସବୁ ପୋତଗୁଡ଼ିକରେ ଖାଦ୍ୟଦ୍ରବ୍ୟ ଭରି ରହିଥିଲା ।

 

ପ୍ରାୟ ଚାଳିଶ ଦିନଯାଏ ଆମର ଯାତ୍ରା ସୁରଖୁରରେ ଚାଲିଲା ଏବଂ ତା’ପରେ ପ୍ରବଳ ଝଞ୍ଜା ମାଡ଼ି ଆସିଲା । ଏ ପ୍ରକାର ଝଞ୍ଜାରେ ଗୋଟିଏ ଦୁଇଟି ପୋତ ନଷ୍ଟ ହେଲା । ଯାହାହେଉ, କୌଣସି ପ୍ରକାରେ ଏ ପ୍ରକାର ବିପଦରୁ ମୁକ୍ତ ହୋଇ ଆହୁରି କିଛିଦୂର ଆଗେଇଗଲୁ ।

 

ଦିଗନିର୍ଣ୍ଣୟକାରୀମାନେ ଦିଗ ନିର୍ଣ୍ଣୟ କରିବାଲାଗି ମାସ୍ତୁଲ ଉପରକୁ ଚଢ଼ିଲେ । ତା’ପରେ ସେମାନେ ଓହ୍ଲାଇ ଆସି କହିଲେ, ‘‘ଡାହାଣ ଓ ବାଁ ପଟେ କିଛି ଦେଖିବାକୁ ମିଳୁନି; କିନ୍ତୁ ସାମନାରେ ଗୋଟିଏ କଳା ରଙ୍ଗର ପଦାର୍ଥ ଦିଶୁଛି ।’’

 

ଏ କଥା ଶୁଣି ଅଧ୍ୟକ୍ଷ ଓ ପ୍ରଧାନ ପ୍ରଧାନ କର୍ମଚାରୀଙ୍କ ମନରେ ଭୀତିର ସଞ୍ଚାର ହେଲା-। ତାହା ଦେଖି ମୁଁ ବି ପଚାରିଲି, ‘‘କୌଣସି ଭୟର କାରଣ ଅଛି କି ?’’

 

ସେମାନେ ଉତ୍ତର ଦେଲେ, ‘‘ମହାରାଜ, ଦାରୁଣ ବିପଦ ଉପସ୍ଥିତ । ଜାହାଜଗୁଡ଼ିକୁ ଆଉ କୌଣସି ପ୍ରକାରେ ରକ୍ଷା କରି ହେବନି ଏବଂ ଆମେ ବି କେହି ପ୍ରାଣ ପାଇ ପାରିବୁନି ।’’

 

ମୁଁ ପଚାରିଲି, ‘‘ଏହାର କାରଣ କଣ ? ଶୀଘ୍ର କୁହ, ଯେବେ କୌଣସି ଉପାୟ ଥାଇପାରେ ।’’

 

ସେମାନେ କହିଲେ, ‘‘ମହାରାଜ, ସାମନାରେ ସମୁଦ୍ରରେ ଯେଉଁ କାଳିଆ ରଙ୍ଗର ପଦାର୍ଥ ଦିଶୁଛି, ତାହା ଗୋଟିଏ ବଡ଼ ଚୁମ୍ୱକ ପାହାଡ଼ । ଝଡ଼ ହେଲା ଦିନୁ ଆମ ଜାହାଜ ସମୁଦ୍ରରେ ବିପଥଗାମୀ ହୋଇଛି ଏବଂ ସେଇଥି ପାଇଁ ଆମେ ଏଇ ବିପଦର ସମ୍ମୁଖୀନ ହୋଇଛୁ । ଜାହାଜକୁ ଆଉ କୌଣସି ପ୍ରକାରେ ଲେଉଟାଇ ହେବନି । ଏଇଲାଗେ ଜାହାଜର ଲୁହାରେ ତିଆରି ଯାବତୀୟ ପଦାର୍ଥକୁ ପାହାଡ଼ ଟାଣିନେବ । ଶେଷରେ ଆମ ଜାହାଜ ଭାଙ୍ଗି ଚୁରମାର ହୋଇଯିବ । ଏହିପରି ଯେ କେତେ ଜାହାଜ ଏଠାରେ ଭାଙ୍ଗିଛି, ତାହା ପାହାଡ଼ ଦେହରେ ଲାଗିଥିବା ଅଗଣିତ ଲୁହା କଣ୍ଟା ଦେଖି ବେଶ ବୁଝି ହେବ । ଆଉ ମଧ୍ୟ କଥିତ ଅଛି ଯେ ଏଇ ପାହାଡ଼ ଉପରେ ଗୋଟିଏ ପିତଳର ମନ୍ଦିର ଏବଂ ମନ୍ଦିର ଭିତରେ ଗୋଟିଏ ପିତଳରେ ତିଆରି ଘୋଡ଼ା ପିଠିରେ ପିତଳରେ ତିଆରି ଗୋଟିଏ ମଣିଷ ମୂର୍ତ୍ତି ରହିଛି ଏବଂ ଏଇ ମୂର୍ତ୍ତି ପିତଳରେ ତିଆରି ଗୋଟିଏ ମଣିଷ ମୂର୍ତ୍ତି ରହିଛି ଏବଂ ଏଇ ମୂର୍ତ୍ତି ପିତଳରେ ତିଆରି ଗୋଟିଏ ବର୍ଚ୍ଛା ଧରିଛି । ଏଇ ମୂର୍ତ୍ତିର ଛାତିରେ ସୀମା ପତ୍ରରେ କେତେକ ମାୟାମନ୍ତ୍ର ଲେଖା ହୋଇଅଛି । ସେହି ମନ୍ତ୍ର ପ୍ରଭାବରେ ନିକଟବର୍ତ୍ତୀ ଯାବତୀୟ ଜାହାଜ ଓ ନାଆ ଟାଣି ହୋଇ ବିନଷ୍ଟ ହୁଏ । ଯେବେ କେହି ଏଇ ମୂର୍ତ୍ତିକୁ ଭାଙ୍ଗି ପକାଇ ଏହାକୁ ସମୁଦ୍ର ପାଣିରେ ଫିଙ୍ଗିଦିଏ ତା’ହେଲେ ଆମେ ଏଇ ବିପଦ ମୁହଁରୁ ବର୍ତ୍ତିଯାଇ ପାରୁ; କିନ୍ତୁ ଏ କାମ କରି ପାରିବ କିଏ ?

 

ଏ କଥା ଶୁଣିଲାକ୍ଷଣି ଆମର ମନର ଅବସ୍ଥା ଯେ କିପରି ଭୟାବହ ହେଲା, ବୋଧହୁଏ ଆପଣମାନେ ବୁଝିପାରୁଥିବେ । ଯାହା ହେଉ ପ୍ରାଣର ଆଶା ଛାଡ଼ି ସମସ୍ତ ଜାହାଜଗୁଡ଼ିକୁ ଡାହାଁଣ ଓ ବାଁକୁ ଏବଂ ପଛକୁ ଲେଉଟାଇବା ଲାଗି ଯଥାସାଧ୍ୟ ଚେଷ୍ଟା କଲୁ । ଜାହାଜଗୁଡ଼ିକୁ ପଛଆଡ଼କୁ ଲେଉଟାଇଲା କ୍ଷଣି ସେଗୁଡିକ ପୁଣି ବୁଲିପଡ଼ି ଚୁମ୍ୱକ ପାହାଡ଼ ଆଡ଼କୁ ଆଗେଇଲା । ହାଉଲେ ହାଉଲେ ଜାହାଜ ବିଜୁଳି ଗତିରେ ପାହାଡ଼ ଆଡ଼କୁ ଧାଇଁବାକୁ ଲାଗିଲା ।

 

ପାହାଡ଼ ସ୍ପଷ୍ଟ ଭାବରେ ଦେଖାଯିବାରୁ ଜାହାଜରେ ଲାଗିଥିବା ଲୁହା କଣ୍ଟାଗୁଡ଼ିକ ବାହାରି ପାହାଡ଼ ଦେହରେ ବିଜୁଳି ବେଗରେ ଲାଗିଗଲା । ଜାହାଜଗୁଡ଼ିକ ଭାଙ୍ଗି ପଡ଼ିଲା ଏବଂ ଆଉ କେତେକ ଜାହାଜ କୁଆଡ଼େ ଅଦୃଶ୍ୟ ହେଲା, ତାହାର ସନ୍ଧାନ ମିଳିଲାନି । ଭଗବାନଙ୍କ କୃପାରୁ ମୁଁ ଖଣ୍ଡେ କାଠ ପାଖରେ ଦେଖି ତାକୁ ଆଶ୍ରା କରି ଅଥଳ ସମୁଦ୍ରରେ ଭାସିଲି । ଦେବ ଯୋଗେ ମୋ କାଠ ଖଣ୍ଡିକ ଭାସି ଭାସି ସେହି ଚୁମ୍ୱକ ପାହାଡ଼ ଦେହରେ ଲାଗିଲା । ମୁଁ ଉପରକୁ ଉଠିଲି ଏବଂ ପାହାଡ଼ ପାରି ହୋଇ ପୋତାଧ୍ୟକ୍ଷ କହିଥିବା ପିତଳ ମନ୍ଦିରକୁ ଗଲି ଏବଂ ପିତଳର ମଣିଷ ମୂର୍ତ୍ତି ଦେଖି ଛାନିଆ ହେଲି । ଅନ୍ୟ ଉପାୟ ନ ଦେଖି ସେହି ରାତିଟା ମୁଁ ପିତଳ ମନ୍ଦିରରେ ଶୋଇଲି । ଅଥଳ ସମୁଦ୍ର ମଝିରେ ଏଡ଼େବଡ଼ ପର୍ବତ ଉପରେ ଏକୁଟିଆ ରାତି କଟାଇବାକୁ ହେଲେ କୌଣସି ମଣିଷ ପକ୍ଷରେ ନିଦରେ ଶୋଇ ଯିବାଟା ସମ୍ଭବପର ନୁହେଁ, ତଥାପି ମୁଁ ଖୁବ୍‌ ହାଲିଆ ହୋଇ ପଡ଼ିଥିବାରୁ ଏବଂ ମୋତେ ଭାରି ଡର ମାଡ଼ୁଥିବାରୁ ସାଙ୍ଗେ ସାଙ୍ଗେ ଘମାଘୋଟ ନିଦରେ ଶୋଇ ପଡ଼ିଲି ଏବଂ ସ୍ୱପ୍ନ ଦେଖିଲ—ଜଣେ ବୁଢ଼ାଲୋକ ମୋତେ କହୁଛନ୍ତି—

 

‘‘ଆଜୀବ! ଉଠ, ତୁମ ବିଛଣା ତଳେ ଯେଉଁ ସ୍ଥାନରେ ମାଟି ଅଛି, ସେହି ଜାଗାକୁ ଖୋଳ, ତା’ହେଲେ ତୁମେ ପିତଳରେ ତିଆରି ଗୋଟିଏ ଶର, ଧନୁ ଓ ତିନୋଟି ସୀମାରେ ତିଆରି ଶର ପାଇବ । ଧନୁ ଶର ନେଇ ତୁମେ ଘୋଡ଼ାସବାର ପିତଳ ମୂର୍ତ୍ତିକୁ ବାଡ଼ାଅ । ଏତକ କଲେ ସେଇ ମୂର୍ତ୍ତି ସମୁଦ୍ର ପାଣିରେ ପଡ଼ିବ ଏବଂ ତାହାର ଘୋଡ଼ା ତୁମ ପାଖକୁ ଆସିବ । ସେହି ଘୋଡ଼ା ତୁମ ପାଖକୁ ଆସିବ । ସେହି ଘୋଡ଼ା ତୁମ ପାଖକୁ ଆସିଲେ ତୁମେ ତାକୁ ଧରି ଯେଉଁ ସ୍ଥାନରୁ ଧନୁ ଓ ଶର ପାଇଥିବ, ସେଠାରେ ଘୋଡ଼ାଟିକୁ ପୋତିଦେବ । ତା’ପରେ ଦେଖିବ ସମୁଦ୍ରର ଢେଉ ପର୍ବତ ଗ୍ରାସ କରିବାକୁ ଉଦ୍ୟତ ହୋଇ ଶିଖର ପର୍ଯ୍ୟନ୍ତ ଉଠିବ ଏବଂ ସାଙ୍ଗେ ସାଙ୍ଗେ ଦୁଇଟି ପିତଳ ମୂର୍ତ୍ତି ଗୋଟିଏ ପିତଳରେ ତିଆରି ସାନ ଡଙ୍ଗାକୁ ବାହି ତୁମ ପାଖରେ ହାଜର ହେବେ । ତୁମେ କଅଣ କରିବ ନିର୍ଭୟରେ କାହାରି ସାଙ୍ଗରେ କଥାଭାଷା ନ ହୋଇ ଡଙ୍ଗା ଉପରେ ବସିବ । ଦଶ ବାର ଦିନ ଭିତରେ ସେମାନେ ଡଙ୍ଗାବାହି ତୁମକୁ ତୁମ ଦେଶ ପାଖରେ ଥିବା କୌଣସି ଦ୍ୱୀପ ପାଖରେ ପହୁଞ୍ଚାଇ ଦେବେ ଏବଂ ସେଠାରୁ ତୁମେ ଖୁସିରେ ତୁମ ଘରକୁ ଯାଇ ପାରିବ । କିନ୍ତୁ ହୁସିଆର ଥିବ, ଡଙ୍ଗାରେ ବସିଥିଲାବେଳେ ତୁମେ ଭଗବାନଙ୍କ ନାମ ଧରି ପାରିବନି । ତାହା କଲେ ବିପଦ ସାଙ୍ଗେ ସାଙ୍ଗେ ଘନେଇ ଆସିବ । ସ୍ୱପ୍ନ ଦେଖିଲାକ୍ଷଣି ମୋ ନିଦ ଭାଙ୍ଗିଗଲା । ସ୍ୱପ୍ନରେ ଦେଖିଥିବା ବୁଢ଼ାଲୋକର କଥା ଅନୁଯାୟୀ ମୁଁ କାମ କରିବା ଲାଗି ପ୍ରସ୍ତୁତ ହେଲି । ପହିଲେ ଧନୁଶର ନେଇ ପିତଳର ଘୋଡ଼ସବାରକୁ ବାଡ଼େଇଲି । ତା’ ପରେ ପିତଳର ଘୋଡ଼ା ମୋ ପାଖକୁ ଆସିବାରୁ ତାକୁ ଧରି ଗାତରେ ପୋତି ଦେଲି । କିଛି ସମୟପରେ ସାନ ପିତଳର ଡଙ୍ଗା ଆସି ସେଇ ଉତ୍ତାଳ ତରଙ୍ଗମାଳା ଭେଦକରି ବିଜୁଳି ବେଗରେ କେଉଁ ଅଜଣା ପଥରେ ମୋତେ ନେଇ ଯାତ୍ରାକଲା । ପ୍ରାୟ ଦଶଦିନ ଏପରି ଭାବରେ କଟିଲା । ତହିଁ ଆରଦିନ ସକାଳେ ପାଖରେ କେତେଗୁଡ଼ିଏ ଦ୍ୱୀପ ଦେଖି ମୁଁ ଆନନ୍ଦରେ ଅଧୀର ହୋଇ କହିଲି, ଧନ୍ୟ ଭଗବାନ୍‌! ମୁଁ ଏତେଦିନ ପରେ କୂଳରେ ଲାଗିଲି, ଏତକ ମୋ ପାଟିରୁ ଛାଏଁ ଛାଏଁ ବାହାରି ପଡ଼ିଲା । ଏତକ ମୋ ପାଟିରୁ ବାହାରିଛି କି ନାହିଁ ସେହି ସାନପିତଳ ଡଙ୍ଗାର ପିତଳରେ ତିଆରି ନାଉରୀ କୁଆଡେ ଅଦୃଶ୍ୟ ହୋଇଗଲେ ଏବଂ ମୁଁ ସମୁଦ୍ର ପାଣିରେ ଭାସିବାକୁ ଲାଗିଲି । ଜାହାଜ ବୁଡ଼ିଗଲା ବେଳେ ଖଣ୍ଡେ କାଠଧରି ଭାସିଥିଲି, ହେଲେ ଏଇଲାଗେ ଆଶ୍ରାକରି ଭାସିବା ଲାଗି କିଛି ହେଲେ ନ ଥିଲା ।

 

ମୁଁ ବେହୋସ ଥିଲାବେଳେ ସମୁଦ୍ରର ଲହଡ଼ି ଦୟା ଦେଖାଇ ମୋତେ ଭସାଇ ନେଇ ଦ୍ୱୀପ ଉପରକୁ ଫିଙ୍ଗି ଦେଲା । ହୋସ ହେବାରୁ ମୁଁ ବଡ଼ କଷ୍ଟରେ ବସିଲି । ତା’ପରେ ଚାରିଆଡ଼େ ଆଖି ପକାଇ କୌଣସିଠାରେ ଜନମାନବର ଚିହ୍ନମାତ୍ର ଦେଖିବାକୁ ପାଇଲିନି । ହତାଶ ହୋଇ ଫେରିବା ଲାଗି ଭାବୁଛି ଏତିକିବେଳେ ଜାହାଜଟିଏ ସେଇ ଦ୍ୱୀପ ପାଖକୁ ଆସିବାର ଦେଖିଲି । ସେହି ଜାହାଜରେ କି ପ୍ରକାର ମଣିଷ ଅଛନ୍ତି, ଦେଖିବା ଲାଗି ଅତିକଷ୍ଟରେ ପାଖରେ ଥିବା ଗୋଟିଏ ଡେଙ୍ଗା ଗଛ ଉପରେ ଚଢ଼ିଲି ।

 

ଜାହାଜ କ୍ରମେ କ୍ରମେ ପାଖେଇ ଆସି ଦ୍ୱୀପ ପାଖରେ ନଙ୍ଗର ପକାଇଲା । ସେହି ଜାହାଜରୁ ତ୍ରିପଣ୍ଡ କାଳିଆ ମଣିଷଗୁଡ଼ଏ ବାହାରି ଆସି ଦ୍ୱୀପ ମଝିରେ ଥିବା ମାଟି ଖୋଳିବାକୁ ଆରମ୍ଭ କଲେ । କେତେ ଘଣ୍ଟା ଖୋଳିଲାପରେ ସେହି ସ୍ଥାନରୁ ଗୋଟିଏ ଗୁପ୍ତ ଦ୍ୱାର ବାହାରିଲା । ତାପରେ ପକାଘର ସଜାଇବା ଉପଯୋଗୀ ନାନାବିଧ ସାମଗ୍ରୀ ନେଇ ସେମାନେ ଗାତ ଭିତରେ ଥିବା ଦ୍ୱାରବାଟେ ଗଲାବେଳେ ଜଣେ ସୁନ୍ଦର ପିଲାକୁ ସାଙ୍ଗରେ ନେଇଗଲେ । ଅଳ୍ପ ସମୟ ପରେ ସେହି ବାଳକକୁ ଛାଡ଼ି ଅନ୍ୟ ସମସ୍ତେ ଦ୍ୱାର ଭିତରୁ ବାହାରି ଆସି ଗାତ ବୁଜିଦେଲେ । ତାପରେ ଜାହାଜରେ ଚଢ଼ି ବପରୀତ ଆଡ଼କୁ ପୁଣି ଯାତ୍ରାକଲେ ।

 

ଘଟଣା କ’ଣ କିଛି ମୁଁ ବୁଝି ନ ପାରି ଆସ୍ତେ ଆସ୍ତେ ଗଛରୁ ଓହ୍ଲାଇଲି । ଗାତ ଭିତରେ ପଶି ଗୋଟିଏ ସୁନ୍ଦର ସୁସଜ୍ଜିତ ଘରେ ପଲଙ୍କ ଉପରେ ସୁନ୍ଦର ପିଲାଟିକୁ ଶୋଇଥିବାର ଦେଖିଲି । ମୋତେ ଦେଖିଲାମାତ୍ରେ ପିଲାଟି ବିଛଣାରୁ ଉଠି ଡରରେ ପଚାରିଲା ଆପଣ କିଏ ଏବଂ ଆପଣ କିପରି ଏଠାକୁ ଆସିଲେ ?

 

ବାଳକକୁ ବୋଧବାଧ ଦେଇ ମୁଁ ପଚାରିଲି, ‘‘ତୁ ଏମିତି ଏଠାରେ ରହୁଛୁ କାହିଁକି ? ବାଳକଟି ହସି ହସି କହିଲା, ଏ ଗୋଟିଏ ବଡ଼ ଅଦ୍ଭୁତ ଘଟଣା । ଆପଣ ଯେବେ ଶୁଣିବାକୁ ମନ କରୁଛନ୍ତି, ତେବେ ଶୁଣନ୍ତୁ ।’’

Image

 

ଅତୀତ କାହାଣୀ

 

ମୋର ବାପା ଜଣେ ବିଖ୍ୟାତ ରତ୍ନ ପରୀକ୍ଷକ ଥିଲେ । ସେ ସେଇ ବ୍ୟବସାୟ ଦ୍ୱାରା ପ୍ରଚୁର ଅଥୋପାର୍ଜନ କରୁଥିଲେ, ହେଲେ ତେବେ ବି ସେ ମନକଷ୍ଟରେ କାଳ କାଟୁଥିଲେ, କାରଣ ସେ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲାପିଲି ହୋଇ ନ ଥିଲା । ନାନାପ୍ରକାର ଶାନ୍ତିସ୍ୱାସ୍ତ୍ୟୟନ କରି ଦିନେ ରାତିରେ ସେ ସ୍ୱପ୍ନ ଦେଖିଲେ ଯେ, ତାଙ୍କର ଗୋଟିଏ ପୁଅ ହେବ ହେଲେ ସେଇ ପୁଅ ପନ୍ଦର ବର୍ଷଯାଏ ବଞ୍ଚି ରହିବ । ସେହି ସମୁଦ୍ର ଭିତରେ ଗୋଟିଏ ଚୁମ୍ୱକର ପାହାଡ଼ ଉପରେ ଯେଉଁ ବିରାଟ ପିତଳର ମଣିଷ ମୂର୍ତ୍ତି ଅଛି, ସେଇ ମୂର୍ତ୍ତିକୁ ଆଜୀବ ନାମରେ ଜଣେ ରାଜା ସମୁଦ୍ର ଗର୍ଭକୁ ଫିଙ୍ଗି ଦେବେ ଏବଂ ତାଙ୍କରି ହାତରେ ପନ୍ଦର ବର୍ଷ ପୂରିଗଲେ ସେହି ପୁଅ ନିହତ ହେବ ।

 

ଏ ପ୍ରକାର ସ୍ୱପ୍ନ ସେଖି ମୋ ବାପା ହର୍ଷ ଓ ଉତ୍କଣ୍ଠାରେ ଅଧୀର ହେଲେ, ହେଲେ କାହାପାଖରେ ଏହି ଦୁଃସସ୍ୱାଦ ବ୍ୟକ୍ତ କଲେ ନି । ତା’ପରେ ବାପାଙ୍କର ବୁଢ଼ା ବୟସବେଳେ ମୁଁ ଯେମିତି ଜନ୍ମ ହେଲି, ଆଶ୍ଚର୍ଯ୍ୟର ବିଷୟ, ବାପା ମୋର ଯେମିତି ସ୍ୱପ୍ନ ଦେଖିଥିଲେ ଜ୍ୟୋତିଷମାନେ ବି ଠିକ୍‌ ସେମିତି ଗଣନା କରି କହିଲେ । ବାପା ସେତେବେଳେ ଶୋକରେ ବଡ଼ ଅଧୀର ହୋଇ ପଡ଼ିଲେ ଏବଂ ସେହି ଦିନଠୁଁ ମୋତେ ଖୁବ୍‌ ସାବଧାନରେ ରଖୁ ଥିଲେ, ମୁହୂର୍ତ୍ତକ ପାଇଁ ବି ମୋତେ ନ ଦେଖି ରହି ପାରୁ ନ ଥିଲେ ।

 

ମୋର ପନ୍ଦର ବର୍ଷ ପୂରିବାକୁ ଚାଳିଶ ଦିନ ଥାଏ, ବାପା ଶୁଣିଲେ ଯେ ସେହି ପିତଳ ମୂର୍ତ୍ତିକୁ କିଏ ସମୁଦ୍ର ଗର୍ଭରେ ଫିଙ୍ଗି ଦେଇଛି । ସେଥିପାଇଁ ସେ ମନ୍ତ୍ରୀମାନଙ୍କ ସହିତ ପରାମର୍ଶ କରି ଦାସ ଓ ନାନାବିଧ ଦ୍ରବ୍ୟ ସାଙ୍ଗରେ ଦେଇ ମୋତେ ଏଇ ଦ୍ୱୀପରେ ଲୁଚାଇ ରଖିବା ଲାଗି ଆଦେଶ ଦେଲେ ଏବଂ ଯେବେ ବଞ୍ଚି ରହିବି ତେବେ ଚାଳିଶ ଦିନ ପରେ ପୁଣି ସେମାନେ ମୋତେ ଏଠାରୁ ନେଇଯିବେ ।

 

ଏଇ ବିବରଣୀ ଶୁଣି ମୁଁ ବାଳକ ପାଖରେ ପ୍ରକାଶ କରି ନ ଥିଲି ଯେ, ମୁହିଁ ସେହି ମୂର୍ତ୍ତି ଧ୍ୱଂସକାରୀ ରାଜା ଆଜୀବ । ମୁଁ ଯେବେ ପ୍ରକାଶ କରିଥାଆନ୍ତି ତେବେ ବାଳକ ଭୟରେ ଆକୁଳ ହୋଇଥାଆନ୍ତା । ସେହି ବାଳକ ସାଙ୍ଗରେ ମୁଁ ସେଠାରେ ବାସ କରିବାକୁ ଲାଗିଲି, ମୋର ଏଇ ଉଦ୍ଦେଶ୍ୟ ଥିଲା ଯେ, ଜ୍ୟୋତିଷମାନଙ୍କର ଗଣନାକୁ ମିଛ ବୋଲି ପ୍ରମାଣ କରିବା । ପ୍ରାୟ ଅଣଚାଳିଶ ଦିନ ଆମେ ଦିହେଁ ସେଠାରେ ନିର୍ବିଘ୍ନରେ ଦିନ କାଟିଲୁ ।

 

ତହିଁ ଆରଦିନ ସକାଳେ ଚାଳିଶ ଦିନ ପୂରିବ, ବାଳକଟି ଅଧୀର ହୋଇ ଥରକୁ ଥର ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲା ଯେ ଆଜି ରାତିଟା ପାହିଲେ କାଲି ମୋର ବାପା ଆସି ମୋତେ ନେଇଯିବେ । ରାତି ହେଲା, ଆମେ ଦୁହେଁ ଏକସାଙ୍ଗରେ ଖାଇ ଗୋଟିଏ ବିଛଣାରେ ଶୋଇଲୁ । ହଠାତ୍‌ ରାତିରେ ପିଲାଟିକୁ ଭାରି ଶୋଷ ହେବାରୁ ସେ ମୋତେ କହିଲା ‘‘ମୋତେ ଖଣ୍ଡେ ତରଭୁଜ କାଟିଦିଅ; ଶେଷରେ ମୋ ପାଟି ଅଠା ଅଠା ହୋଇଯାଉଛି । ମୁଁ ପିଲାର କଥା ଅନୁଯାୟୀତ ର ଭୁଜ ବାହାର କରି ଆଣିଲି; ହେଲେ କେଉଁଠି ଖୋଜି ନ ପାଇବାରୁ ଛୁରୀ କେଉଁଠି ଅଛି ପିଲାକୁ ପଚାରିଲି । ପିଲାଟି କହିଲା ‘‘ବିଛଣା ଉପରେ ଯେଉଁ ଥାଳି ଅଛି, ତାହା ଉପରେ ଛୁରୀ ଅଛି ।’’ ମୁଁ ନିଦ ଅଳସରେ ପଲଙ୍କ ଉପରେ ଠିଆ ହୋଇ ଛୁରୀ ଖୋଜିବାକୁ ଗଲାବେଳେ ଏତିକିବେଳେ ହଠାତ୍‌ ମୋ ଗୋଡ଼ରେ ଲୁଗା ଗୁଡ଼େଇ ହୋଇ ଯିବାରୁ ଛୁରୀକୁ ଧରି ମୁଁ ସେହି ପିଲା ଉପରେ ପଡ଼ିଲି, ସାଙ୍ଗେ ସାଙ୍ଗେ ଛୁରୀଟା ପିଲାର ବେକରେ ଗଳିଗଲା, ପିଲାଟି ମଲା–ଜ୍ୟୋତିଷମାନଙ୍କ କଥା ସତ ହେଲା ।

 

ଏଇ ଆକସ୍ମିକ ଅନିଚ୍ଛାକୃତ ନିଷ୍ଠୁର ହତ୍ୟା ବ୍ୟାପାରରେ ମୁଁ ଶୋକରେ ପୂରାପୂରି ଅଭିଭୂତ ହେଲି । ରାତିସାରା ମୃତ ବାଳକର ପାଖରେ ବସି ନାନାବିଧ ବିଳାପ କରିବାକୁ ଲାଗିଲି । ରାତି ପାହିଲା, ମୁଁ ପାତାଳପୁରୀରୁ ବାହାରି ପୁଣି ସେହି ଗଛ ଉପରେ ଚଢ଼ିଲି; କାରଣ ସେହି ପିଲାର ବାପା ଦ୍ୱୀପରେ ଉପସ୍ଥିତ ହେଲେ । ଗଛ ଉପରେ ବସି ଦେଖିଲି, ସେହି ପିଲାଟିର ବାପା ସୁଡ଼ଙ୍ଗବାଟରେ ଠିଆହୋଇ ପିଲାଟିର ନା ଧରି ଡାକୁ ଡାକୁ ଭିତରକୁ ଗଲେ । କିଛି ସମୟ ପରେ କରୁଣ ଆର୍ତ୍ତନାଦରେ ସମସ୍ତ ଦ୍ୱୀପକୁ କମ୍ଫାଇ ମୃତ ପିଲାକୁ ନେଇ ବାହାରି ଆସିଲେ ଏବଂ ସେହି ସ୍ଥାନରେ ପିଲାଟିର ଶବକୁ କବର ଦେଲେ । ତା’ପରେ ସମୁଦାୟ ଦ୍ରବ୍ୟ ଜାହାଜରେ ଲଦି ନିଜ ଦେଶକୁ ଲେଉଟି ଗଲେ ।

 

ତା’ପରେ ମୁଁ ଗଛରୁ ଓହ୍ଲାଇ ପୁଣି ପାତାଳପୁରୀକୁ ଗଲି ଏବଂ ସେଠାରେ କିଛିଦିନ କଟାଇ ଦିନେ ସକାଳେ ବାହାରକୁ ଆସି ଦେଖିଲି, ଗୋଟିଏ ପ୍ରକାଣ୍ଡ ସେତୁପରି ଭୂଖଣ୍ଡ ଏଇ ଦ୍ୱୀପରୁ ବାହାରିଛି ।

 

ମୁଁ ସେତୁ ଉପର ଦେଇ ବରାବର ଯାତ୍ରା କଲି । ବହୁକ୍ଷଣ ପରେ ଅନ୍ୟ ଗୋଟିଏ ଦ୍ୱୀପରେ ଉପସ୍ଥିତ ହେଲି । ସେଠାରେ ଗୋଟିଏ ବଡ଼ ତମ୍ୱାରେ ତିଆରି ତମ୍ୱୁ ରହିଅଛି ଦେଖି ତାହାପାଖକୁ ଯାଇ ବସିଲି । କିଛିକ୍ଷଣ ପରେ ତମ୍ଭୁ ଭିତରୁ ଦଶ ଜଣ ଦକ୍ଷିଣ ଚକ୍ଷୁହୀନ ସୁନ୍ଦର ଯୁବା ପୁରୁଷ ଜଣେ ବୁଢ଼ା ସାଙ୍ଗରେ ବାହାରି ଆସିଲେ । ମୋତେ ନବାଗତ ଦେଖି ମୋର ପରିଚୟ ପଚାରିଲେ ଏବଂ ଆଦରକରି ମୋତେ ସାଙ୍ଗରେ ନେଇଗଲେ ।

 

ଆନନ୍ଦରେ ଦିନଟିଯାକ କଟିଲା । ରାତିରେ ଦଶଜଣଯାକ ଦଶୋଟି ନୀଳ ରେଶମୀ ବସ୍ତ୍ରାଚ୍ଛାଦିତ ପଲଙ୍କ ଉପରେ ବସିଲେ । ମଝିରେ ବୁଢ଼ା ଓ ତାଙ୍କରି ପାଖରେ ମୁଁ ବସିଲି । ସେମାନେ ମୋତେ କହିଲେ, ‘ଭାଇ, ଆମର ରାତିର କାର୍ଯ୍ୟାବଳୀ ଦେଖି କୌଣସି କଥା ପଚାରନି, କାରଣ ସେଥିରେ ତୁମର ଅନିଷ୍ଟ ହେବ ।’ ମୁଁ ସେମାନଙ୍କର କଥା ମାନି ସେଠାରେ ବସିଲି । ପ୍ରଚୁର ଖାଦ୍ୟ ଦିର ଆୟୋଜନ ହେଲା । ସମସ୍ତେ ହିଁ ଏହାର ସଦ୍‌ବ୍ୟବହାର କଲେ । ତା’ପରେ ମଦ ଅଣାଯିବାରୁ ବେଶ୍‌ପିଆପିଇ ଚାଲିଲା । ଏତିକିବେଳେ ସେମାନଙ୍କ ଭିତରୁ ଜଣେ ଯୁବା ବୁଢ଼ାକୁ ଡାକି କହିଲା, ‘‘ରାତି ବେଶି ହେଲାଣି, ଏବେ ଆମର କାର୍ଯ୍ୟ ଆରମ୍ଭ ହେଉ ।’ ଏ କଥା ସେ କହିଲାବେଳେ ଆମେ ଯେଉଁଠି ଖିଆପିଆ କରୁଥିଲୁ, ସେ ସ୍ଥାନକୁ ପରିଷ୍କାର କରାଗଲା ଏବଂ ସେହି ସ୍ଥାନକୁ ବୁଢ଼ା ଦଶୋଟି ନୀଳ ବସ୍ତ୍ରାବୃତ ପାତ୍ର ଆଣିଲେ । ଦଶ ଜଣଯାକ ଯୁବକ ପ୍ରତ୍ୟେକେ ଗୋଟିଏଁ ଲେଖାଏ ପାତ୍ର ନେଇ ଆଚ୍ଛାଦନ ଖୋଲିଲେ । ମୁଁ ଖୁବ୍‌ବିସ୍ମିତ ହୋଇ ଦେଖିଲି ଯେ, ପାତ୍ର ମଧ୍ୟରେ ଖାଲି କୋଇଲା, କାଳି ସେମାନେ ମୁହଁରେ ବାଳି ପ୍ରତ୍ୟେକ ବୀଭତ୍ସ ମୂର୍ତ୍ତି ଧରି କରୁଣ ସ୍ୱରରେ ବିଳାପ କରିବାକୁ ଲାଗିଲେ ଏବଂ ମୁଣ୍ଡ ଓ ଛାତିକୁ ବାଡ଼େଇଲେ । ଏପରି ଭାବରେ ସମସ୍ତ ରାତି କଟାଇଲେ । ସକାଳ ହେଲା, ବୁଢ଼ା ଗରମ ପାଣି ଆଣିବାରୁ ସେମାନେ ମୁହଁ ହାତ ଧୋଇ ପ୍ରକୃତିସ୍ଥ ହୋଇ ବସିଲେ । ମୁଁ ଏ ସବୁ କଥା ବୁଝି ନ ପାରି ପ୍ରତିଜ୍ଞା ବିସ୍ମୃତ ହୋଇ ପଚାରିଲି, ‘‘ଆପଣମାନେ ଏମିତି ଆର୍ତ୍ତନାଦ କରନ୍ତି କାହିଁକି ?’’ ସେମାନେ ମୋ କଥା ଶୁଣି ରାଗରେ ନିଆଁ ବାଣ ହୋଇ କହିଲେ, ‘ପଚାରନି, ଭୟାନକ ବିପଦ ମାଡ଼ିଆସିବ ।’ ଅଗତ୍ୟା ସେହି ଦିନରୁ ମୁଁ ଚୁପ୍‌ ହୋଇ ରହିଲି । ଆଉ ସେ ବିଷୟରେ ପାଟି ଫିଟାଇଲିନି । ସେ ଦିନ ରାତିରେ ବି ସେମାନେ ଆଗପରି କାମ କରିବାରୁ ମୁଁ ପୁଣି ପଚାରିଲି, ‘ଏହାର କାରଣ କ’ଣ ମୋତେ କହିବାକୁ ପଡ଼ିବ ।’

 

ସେତେବେଳେ ସେମାନେ ମୋତେ କହିଲେ, ‘ଯେବେ ଆମେ ତୁମକୁ ଏହାର କାରଣ କହୁଁ ତା’ହେଲେ ଶୁଣିଲାକ୍ଷଣି ତୁମର ଏହିପରି ଅବସ୍ଥା ହେବ ।’

 

ମୁଁ କହିଲି ‘ମୁଁ ଏଥିଲାଗି ପ୍ରସ୍ତୁତ । ତେବେ ବି କାରଣ ଜାଣିବାଲାଗି ମନେ କରେ ।’ ଯୁବକମାନେ ମୋତେ ସମୁଦ୍ର କୂଳକୁ ନଇଯାଇ କହିଲେ, ‘ଆମେ ତୁମକୁ ଖଣ୍ଡିଏ ମେଣ୍ଢା ଚମଡ଼ା ରତରେ ପୂରାଇ ସିଲେଇ କରି ଏଠାରେ ପକାଇଦେବୁ । ଅଳ୍ପ ସମୟ ପରେ ଗୋଟିଏ ସାମୁଦ୍ରିକ ପକ୍ଷୀ ମେଣ୍ଢା ବୋଲି ଭାବି ତୁମକୁ ଥଣ୍ଟୁରେ ଟେକି ନେଇ ଉଡ଼ିଯାଇ ସମୁଦ୍ର ଭିତରେ ଥିବା କୌଣସି ପାହାଡ଼ ଉପରେ ବସି ଖାଇବାକୁ ଗଲାବେଳେ ତୁମେ ଛୁରୀରେ ଚମଡ଼ା କାଟି ବାହାରି ଆସିବ । ତୁମକୁ ଦେଖି ପକ୍ଷୀଟି ପଳେଇଯିବ । ତା ପରେ ତୁମେ ପାହାଡ଼ ଉପରେ ଉତ୍ତର ଆଡ଼କୁ ଯିବ । କିଛି ସମୟ ପରେ ତୁମେ ସେଠାରେ ଗୋଟିଏ ମଣିମାଣିକ୍ୟାଦି ଭୂଷିତ ସ୍ୱର୍ଣ୍ଣ ନିର୍ମିତ ରାଜ ପ୍ରାସାଦ ଦେଖିବାକୁ ପାଇବ । ତା’ପରେ ତୁମେ ଉଆସ ଭିତରକୁ ଗଲେ, ଆମର ଏମିତି ଶୋଚନୀୟ ଅବସ୍ଥାର କାରଣ ଜାଣି ପାରିବ ।

 

ଏ କଥା କହି ଯୁବକମାନେ ଚାଲିଗଲେ ଏବଂ ଅଳ୍ପ ସମୟ ପରେ ଗୋଟିଏ ବଡ଼ ମେଣ୍ଢାକୁ ଆଣି ମୋ ସାମନାରେ ହାଣିଲେ । ତା’ପରେ ଚମଡ଼ା ଉତ୍ତାରି ମୋତେ ତାହା ଭିତରେ ପୂରାଇ ଖୁବ୍‌ ନିପୁଣତାର ସହିତ ସିଲେଇ କଲେ । ମୋତେ ସେଠାରେ ପକାଇ ଦେଇ ସେମାନେ କିଛି ଦୂରକୁ ଯାଇ ଅନ୍ତରାଳରେ ରହିଲେ । କିଛିକ୍ଷଣ ପରେ ଗୋଟିଏ ବଡ଼ ସାମୁଦ୍ରିକ ପକ୍ଷୀ ଆସି ମୋତେ ଥଣ୍ଟରେ ଧରି ଅନାୟାସରେ ଉଡ଼ିଗଲା ଏବଂ ଅଳ୍ପ ସମୟ ଭିତରେ ମୋତେ ସେମାନଙ୍କ କଥିତ ପାହାଡ଼ ଉପରକୁ ଆଣିଲା ।

 

ମୁଁ ଚମଡ଼ା ଭିତରେ ବେଶୀ ସମୟ ରହିବା ଅନୁଚିତ ମନେ କରି ଛୁରୀରେ ଚମଡ଼ା କାଟି ପଦାକୁ ବାହାରି ଆସିଲି । ପକ୍ଷୀଟା ହଠାତ୍‌ ମୋତେ ଦେଖି ଡରିଯାଇ ଉଡ଼ି ପଳାଇଲା । ଶେଷରେ ସେମାନଙ୍କ କହିବା ଅନୁଯାୟୀ ନିର୍ଦ୍ଦିଷ୍ଟ ପଥରେ ଯାଉଁ ଯାଉଁ ମୁଁ ଗୋଟିଏ ସୁନ୍ଦର ଉଆସ ଦ୍ୱାରରେ ପହଞ୍ଚିଲି । ଉଆସ ଭିତରେ ପଶି ଦେଖିଲି, ଉଆସର ଅଗଣାଟି ଖୁବ୍ ବଡ଼ ଓ ତାହାର ଚାରିଆଡ଼େ ଅନେକ ଦ୍ୱାର । ଗଣି ଦେଖିଲି ଶହେଟି ଦ୍ୱାର ଅନେଶତଟି ଦ୍ୱାର ମୂଲ୍ୟବାନ୍‌ କାଠରେ ତିଆରି ଏବଂ ଗୋଟିଏ ମାତ୍ର ସୁନାରେ ତିଆରି । ପାଖରେ ଉପରକୁ ଚଢ଼ିବାଲାଗି ପାହାଚ ସବୁ ଅଛି । ପାହାଚ ଉପରେ ଚଢ଼ି ଗୋଟିଏ ବିସ୍ତୀର୍ଣ୍ଣ ଘରେ ଅପୂର୍ବ ବହୁମୂଲ୍ୟ ବସନ ଭୂଷଣରେ ଭୂଷିତା ଦେବକନ୍ୟା ପରି ଚାଳିଶଜଣ ସ୍ତ୍ରୀ ଲୋକଙ୍କୁ ବସିଥିବାର ଦେଖିଲି । ମୋତେ ଦେଖି ସମସ୍ତେ ଆନନ୍ଦରେ ପାଟିତୁଣ୍ଡ କଲେ ଏବଂ ମୋ ପ୍ରତି ବିଶେଷ ଅଭ୍ୟର୍ଥନା ଦେଖାଇ ମୋତେ ନେଇ ସେମାନେ ସେମାନଙ୍କ ପାଖରେ ବସାଇ କହିବାକୁ ଲାଗିଲେ, ‘‘ଆମେ ଅନେକ ଦିନ ହେଲା କୌଣସି ପୁରୁଷର ମୁହଁ ଦେଖିନୁ । ସେଥିପାଇଁ ତୁମକୁ ଦେଖି ଆମେ ଖୁବ୍‌ ଆନନ୍ଦିତ ହୋଇଛୁ । ଆଉ ତୁମେ ବି ଅତି ସୁପୁରୁଷ । ତୁମେ ଆମ ସାଙ୍ଗରେ ଏଠାରେ ରହି ଆମର ପ୍ରଭୁ ହୋଇ ଏଠାରେ ରୁହ ଏବଂ ଯେତେବେଳେ ଯାହା ଇଚ୍ଛା ଭୋଗ କର । ଏକଥା କହି ସେମାନେ ମୋ ପରିଚୟ ପଚାରିଲେ । ମୁଁ ସେମାନଙ୍କ ପାଖରେ ଅକପଟରେ ଗୋଟି ଗୋଟି କରି ସବୁ କଥା କହିଗଲି । ସେମାନେ ଶୁଣି ଶୁଣି କେତେବେଳେ ବା ଦୁଃଖରେ, କେତେବେଳେ ବା ଭୟରେ, କେତେବେଳେ ବା ଆନନ୍ଦରେ ଅଭିଭୂତ ହେବାକୁ ଲାଗିଲେ ।

 

ସ୍ତ୍ରୀ ଲୋକମାନେ ମୋର ଏମିତି କାହାଣୀ ଶୁଣି ଏବଂ ମୋତେ ଜଣେ ବିଖ୍ୟାତ ରାଜା ଜାଣିପାରି ମୋ ପ୍ରତି ଏକାନ୍ତ ଅନୁରକ୍ତ ହୋଇ ମୁଗ୍‌ଧାପରି ଆଚରଣ କରିବାକୁ ଲାଗିଲେ । ତା’ପରେ ମୋତେ ସିଂହାସନରେ ବସିବା ଲାଗି ସମସ୍ତେ ଅନୁରୋଧ କଲେ । ପହିଲେ ମୁଁ ସନ୍ଦେହ କରି ସିଂହାସନରେ ବସିବା ଲାଗି ନାମଙ୍ଗ ହେବାରୁ ସେମାନେ ଏପରି ଖୋଲାଖୋଲି ଭାବରେ ବନ୍ଧୁତା ଦେଖାଇ କଥାଭାଷା କରିବାକୁ ଲାଗିଲେ, ଯହିଁରେ ସେମାନଙ୍କ ଅନୁରୋଧ ଅଗ୍ରାହ୍ୟ କରିବା ମୋ ପକ୍ଷରେ ପୂରାପୂରି ଅସମ୍ଭବ ହେଲା ।

 

କ୍ରମଶଃ ରାତି ହେଲା । ସ୍ତ୍ରୀଲୋକମାନେ ମୋତେ ନେଇ ଗୋଟିଏ ସୁପ୍ରଶସ୍ତ ଭୋଜନାଗାରରେ ପ୍ରବେଶ କଲେ । ବହୁବିଧ ଦେବଭୋଗ୍ୟ ଓ ସ୍ୱବାସିତ ପାନୀୟ ସମସ୍ତେ ମିଳିମିଶି ବ୍ୟବହାର କଲୁ । ଖାଇ ସାରିବା ପରେ କିଛି ସମୟ ପାଇଁ ନାନାପ୍ରକାର କ୍ରୀଡ଼ା କୌତୁକରେ ମାତିଲୁ । ତା’ପରେ ଜଣେ ସ୍ତ୍ରୀଲୋକ ମୋତେ କହିଲେ, ପ୍ରଭୁ, ‘ତୁମେ ପଥଶ୍ରମରେ ନିତାନ୍ତ କ୍ଳାନ୍ତ, ଆଉ ରାତି ବି ବେଶି ହେଲାଣି । ଆମ ଭିତରୁ ଯାହାକୁ ତୁମର ଖୁସି ନେଇ ଶୋଇବାକୁ ଯାଅ ।’ ମୁଁ କାହାକୁ ନେବାକୁ ରାଜି ହେଲିନି । କାରଣ ଜଣକୁ ଛାଡ଼ି ଅନ୍ୟ ଜଣକୁ ନେଲେ ନିଶ୍ଚୟ ତାହା ମନରେ ରାଗହେବ । ଫଳରେ ଦେହାନ୍ତର ଲାଭ ହୋଇପାରିବ । ଏଇ ଡରରେ ମୁଁ କାହାକୁ ସାଙ୍ଗରେ ନ ନେଇ ଏକୁଟିଆ ଶୟନ ଗୃହକୁ ଯିବାର ବାସନା ପ୍ରକାଶ କଲି ।

 

ସ୍ତ୍ରୀ ଲୋକମାନେ ମୋର ଉତ୍କଣ୍ଠାର କାରଣ ବୁଝିପାରି କହିଲେ, ତୁମେ ଡରୁଛ କାହିଁକି-? ଆମ ଭିତରୁ କାହାରୁ ଭିନ୍ନ ଭାବନାହିଁ । ଆମ ଭିତରୁ କାହାରି ମନରେ ହିଂସା ବା ରାଗ ଆସିବ ନି, କାରଣ ଆମେ ସମସ୍ତେ ଏକ ଆତ୍ମା, ଆମର ଦେହ ମାତ୍ର ବିଭିନ୍ନ ।

 

ସେତେବେଳେ ଯେଉଁ ସ୍ତ୍ରୀଲୋକଟି ଆଗେ ମୋତେ ଶୟନଗୃହକୁ ଯିବାଲାଗି ଅନୁରୋଧ କରିଥିଲେ, ମୁଁ ତାଙ୍କରି ହାତ ଧଇଲି । ଅନ୍ୟାନ୍ୟ ସ୍ତ୍ରୀଲୋକମାନେ ଖୁବ୍‌ ସନ୍ତୁଷ୍ଟ ହୋଇ ମୋତେ ଗୋଟିଏ ସୁନ୍ଦର ସଜ୍ଜିତ ଘରକୁ, ନେଇଯାଇ ନମସ୍କାର କରି ଚାଲିଗଲେ । ମୁଁ ରାତିଟା ବେଶ୍‌ ଆନନ୍ଦରେ କଟାଇଲି । ସକାଳେ ଅନ୍ୟାନ୍ୟ ସ୍ତ୍ରୀଲୋକମାନେ ଆସି ରାତିଟା କେମିତି କଟିଲା ବୋଲି ପଚାରିଲେ । ମୁଁ ସେମାନଙ୍କୁ ମିଷ୍ଟାଳାପ ଦ୍ୱାରା ତୁଷ୍ଟ କଲି ।

 

ମୋର ଦିନଗୁଡ଼ିକ ଏପରି ଅତି ଆନନ୍ଦରେ କଟିବାକୁ ଲାଗିଲା । ମୁଁ ପ୍ରତିଦିନ ଜଣେ ଲେଖାଁଏ ସ୍ତ୍ରୀଲୋକକୁ ନେଇ ଶୋଇବାକୁ ଯାଉଥିଲି । ଏହିପରି ପ୍ରାୟ ବର୍ଷେ ବିତିଗଲା । ଦିନେ ସ୍ତ୍ରୀଲୋକମାନେ କାନ୍ଦି କାନ୍ଦି ମୋ ପାଖକୁ ଆସି କହିଲେ, ‘‘ଆମେ କାହିଁକି ତୁମ ପ୍ରେମରେ ପଡ଼ିଲୁ-? ବହୁଦିନ ହେଲା ଏମିତି ଅନେକ ପୁରୁଷ ଆମ ପାଖକୁ ଆସୁଛନ୍ତି; କିନ୍ତୁ ଦିନେ କେହି ଆମ ସାଙ୍ଗରେ ରହିବାକୁ କ୍ଷମ ହୁଅନ୍ତି ନି, ସେଥିଲାଗି ତମକୁ ଛାଡ଼ି ଯିବାଲାଗି ଆମ ମନରେ ବଡ଼ କଷ୍ଟ ହେଉଛି । ଆମେ ବି ସେ କଥା ତୁମକୁ ବୁଝାଇ ପାରୁନୁ ।

 

ମୁଁ ହତବୁଦ୍ଧି ହୋଇ ସେମାନଙ୍କର ବିଳାପ ଓ ଚାଲିଯିବାର କାରଣ ପଚାରିଲି । ସେମାନେ କହିଲେ, ଆମେମାନେ ବିଭିନ୍ନ ଦେଶର ରାଜକୁମାରୀ । ଆମେ ବର୍ଷ ଭିତରେ ଚାଳିଶ ଦିନ ବାପଘରେ ରହୁଁ ଏବଂ ବାକି ସମୟତକ ଏଠାରେ କଟାଉଁ । ଆଜି ଆମର ବାପଘରକୁ ଯିବାର ଦିନ ଆସି ପହଞ୍ଚିଛି, ସେଥିପାଇଁ ଆମେ ସମସ୍ତେ ଅତ୍ୟନ୍ତ କାତର ହୋଇଛୁ । ଆମେ ଜାଣି ପାରୁଛୁ, ତୁମ ସାଙ୍ଗରେ ଆମର ଶୀଘ୍ର ବିଚ୍ଛେଦ ଘଟିବ । ତୁମେ ଖୁବ୍‌ ହୁସିଆର ହୋଇଥିବ । ଯେବେ କୌଣସି ଜିନିଷର ଅଭାବ ଘଟେ, ଭଣ୍ଡାର ଘରେ ତଲାସ କଲେ ତୁମେ ସାଙ୍ଗେ ସାଙ୍ଗେ ପାଇ ପାରିବ । ଭୋଜନ ଘରେ ସବୁପ୍ରକାର ଖାଦ୍ୟ ସର୍ବଦା ପ୍ରସ୍ତୁତ ହୋଇ ରହିଥିବ, କେବଳ ମାତ୍ର ଚାଳିଶ ଦିନ ଯାଏ କୌଣସି ଶଯ୍ୟାସଙ୍ଗିନୀ ପାଇ ପାରିବ ନି । ଆମେ ଠିକ୍‌ ଏକଚାଳିଶ ଦିନରେ ଏଠାରେ ଆସି ହାଜର ହେବୁ । ଯାହାହେଉ, ତୁମକୁ ଏଇ ଦୀର୍ଘ ସମୟ କଟାଇବା ଲାଗି ବେଶି କିଛି ଭାବିବାକୁ ପଡ଼ିବ ନି । ଏହି ଯେ ଶହେଟି ଦ୍ୱାର ଦେଖୁଛ, ଏଗୁଡ଼ିକର ଚାବି ନିଅ ଏବଂ ସମୟ ମୁତାବକ ଗୋଟିଏ ଗୋଟିଏ ଦ୍ୱାର ଖୋଲି ଭିତରେ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ ବସ୍ତୁ ଅଛି, ସେଗୁଡ଼ିକ ଦେଖିବ । ହେଲେ ମନେ ରଖିବ, ଏଇ ଯେ ସୁନାର ଦ୍ୱାର ଦେଖୁଛ, ଏହାକୁ କେବେହେଲେ ଭୁଲରେ ଖୋଲିବ ନି । ଖୋଲିଲା କ୍ଷଣି ଚାରିଆଡ଼ୁ ବିପଦ ମାଡ଼ି ଆସିବ । ଜୀବନରେ ଆଉ ଆମ ସହିତ ଦେଖା ସାକ୍ଷାତ ହେବନି । ଏହା କହି ଚାବିଲେନ୍ଥାଟା ମୋ ହାତରେ ଦେଇ ସେମାନେ କାନ୍ଦି କାନ୍ଦି ଉଆସ ଛାଡ଼ିଲେ । ଏହି ସମୁଦ୍ର ଭିତରେ ଥିବା ପାହାଡ଼ରୁ ସେମାନେ କି ଉପାୟରେ ଏବଂ କୁଆଡ଼େ ଗଲେ, ତାହା ଦେଖିବା ଲାଗି ମୁଁ ସେମାନଙ୍କ ସାଙ୍ଗେ ସାଙ୍ଗେ କିଛିଦୂର ଗଲି, ହେଲେ କିଛିକ୍ଷଣ ପରେ ଲେଉଟି ଯିବାଲାଗି ଅନୁରୋଧ କରି ସେମାନେ କହିଲେ, ‘‘ସଞ୍ଜ ଆସୁଛି, ତୁମେ ଶୀଘ୍ର ଲେଉଟିଯାଅ, ହୁଏତ ବାଟରେ କୌଣସି ବିପଦ ପଡ଼ିପାରେ ।’’ ଅଗତ୍ୟା ସେମାନଙ୍କର ଯିବା ବାଟ ଦେଖିବାର ଆଶା ଛାଡ଼ି ଉଆସକୁ ଫେରି ଆସିଲି ଏବଂ ଶୀଘ୍ର ଖିଆପିଆ କରି ଶୋଇବା ଘରକୁ ଗଲି ଏବଂ ସହଳ ନିଘୋଡ଼ ନିଦରେ ଶୋଇପଡ଼ିଲି ।

 

ତହିଁ ଆରଦିନ ସକାଳେ ନିଦ ଭାଙ୍ଗିଲା । ଶୌଚ, ସ୍ନାନ ଓ ଆହାରାଦି ଶେଷ କରି ଚାବି ନେନ୍ଥାରୁ ସୁନାଦ୍ୱାରର ଚାବିଟା ଖୋଲି ରଖିଲି ଏବଂ ଅନ୍ୟାନ୍ୟ ଦ୍ୱାରର ଚାବିଗୁଡ଼ିକ ନେଇ ଦ୍ୱାର ଆଡ଼କୁ ଯାତ୍ରା କଲି ।

 

ପ୍ରଥମ ଦ୍ୱାରରେ ପହଞ୍ଚି ଖୋଲି ଦେଖିଲି, ଗୋଟିଏ ନନ୍ଦନକାନନ ପରି ଫୁଲର ବଗିଚା-। ଦ୍ୱିତୀୟ ଦ୍ୱାର ଖୋଲି ନାନାପ୍ରକାର ଫଳର ବଗିଚା ଦେଖିବାକୁ ପାଇଲି ।

 

ତହିଁ ଆରଦିନ ସକାଳେ ତୃତୀୟ ଦ୍ୱାର ଖୋଲି ଦେଖିଲି ଗୋଟିଏ ବଡ଼ ବଗିଚାରେ ନାନାପ୍ରକାର ପକ୍ଷୀ ରହିଛନ୍ତି ।

ଚତୁର୍ଥ ଦ୍ୱାର ଖୋଲି ଗୋଟିଏ ପୋଖରୀ ଦେଖିବାକୁ ପାଇଲି ।

 

ପଞ୍ଚମ ଦ୍ୱାର ଉଦ୍‌ଘାଟନ କରି ଗୋଟିଏ ମନୋହର ଉଦ୍ୟାନବାଟିକା ଦେଖିଲି । ବାଟୀର ନିର୍ମାଣ କୌଶଳ ଏବଂ ଉଦ୍ୟାନର ଶୋଭା ଦେଖି ମନେହେଲା ଯେମିତି ଏହା ମଣିଷ ହାତର କାମନୁହେଁ । ନାନାପ୍ରକାର ବହୁମୂଲ୍ୟ ମୁକ୍ତାରେ ପରିପୂର୍ଣ୍ଣ ।

 

ଷଷ୍ଠଦ୍ୱାର ଉନ୍ମୁକ୍ତ କରି ଦେଖିଲି ଗୋଟିଏ ବଡ଼ ସୁଦୃଢ଼ ଅଟ୍ଟାଳିକା ।

 

ସପ୍ତମ ଦ୍ୱାରର ଅଟ୍ଟାଳିକା ମହାମୂଲ୍ୟ ମଣିମାଣିକ୍ୟାଦିରେ ସଜ୍ଜିତ । ଏହାପରି ଅଷ୍ଟମ ଦ୍ୱାରରେ ପୋହଳା, ନବମ ଦ୍ୱାରରେ ଜହରତ, ଦଶମ ଦ୍ୱାରରେ ହୀରା, ଏକାଦଶ ଦ୍ୱାରରେ ନୀଳା, ଦ୍ୱାଦଶ ଦ୍ୱାରରେ ପଲା, କ୍ରୟୋଦଶ ଦ୍ୱାରରେ ସୂର୍ଯ୍ୟକାନ୍ତ ମଣି ଇତ୍ୟାଦି ଦ୍ୱାର ପର୍ଯ୍ୟାୟକ୍ରମେ ବହୁମୂଲ୍ୟ ସାମଗ୍ରୀରେ ପରିପୂର୍ଣ୍ଣ ।

 

ଅଣଚାଳିଶ ଦିନରେ ଅନେଶତ ଦ୍ୱାର ଖୋଲି ସାରିବା ପରେ ସୁନାଦ୍ୱାର ଖୋଲିବା ପାଇଁ ମନ ବଡ଼ ବ୍ୟଗ୍ର ହେଲା । ଶେଷରେ ସୁନାଦ୍ୱାର ଖୋଲି ଦେଖିବା ଲାଗି ବାସନା ଏତେ ପ୍ରବଳ ହେଲା ଯେ, ମୁଁ ସୁନାଦ୍ୱାର ଖୋଲିଦେଲି । ସାଙ୍ଗେ ସାଙ୍ଗେ ଏକ ଭୀଷଣ ଦୁର୍ଗନ୍ଧରେ ମୋ ନାକ ଫାଟି ପଡ଼ିଲା ଏବଂ ବେହୋସ ହୋଇପଡ଼ିଲି ।

 

କେତେବେଳ ଯାଏ ବେହୋସ ହୋଇପଡ଼ିଲି ମୋର ଠିକ୍‌ମନେ ପଡୁନି । ହୋସହେଲା ଯେତେବେଳେ ମୁଁ ଦେଖିଲି ମୁଁ ଦେଖିଲି ମୁଁ ସେହି ଘରେ ସେମିତି ପଡ଼ିଅଛି । ସାଙ୍ଗେ ସାଙ୍ଗେ ଯେବେ ସେଠାରୁ ପଳାଇ ଆସି ଥାଆନ୍ତି ତା’ହେଲେ ମୋର ଆଜି ଏପରି ଦୁର୍ଦ୍ଦଶା ହୋଇ ନ ଥାଆନ୍ତା । ମୁଁ ଅତି କଷ୍ଟରେ ସେହି ଘର ଭିତରକୁ ଗଲି ଏବଂ ସେଠାରେ ଅତି ଅଦ୍ଭୁତ ଅଦ୍ଭୁତ ଦ୍ରବ୍ୟ ଦେଖିଲି । କିଛି ଦୂରରେ ଗୋଟିଏ ଅତି ସୁନ୍ଦର କାଳିଆ ରଙ୍ଗର ଘୋଡ଼ା ସୁନା ଝଞ୍ଜିରରେ ବନ୍ଧା ହୋଇଥିବାର ଦେଖିଲି । କୌତୁହଳବଶତଃ ସେଠାରେ ପହଞ୍ଚି ଦେଖିଲି, ଘୋଡ଼ା ଦେହର ସାଜସଜା ଆଦି ସମସ୍ତ ବହୁମୂଲ୍ୟ କାରୁକାର୍ଯ୍ୟରେ ଖଚିତ । ଏହାର ଆହାରୀୟ ପାତ୍ରକୁ ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଟିଏ ପାଖରେ ସୁବାସିତ ଗୋଲାପି ଜଳ, ଅନ୍ୟ ପାଖରେ ଅତି ଉତ୍କୃଷ୍ଟ ଜଳ ଓ ବୁଟ ପ୍ରଭୃତି ରଖାଯାଇଛି । ଘୋଡ଼ାର ଏମିତି ଯତ୍ନ ନିଆଯାଉଥିବାର ଦେଖି ମନେହେଲା ଯେ, ନିଶ୍ଚୟ ଘୋଡ଼ାର କୌଣସି ଅସାଧାରଣ ଗୁଣ ଅଛି । ସାଙ୍ଗେ ସାଙ୍ଗେ ମୋର କୌତୂହଳ ଜନ୍ମିଲା । ଘୋଡ଼ାଟିକୁ ବାହାର କରି ଆଣିଲି ଏବଂ ଚଢ଼ି ଚଳାଇବାକୁ ଚେଷ୍ଟା କଲି; ମାତ୍ର କାହିଁରେ ସେ ପାଦ ହେଲେ ହଲିଲାନି । ଶେଷରେ ମୁଁ ଅତି ବିରକ୍ତ ହୋଇ ଘୋଡ଼ା ପିଠିରେ ଆଘାତ କଲି । ସେହି ମୁହୂର୍ତ୍ତରେ ଘୋଡ଼ା ମୋତେ ନେଇ ସିଧା ସଳଖ ଆକାଶକୁ ଉଠିଲା ଏବଂ ବହୁଦୂରକୁ ମୋତେ ନେଇଗଲା । ତାକୁ ମୁଁ କୌଣସି ପ୍ରକାରେ ରୋକି ପାରିଲିନି, କେବଳ ଏତିକି ମାତ୍ର ବୁଝିଲି ଯେ, ଏ ଗୋଟିଏ ପକ୍ଷୀରାଜ ଘୋଡ଼ା ।

 

କିଛିକ୍ଷଣ ପରେ ଘୋଡ଼ାଟି ମୋତେ ଗୋଟିଏ ଶିବିର ଦ୍ୱାରରେ ଓହ୍ଲାଇ ଦେଲା ଏବଂ ଫେରିବାବେଳେ ସେ ଲାଞ୍ଜରେ ଏମିତି ପାହାରେ ବାଡ଼େଇ ଦେଲା ଯେ ମୋ ଡାହାଣ ଆଖିଟା ଫୁଟିଗଲା ।

 

ଆଖିରୁ ରକ୍ତ ପୋଛି ପୋଛି ମୁଁ ତଳକୁ ଓହ୍ଲାଇ ଆସିଲି । ଯୁବକ ଦଶଜଣ ମୋତେ ଦେଖିଲା କ୍ଷଣି ବଡ଼ ପାଟିରେ କହିଲେ, ‘‘ଆସ, ଆସ ଭାଇ ଆସ । ଏ କଣ ! ତୁମର ଏମିତି ଦୁର୍ଦ୍ଦଶା କାହିଁକି ହେଲା ? ଆମେ ତ ମନା କରୁଥିଲୁ । ଆମ କଥା ମାନିଲ ନାହିଁ । ତୁମର ନିଜ ଇଚ୍ଛାରେ ଏ ଦଶା ବରଣ କରିଛ । ଆଉ ଦୋଷ ଦେବ କାହାକୁ ? ଯାହା ହେଉ, ତୁମର ଯେଉଁଠାକୁ ଯିବାର ଇଚ୍ଛା ସେଠାକୁ ଯାଇପାରେ, କାରଣ ଆମର ଏଠାରେ ସଂଖ୍ୟା ପୂରି ଯାଇଅଛି ।

 

ମୁଁ ବି ମୁଣ୍ଡ ନଣ୍ଡା ହୋଇ ଉଦ୍ଦେଶ୍ୟହୀନ ଭାବରେ ବାହାରି ପଡ଼ିଲି । କେତେବର୍ଷ ହେଲା ଏମିତି ବୁଲି ବୁଲି ଏଠାରେ ଆସି ପହଞ୍ଚିଛି ।

 

ଜୋବେଦୀ ତୃତୀୟ ଫକୀରକୁ କ୍ଷମାଦେଲେ ।

 

ରାଜା ଓ ମନ୍ତ୍ରୀ ସ୍ତ୍ରୀ ଲୋକକୁ ଯେଉଁ ବୃତ୍ତାନ୍ତ କହିଥିଲେ, ତାହାହିଁ ପୁଣି ଥରେ କହିଲେ । ଏହାପରେ ଜୋବେଦୀ ସମସ୍ତଙ୍କୁ ବାହାରି ଯିବା ଲାଗି ହୁକୁମ ଦେଲେ । ରାଜା ବାହାରି ଆସି ଫକୀର ତିନିଜଣଙ୍କୁ ମନ୍ତ୍ରୀଙ୍କ ଘରେ ରହିବା ଲାଗି ଆଦେଶ ଦେଲେ । ଫକୀରମାନେ ସନ୍ତୁଷ୍ଟ ହୋଇ ରାଜାଙ୍କର ବାକ୍ୟ ପାଳନ କଲେ ।

 

ତହିଁଆର ଦିନ ସକାଳେ ରାଜା ମନ୍ତ୍ରୀଙ୍କୁ କହିଲେ, ସ୍ତ୍ରୀଲୋକ ତିନିଜଣ, ଫକୀର ତିନିଜଣ ଓ କୁକୁର ଦୁଇଟିକୁ ଏଠାକୁ ନେଇ ଆସ । ସମସ୍ତେ ସେଠାକୁ ଆସିଲେ, ରାଜା ଜୋବେଦୀଙ୍କୁ କହିଲେ, ତୁମମାନଙ୍କର କାଲିର ବ୍ୟବହାରରେ ମୁଁ ଅତି ସନ୍ତୁଷ୍ଟ ହୋଇଅଛି । ଏଥର ତୁମେ ନିଜ ନିଜର ଜୀବନୀ କୁହ ।’’ ଜୋବେଦୀ ଖୁସି ହୋଇ ରାଜାଙ୍କୁ ନିଜ ଜୀବନୀ କହିବାକୁ ଆରମ୍ଭ କଲେ ।

Image

 

ଜୋବେଦୀର କଥା

 

ମହାରାଜ ! ମୁଁ ଜଣେ ଧନବାନ ଗୃହସ୍ଥର କନ୍ୟା । ଏଇ ଆମିନୀ ଓ ସାଫି ମୋର ବୈମାତ୍ରିୟ ଭଗିନୀ । ଆଉ ଏଇ ଯେ କାଳିଆ ରଙ୍ଗର ଦୁଇଟି ମାଈ କୁକୁର ଦେଖୁଛନ୍ତି, ଏମାନେ ମୋର ବଡ଼ ଓ ମଝିଆ ଭଉଣୀ । ମୁଁ ସବୁଠୁ ସାନ, ମୋର ନାମ ଜୋବେଦୀ । ମୋର ବାପା ଦୁଇଥର ବିଭା ହୋଇଥିଲେ । ସେ ତାଙ୍କର ସମୁଦାୟ ସମ୍ଫତ୍ତି ସମାନ ଦୁଇଭାଗ କରି ଆମକୁ ଦେଇଥିଲେ । ତାଙ୍କର ପୁଅ ନ ଥିବାରୁ ସମ୍ଫତ୍ତିର ଗୋଟିଏ ଅଂଶ ଆମ ତିନି ଭଉଣୀଙ୍କୁ ଓ ଅପର ଅଂଶ ଆମିନୀ ଓ ସାଫୀ ପାଇବେ ବୋଲି ସ୍ଥିର କରି ଦେଇ ଯାଇଥିଲେ । ବାପାଙ୍କ ମଲା ପରେ ଆମେ ସମ୍ଫତ୍ତି ଭୋଗ ଦଖଲ କରି ନିଜ ନିଜ ମାଆଙ୍କ ପାଖରେ ରହିଲୁ । କିଛିଦିନ ପରେ ମୋ ମାଆଙ୍କର କାଳ ହେଲା । ସେତେବେଳେ ଆମର କେହି ଅଭିଭାବକ ରହିଲେ ନି । ସମ୍ଫତ୍ତି ଦେଖାଶୁଣା କରି ଆମେ ତିନି ଭଉଣୀ ସେହି ଘରେ ବାସ କରିବାକୁ ଲାଗିଲୁ । ମୋର ବଡ଼ ଭଉଣୀ ଦୁହେଁଯାକ ମାଆଙ୍କର ମଲାପରେ ନିଜ ନିଜର ପତି ମନୋନୀତ କରି ବିଭାହେଲେ । ବିଭାଘର ପରେ ନିଜ ନିଜ ସମ୍ପତ୍ତି ବିକ୍ରି କରି ନିଜ ନିଜ ପତି ସହିତ ଆଫ୍ରିକା ଦେଶରେ ବାଣିଜ୍ୟ କରିବା ପାଇଁ ଚାଲିଗଲେ । ଏହି କାର୍ଯ୍ୟ ଅବଶ୍ୟ ଭଗ୍ନୀପତି ଦୁଇ ଜଣଙ୍କ ବାରମ୍ୱାର ଅନୁରୋଧରେ ହୋଇଥିଲା ।

 

ଆଫ୍ରିକା ଦେଶକୁ ଯାଇ ବାଣିଜ୍ୟ ବେପାର କ’ଣ କରିବେ ନା ବାରାଙ୍ଗନା ଓ ସୁରା ପାନରେ ଭଗ୍ନୀପତିମାନେ ଟଙ୍କାପଇସା ଉଡ଼େଇଦେଲେ । ଟଙ୍କା ପଇସା ସବୁ ସରିଯିବାରୁ ଭଗ୍ନୀପତିମାନେ ଭଉଣୀ ଦୁଇଜଣଙ୍କୁ ଛାଡ଼ି ପଳାଇଗଲେ ।

 

ଭଉଣୀ ଦିହେଁ ମୋ ପାଖକୁ ଫେରି ଆସିଲେ । ଆମେ ତିନି ଭଉଣୀ କିଛିଦିନ ବେଶ ସୁଖରେ କାଳ କଟାଇଲୁ । ହଠାତ୍‌ ପୁଣି ଦୁଇ ଭଉଣୀଙ୍କର ବିଭାହୋଇ ସଂସାରୀ ହେବାଲାଗି ବାସନା ଜନ୍ମିଲା ।

 

ମୁଁ ଏଥିରେ ଯଥେଷ୍ଟ ବାଧାଦେଲି ଏବଂ ସେମାନେ କୌଣସି ମତେ ଏଇ ସଙ୍କଳ୍ପକୁ ଛାଡ଼ି ପାରିଲେ ନି । ସେତେବେଳେ ମୁଁ ବାଧ୍ୟ ହୋଇ ସେମାନଙ୍କର ପୁଣି ମନୋନୀତ ପତି ଦୁଇଙ୍କ ସହିତ ଉପଯୁକ୍ତ ଯୌତୁକ ଦେଇ ବିଭାଦେଲି ।

 

ଦୁଇଦିନ ପରେ ଭଉଣୀ ଦୁଇଜଣ କାନ୍ଦି କାନ୍ଦି ପୁଣି ମୋ ପାଖକୁ ଫେରି ଆସି କହିଲେ, ‘‘ସେମାନେ ଦାନ ଯୌତୁକ ନେଇ ପଳାଇଗଲେ ।’’

 

ଏ କଥା କହି ଅତି ଅଧୀର ହୋଇ ସେମାନେ କନ୍ଦାକଟା କଲେ । ସେମାନଙ୍କର ଏ ପ୍ରକାର କାନ୍ଦଣା ଦେଖି ମୁଁ ଆଉ ସ୍ଥିର ହୋଇ ରହି ପାରିଲି ନି । କହିଲି, ‘‘ଯାହା ହେବାର ତ ହୋଇଛି, ଆସ ଆମେ ତିନିହେଁ ଏକାଠି ରହିବା ।’’

 

ପ୍ରାୟ ବର୍ଷେକାଳ ଆମେ ଏକତ୍ର ରହିଲୁ । କ୍ରମେ ଆମର ସଞ୍ଚିତ ଅର୍ଥ ଶେଷ ହୋଇଆସିଲା । କାରଣ, ଆମ ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଥିଲା । ସେଥିପାଇଁ ମୁଁ ନିଜେ ବାଣିଜ୍ୟ କରିବାକୁ ଯିବାଲାଗି ସ୍ଥିର କରି ଜାହାଜ ବନ୍ଦୋବସ୍ତ କଲି । ପରେ ଉପଯୁକ୍ତ ସମୟରେ ଭଉଣୀ ଦୁଇଜଣଙ୍କୁ ନେଇ ସମୁଦ୍ର ପଥରେ ଯାତ୍ରା କଲୁ । ପାରସ୍ୟର ସୀମା ଅତିକ୍ରମ କରି ଭାରତ ବର୍ଷର କୌଣସି ଏକ ପାହାଡ଼ ପାଖରେ ଜାହାଜ ନଙ୍ଗର ପକାଇଲା । ଜାହାଜରୁ ଓହ୍ଲାଇ ଆମେ ତିନି ଜଣ ରାଜ୍ୟ ଭିତରକୁ ଗଲୁ । ସେଠାରେ କୌଣସି ଜନମାନବର ଚିହ୍ନ ବର୍ଣ୍ଣ ନଥିଲା । କ୍ରମେ ଭିତରକୁ ପ୍ରବେଶ କରି ଦେଖିଲୁ ଯେ, ସାମନାରେ ବଜାର ଏବଂ ସେଠାରେ ଅନେକ ଲୋକ ଯାଆସା କରୁଥିବାର ଦୂରରୁ ଜଣାପଡ଼ିଲା । ତେଣୁ ପାଖକୁ ଯାଇ ଦେଖିଲି କୌଣସି ମଣିଷ ଚଳାଚଳ ହେଉ ନାହାନ୍ତି ବା ପାଟିତୁଣ୍ଡ କରୁ ନାହାନ୍ତି । ମୁଁ ବୁଝିଲି ସମସ୍ତେ ପଥର ମୂର୍ତ୍ତିରେ ପରିଣତ ହୋଇଛନ୍ତି । ଏ ପ୍ରକାର ଘଟଣା ଦେଖି ମୁଁ ଖୁବ୍ ବିସ୍ମିତ ହେଲି ଏବଂ ପ୍ରକୃତ ତଥ୍ୟ ଅନୁସନ୍ଧାନ ପାଇଁ ଆହୁରି ଭିତରକୁ ଗଲି ।

 

କେତେଗୁଡ଼ିଏ ଘର ଭିତରେ ମୁଁ ପ୍ରବେଶ କଲି, ଘର ଭିତରେ ବି ପଥର ମୂର୍ତ୍ତି ଦେଖିଲି-। ଏ ସବୁ ବ୍ୟାପାର ଦେଖୁଁ ଦେଖୁଁ ମୁଁ ଭଉଣୀମାନଙ୍କ ପାଖରୁ ଅଲଗା ହୋଇଗଲି । ପାରୁପର୍ଯ୍ୟନ୍ତ ଖୋଜାଖୋଜି କରି ସେମାନଙ୍କୁ ପାଇଲିନି । ନିଜେ ଫେରିବାକୁ ଚେଷ୍ଟାକରି ବୁଝିଲି ଯେ, ମୁଁ ବାଟବଣା ହୋଇଛି, ବାଧ୍ୟ ହୋଇ ଗୋଟିଏ ବଡ଼ କୋଠାଘର ଭିତରକୁ ପଶିଲି ।

 

ଅନ୍ଦର ମହଲରେ ପଶି ଦେଖିଲି,ଗୋଟିଏ ମହାମୂଲ୍ୟ ପଲଙ୍କରେ ରାଜା ଶୋଇଛନ୍ତି ଏବଂ ଅନ୍ୟ କକ୍ଷରେ ସିଂହାସନରେ ରାଣୀ ବସିଛନ୍ତି । ଅନ୍ୟ କକ୍ଷକୁ ଯାଇ ରାଜକନ୍ୟା ସଖୀ-ପାରିବୃତା ହୋଇ ଆମୋଦ ପ୍ରମୋଦରେ ମାତିଛନ୍ତି ।

 

ରନ୍ଧନ ମହଲ, କୋଷାଗାର, ଅଶ୍ୱଶାଳା, ଗୋଶାଳା, ସୈନ୍ୟ ଛାଉଣୀରେ ପଶି ଦେଖିଲି ସମସ୍ତ ପଥର ପାଲଟି ଯାଇଛନ୍ତି ।

 

ରାତି ହେଲା । ଫେରିବାର କୌଣସି ଉପାୟ ନ ଦେଖି ପୁଣି ଅନ୍ଦର ମହଲର ଗୋଟିଏ ସଜ୍ଜିତ କକ୍ଷରେ ଉପସ୍ଥିତ ହୋଇ ଦେଖିଲି ଘର ଆଲୋକରେ ଉଭାସିତ । ପହିଲେ ମୋତେ ଭାରୀ ଡର ମାଡ଼ିଲା । ଏକେ ତ ସେହି ଜନମାନବ ହୀନ ବିରାଟ ନଗର, ମୁଁ ପୁଣି ଏକୁଟିଆ, କିପରି ଆଲୁଅ ଜଳିଲା, ମୁଁ ଠିକ୍ କରି ପାରିଲିନି ।

 

ପରେ ଆଲୁଅଆଡ଼କୁ ଆଗେଇ ଯାଇ ଦେଖିଲି, ତାହା ଗୋଟିଏ ବହୁମୂଲ୍ୟ ଡିମ୍ବାକୃତି ବଡ଼ ହୀରା । ଏଇ ହୀରାର ଆଲୁଅରେ ସେହି ବଡ଼ କକ୍ଷଟି ଉଦ୍‍ଭାସିତ ।

 

ସେହି ଘରେ ଥିବା ଗୋଟିଏ ଉଚ୍ଚ ସିଂହାସନ ଉପରେ ରାତିଟା କଟାଇବା ଉଦ୍ଦେଶ୍ୟରେ ଏହା ଉପରେ ଚଢ଼ି ଶୋଇପଡ଼ିଲି । ଜାଣି ପାରିଲି ନି କେତେକ୍ଷଣ ପରେ ମୋ ନିଦ ଭାଙ୍ଗିଲା, ନିଦ ଭାଙ୍ଗିବାରୁ ଶୁଣିବାକୁ ପାଇଲି, କିଏ ଆସ୍ତେ ଆସ୍ତେ ମଧୁର ସ୍ୱରରେ କୋରାନ୍ ପଢ଼ୁଛି । ମୁଁ ସାହସ ଉପରେ ନିର୍ଭର କରି ଶବ୍ଦକୁ ଲକ୍ଷ୍ୟକରି ଗୋଟିଏ ଘରର ଦ୍ୱାରରେ ଉପସ୍ଥିତ ହୋଇ ଦେଖିଲି ଜଣେ ଦେବତୁଲ୍ୟ ରୂପବାନ ଯୁବକ କୋରାନ୍ ପଢ଼ୁଛନ୍ତି । ସେତେବେଳେ ମୁଁ ଆଶା ଓ ନିରାଶା ଉପରେ ନିର୍ଭର କରି ପଚାରିଲି—

 

‘‘ମହାତ୍ମା ! ଆପଣ କିଏ ଏବଂ କାହିଁକି ଏହି ମନୁଷ୍ୟଶୂନ୍ୟ ନଗରରେ ଏକୁଟିଆ ରହୁଛନ୍ତି ? ମୁଁ ବଡ଼ ବିପଦରେ ପଡ଼ିଛି, ଆପଣ ଯେବେ ପାରନ୍ତି ତେବେ ମୋତେ ଉଦ୍ଧାର କରନ୍ତୁ ।’’

 

ଯୁବକ ମୋ ଆଡ଼କୁ ଅନାଇ ବିସ୍ମିତ ହୋଇ ପଚାରିଲେ, ‘‘ସୁନ୍ଦରୀ, ତୁମେ କେମିତି ବିପଦରେ ପଡ଼ିଛ ?’’

 

ମୁଁ ମୂଳରୁ ଶେଷଯାଏ ସମସ୍ତ ବୃତ୍ତାନ୍ତ ତାଙ୍କୁ କହି ପୁଣି ପଚାରିଲି, ‘‘ଏଇ ବିରାଟ ନଗରୀର ଏପରି ଶୋଚନୀୟ ଅବସ୍ଥା କାହାଦ୍ୱାରା ହୋଇଛି ଅନୁଗ୍ରହ କରି କୁହନ୍ତୁ ।’’

 

ଯୁବକ କହିଲେ, ‘‘ଏଇ ଯେଉଁ ବିଶାଳ ନଗରୀ ଦେଖୁଛ, ଏହା ମୋର ବାପାଙ୍କ ରାଜଧାନୀ । ମୋ ବାପା ମାଆଙ୍କର ପଥର ମୂର୍ତ୍ତି ବୋଧହୁଏ ଦେଖିଛ । ମୋର ବାପା ଓ ସମସ୍ତ ରାଜ୍ୟବାସୀ, ସୂର୍ଯ୍ୟ ଓ ଈଶ୍ୱରଙ୍କର ବିଦ୍ରୋହୀ 'ନାରଦୁଲ' ନାମକ ଦୈତ୍ୟର ଉପାସନା କରୁଥିଲେ । କିନ୍ତୁ ମୁଁ ତାହା କରୁ ନଥିଲି । ସବୁଦିନେ ଗୋପନରେ ପରମ ପିତାଙ୍କର ଆରାଧନା କରୁଥିଲି। ରାଜ୍ୟରେ ବହୁତ ଥର ଦୈବବାଣୀ ହୋଇଥିଲା, ‘‘ତୁମେ ସବୁ ଈଶ୍ୱରଦ୍ରୋହୀ, ନାରଦୁଲାର ଉପାସନା ଛାଡ଼ି ପରମେଶ୍ୱରଙ୍କର ଆରାଧନା କର, ନଚେତ୍ ଖୁବ୍ ଶୀଘ୍ର ସମୁଚିତ ଶାସ୍ତି ପାଇବ । ‘‘ହେଲେ କେହି ସେହି ଦୈବବାଣୀ ଆଡ଼କୁ ନଜର ଦେଲେନି । ଶେଷରେ ଦିନେ ରାତି ପାହିଲା ବେଳକୁ ଦେଖାଗଲା, ସମସ୍ତେ ଏପରି ଅବସ୍ଥା ପ୍ରାପ୍ତ ହୋଇଛନ୍ତି । ମୁଁ ଖାଲି ନିସ୍ତାର ପାଇଲି । ସେହି ଦିନଠାରୁ ନିତି ରାତି ପାହିଲାବେଲୁକୁ ମୁଁ କୋରାନ ପଢ଼େ । ମୁଁ ଜାଣି ପାରୁଛି, ଭଗବାନ ମୋର ମୁକ୍ତି ଲାଗି ତୁମକୁ ପଠାଇ ଅଛନ୍ତି । ‘‘ଏ କଥା କହି ସେ ମୋ ଆଡ଼କୁ ଅନୁରାଗଭରା ଦୃଷ୍ଟିପାତ କଲେ ।

 

ମୁଁ କହିଲି ‘‘ଯୁବରାଜ ! ଆପଣ ଶୀଘ୍ର ଏଇ ଭୟଙ୍କର ସ୍ଥାନ ଛାଡ଼ି ମୋ ସାଙ୍ଗରେ ବାଗଦାଦ ନଗରକୁ ଚାଲନ୍ତୁ । ଆପଣ ସେଠାରେ ଉପଯୁକ୍ତ ଭାବରେ ସମ୍ମାନ ପାଇ ପାରିବି । ‘‘ଏହିପରି କଥାଭାଷା ଚାଲିଲା ପରେ ରାତି ପାହିଲା । ଆମେ ଦୁହେଁ ଜାହାଜ ନିକଟରେ ଉପସ୍ଥିତ ହୋଇ ସେଠାରେ ଭଉଣୀମାନଙ୍କୁ ଦେଖି ଖୁବ୍ ଖୁସି ହେଲୁ ।

 

ଯୁବରାଜ କୋଷଗାରରୁ ସମସ୍ତ ରତ୍ନ ଆଣି ମୋର ଜାହାଜ ପୂର୍ଣ୍ଣ କଲେ । ତାପରେ ଆମେ ସମସ୍ତେ ଏକ ସଙ୍ଗରେ ଯାତ୍ରା କଲୁ । ଯୁବରାଜଙ୍କ ସହିତ ମୋର ପ୍ରଣୟାଳାପ ଶୁଣି ଭଉଣୀମାନଙ୍କର ମୋ ପ୍ରତି ହିଂସା ଜନ୍ମିଲା । ଦିନେ ସେମାନେ ମୋତେ ଗୋପନରେ ପଚାରିଲେ, ‘‘ଯୁବରାଜକୁ ବାଗଦାଦକୁ ନେଇ କଣ କରିବୁ ?’’

 

ମୁଁ ଡର ଭୟ ଛାଡ଼ି ଉତ୍ତର ଦେଲି, ‘‘ବିଭାହୋଇ ସୁଖରେ କାଳ କଟିବି ।’’

 

ଭଉଣୀ ଦିହେଁ ଯୁବରାଜଙ୍କୁ ବି ଏମିତି ପ୍ରଶ୍ନ ପଚାରିଲେ, ସେ ବି ମୋ ଉତ୍ତର ପରି ଉତ୍ତର ଦେଲେ । ଭଉଣୀ ଦି'ଜଣ ହିଂସା ବିଷରେ ଜର୍ଜରିତ ହୋଇ ଆମକୁ ମାରିବା ଲାଗି ଷଡ଼ଯନ୍ତ୍ର କଲେ । ଦିନେ ଆମେ ଶୋଇଥିଲାବେଳେ ସେମାନେ ଆମକୁ ସମୁଦ୍ରରେ ଫିଙ୍ଗି ଦେଲେ । ମୁଁ ଅତି କଷ୍ଟରେ ପହଁରି ପହଁରି ଗୋଟିଏ ଦ୍ୱୀପରେ ଉପସ୍ଥିତ ହେଲି, କିନ୍ତୁ ଯୁବରାଜ ସମୁଦ୍ରରେ ବୁଡ଼ିମଲେ ।

 

ମୁଁ ଖୁବ୍ ଦୁଃଖିତ ହୋଇ ଗୋଟିଏ ଗଛ ମୂଳରେ ବସି ବିପଦରେ କରୁଛି, ଠିକ୍ ଏତିକିବେଳେ ଏକ ଭୀଷଣ ଗର୍ଜନ ଶୁଣି ପଛକୁ ଅନାଇ ଦେଖିଲି, ଗୋଟିଏ ପକ୍ଷୀଥିବା ସାପ ଆଗେ ଆଗେ ଆସୁଛି, ଆଉ ଗୋଟିଏ ଭୟଙ୍କର ସାପ ସେହି ସାପକୁ ପଛରୁ ଗିଳି ଗିଳି ଆସୁଛି । ଏଇ ଘଟଣା ଦେଖି ଏବଂ ଆଗରେ ଆସୁଥିବା ସାପର କରୁଣ ଆର୍ତ୍ତନାଦ ଶୁଣି ତାକୁ ବଞ୍ଚାଇବା ଲାଗି ଖଣ୍ଡେ ବଡ଼ ପଥର ନେଇ ପଛରେ ଆସୁଥିବା ସାପର ମୁଣ୍ଡକୁ ଲାଖ କରି ଫିଙ୍ଗିଲି । ପ୍ରଥମ ସାପଟି ଉଡ଼ି ପଳାଇଲା ଏବଂ ଦ୍ୱିତୀୟ ସାପଟି ମଲା ।

 

ମୁଁ ଦିନ ସାରା ଖାଇ ନ ଥିଲି ବା ବିଶ୍ରାମ ନେଇ ନ ଥିଲି, ସେଥିଲାଗି ନିକଟରେ ଥିବା ଗୋଟିଏ ଗଛମୂଳରେ ଶୋଇପଡ଼ିଲି ଏବଂ ସାଙ୍ଗେ ସାଙ୍ଗେ ମୋତେ ଗାଢ଼ ନିଦ ଲାଗିଗଲା ।

 

କିଛିକ୍ଷଣ ପରେ ହଠାତ୍‌ କୁକୁରର ଭୋ ଭୋ ଶବ୍ଦରେ ମୋ ନିଦ ଭାଙ୍ଗିଗଲା । ଉଠି ଦେଖିଲି, ଜଣେ ସୁନ୍ଦରୀ ସ୍ତ୍ରୀଲୋକ ଦୁଇଟି କାଳିଆ ମାଈ କୁକୁରକୁ ଝଞ୍ଜିରରେ ବାନ୍ଧି ଠିଆ ହୋଇଛନ୍ତି । ମୁଁ ତାଙ୍କୁ ପଚାରିଲି ‘‘ତୁମେ କିଏ ଓ କାହିଁକି ଏଇ ମାଈ କୁକୁର ଦୁଇଟିକୁ ଧରି ଠିଆ ହୋଇଛ ?’’

 

ସ୍ତ୍ରୀ ଲୋକଟି କହିଲେ, ‘‘ତୁମେ ଆଜି ଯେଉଁ ସାପର ପ୍ରାଣ ବଞ୍ଚାଇଛ ମୁଁ ସେହି ସାପ । ସତ କହିବାକୁ ଗଲେ ମୁଁ ସାପ ନୁହେଁ, ମୁଁ ଜଣେ ପରୀ, ଆଉ ଯେଉଁ ସାପଟି ମୋତେ ଗିଳୁଥିଲା, ସେ ବି ସାପ ନୁହେଁ, ସେ ମୋର ପରମ ଶତ୍ରୁ । ତୁମେ ମୋର ପ୍ରାଣ ବଞ୍ଚାଇଛ, ସେଥିପାଇଁ ତୁମର କିଛି ଉପକାର ନ କଲେ ମୋର ଅଧର୍ମ ହେବ ଭାବି ତୁମର ଦୁଇ ଭଉଣୀଙ୍କୁ କୁକୁରରେ ପରିଣତ କରି ଆଣିଛି ଏବଂ ତୁମର ଯାବତୀୟ ଧନସମ୍ଫତ୍ତି ବାଗଦାଦ ନଗରରେ ସାଇତି ରଖି ଆସିଛି । ଏଇଲାଗେ ଚାଲ, ତୁମକୁ ଓ ଏଇ ମାଈ କୁକୁରମାନଙ୍କୁ ତୁମ ଘରେ ପହୁଞ୍ଚାଇ ଦେଇ ଆସିବି ।’’ ଏ କଥା କହି ସେ ଆମ ତିନିଜଣଙ୍କୁ ନେଇ ଶୂନ୍ୟକୁ ଉଠିଲେ ଏବଂ ନମିଷକ ମଧ୍ୟରେ ଆମେ ଘରେ ପହଞ୍ଚିଲୁ । ପରୀର ଏ ସମସ୍ତ କାର୍ଯ୍ୟକଳାପରେ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିଲି । ପରୀ ଯିବାବେଳେ କୁକୁରୀରୂପୀ ମୋର ଦୁଇ ଭଉଣୀଙ୍କୁ ମୋତେ ଦେଇ କହିଲେ, ‘‘ନିତି ରାତିରେ ଏମାନଙ୍କୁ ବେତରେ ଶହେ ପାହାର ବାଡ଼େଇବ । ଏ ନିୟମର ବ୍ୟତିକ୍ରମ ହେଲେ ତୁମେ ବି ମାଈ କୁକୁରରେ ପରିଣତ ହେବ ।’’ ଏହା କହି ପରୀ ସେଠାରୁ ଅନ୍ତର୍ହିତ ହେଲେ ।

 

ସେହି ଦିନରୁ ମୋତେ ନିତି ଏ କାମ କରିବାକୁ ପଡ଼େ । ତା’ପରେ ଆମିନୀ ତାଙ୍କର ବୃତ୍ତାନ୍ତ କହିବାକୁ ଲାଗିଲେ ।

Image

 

ଆମିନୀର କଥା

 

ଆମିନୀ କହିଲା, ମୋର ବାପା ଜଣେ ଧନୀଲୋକ ଥିଲେ ଏବଂ ମୁଁ ତାଙ୍କର ଏକମାତ୍ର କନ୍ୟା । ମୋର ବାପା ମଲାପରେ ମୋର ମାଆ ଜଣେ ଧନୀ ଗୃହସ୍ଥର ପୁଅ ସହିତ ମୋତେ ବିଭା ଦେଲେ; କିନ୍ତୁ ମୋର କପାଳ ଫାଟିଲା । ମୁଁ ଶୀଘ୍ର ବିଧବା ହେଲି, ସ୍ୱାମୀ ଓ ଶଶୁରଙ୍କ ସମ୍ଫତ୍ତିର ମାଲିକାଣୀ ହେଲେ ବି ବଡ଼ ମନ ଦୁଃଖରେ କାଳ କାଟିଲି । ଦିନେ ମୁଁ ଘରେ ବସି ଖଣ୍ଡେ ବହି ପଢ଼ୁଥିଲି, ଏତିକିବେଳେ ସେହି ଗ୍ରାମର ଜଣେ ବୁଢ଼ୀ ମୋ ପାଖକୁ ଆସିଲା । ମୁଁ ବୁଢ଼ୀକୁ ଆସିବାର କାରଣ ପଚାରିବାରୁ ସେହି ବୁଢ଼ୀ କହିଲେ, ମୋର ଗୋଟିଏ ଝିଅ ଅଛି, ସେ ପିତୃହୀନା ଓ ବୟସ୍କା-। ମୁଁ ହଠାତ୍‌ ବିଧବାହେବାରୁ ଝିଅକୁ ଏତେଦିନ ଯାଏ ବିଭା ଦେଇ ପାରିନି । ଏତେଦିନ ପରେ ଉପଯୁକ୍ତ ରୂପବାନ୍‌ ଓ ଧନବାନ୍‌ ଗୋଟିଏ ପାତ୍ର ପାଇଅଛି । ଆଜି ତାହା ସହିତ ମୋ ଝିଅକୁ ବିଭା ଦେବି । ଆମ ଘରେ କେହି ଲୋକବାକ ନାହାନ୍ତି କହିଲେ ଚଳେ । ସେଥିପାଇଁ ତୁମେ ଯେବେ ଦୟାକରି ଆମ ଘରକୁ ଯାଇ ନିମନ୍ରିତା ଭଦ୍ରମହିଳାମାନଙ୍କର ଅଭ୍ୟର୍ଥନାର ଭାର ନିଅନ୍ତ, ତା’ ହେଲେ ମୋର ଖୁବ୍‌ ଉପକାର ହୁଅନ୍ତା ।

 

ମୁଁ ରାଜି ହେବାରୁ ବୁଢ଼ୀ କହିଲେ, ‘‘ଝିଅ, ତୁ ପ୍ରସ୍ତୁତ ହୋଇଥିବୁ, ମୁଁ ନିଜେ ଆସି ତୋତେ ସଞ୍ଜବେଳେ ନେଇଯିବି ।’’ ଏତକ କହି ବୁଢ଼ୀ ବଡ଼ ଖୁସି ହୋଇ ଚାଲିଗଲା ।

 

ସଞ୍ଜବେଳେ ବୁଢ଼ୀ ତାହାର କହିବା ମୁତାବକ ଆସି ହାଜର ହେଲା । ମୁଁ ଭଲ ଭଲ ଲୁଗାପଟା ପିନ୍ଧି କେତେଜଣ ଦାସୀଙ୍କୁ ସାଙ୍ଗରେ ନେଇ ବୁଢ଼ୀ ସାଙ୍ଗରେ ଗଲି ।

 

ବାଟରେ ଗଲାବେଳେ ବୁଢ଼ୀ ସାଙ୍ଗରେ ଗପସପ କରୁକରୁ ଗୋଟିଏ ବଡ଼ ସୁସଜ୍ଜିତ କୋଠାଘର ପାଖରେ ପହଞ୍ଚିଲି । ବୁଢ଼ୀ ଦ୍ୱାର ଖଡ଼ ଖଡ଼ କରିବାରୁ ଚାକରମାନେ ଦ୍ୱାର ଖୋଲି ଦେଇ ଘୁଞ୍ଚି ଠିଆ ହେଲେ । ଆମେ ସମସ୍ତେ ଘର ଭିତରେ ପଶିଲୁ; କିନ୍ତୁ ମୁଁ କୌଣସି ଭଦ୍ରମହିଳା ବା ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କୁ ଦେଖିବାକୁ ପାଇଲିନି । କିଛି ସମୟ ପରେ ଆମେ ଗୋଟିଏ ବଡ଼ ସୁସଜ୍ଜିତ କୋଠରୀ ଭିତରକୁ ଗଲୁ । ସେଠାରେ ଜଣେ ସୁନ୍ଦରୀ ସ୍ତ୍ରୀଲୋକ ପଲଙ୍କ ଉପରେ ବସିଥିଲେ । ସେହି ସ୍ତ୍ରୀଲୋକ ମୋତେ ଦେଖି ତରବର ହୋଇ ଉଠି ମୋ ପାଖକୁ ଆସି କହିଲେ, ‘‘ଆସ, ଆସ, ମୋର କେଡ଼େ ଭାଗ୍ୟ ଯେ, ତୁମର ଆଜି ମୋ ଘରେ ପାଦ ପଡ଼ିଲା !’’ ମୁଁ କହିଲି, ‘‘ମୋର ବି କେଡ଼େ ଭାଗ୍ୟ ଯେ, ତୁମେ ମୋପରି ଜଣେ ନଗଣ୍ୟା ସ୍ତ୍ରୀଲୋକକୁ ନିମନ୍ତ୍ରଣ କରିଛ ! ସେ ଯାହାହେଉ, ଏଇଲାଗେ ତ କୌଣସି ବିଭାଘରର ଆୟୋଜନ କିଛି ଦେଖିବାକୁ ପାଉନି କାହିଁକି-? ବୋଧହୁଏ, ତୁମର ବିଭାଘର ?’’ ସ୍ତ୍ରୀଲୋକଟି ହସି ହସି କହିଲେ ‘‘ଆୟୋଜନ ସବୁ ହୋଇଛି-। ମୋର ବିଭାଘର ନୁହେଁ, ତୁମର ।’’ ମୁଁ କହିଲି ‘‘ଏମିତି କଣ କହୁଛ ?’’

 

ସ୍ତ୍ରୀଲୋକଟି କହିଲେ, ‘‘ମୋର ଭାଇ କୌଣସି ଧନବାନ ଗୃହସ୍ଥର ଘରେ ନିମନ୍ତ୍ରଣ ଖାଇବାକୁ ଯାଇଥିଲେ । ସେଠାରେ ତୁମକୁ ଦେଖି ଏତେ ମୁଗ୍‌ଧ ହେଲେ ଯେ, ସେହି ଦିନରୁ ସେ ତୁମକୁ ସହରସାରା ଖୋଜି ଏତେଦିନ ପରେ ତୁମ ଠିକଣା ଜାଣି ପାରିଛନ୍ତି । ତୁମେ ଯେମିତି ଶ୍ରେଷ୍ଠା ସୁନ୍ଦରୀ, ମୋ ଭାଇ ବି ସେମିତି ଶ୍ରେଷ୍ଠ ସୁନ୍ଦର । ତୁମେ ଯେବେ ମୋ ଭାଇକୁ ବିଭା ନ ହୁଅ, ତା’ହେଲେ ମୋ ଭାଇ ଆତ୍ମହତ୍ୟା କରିବେ । ଦୟାକରି ତୁମେ ବିଭା ହେବାଲାଗି ରାଜି ହୁଅ ।’’ ମୁଁ କଣ କରିବି କିଛି ଠିକ୍‌ କରି ପାରିଲି ନି । କନ୍ୟାକର୍ତ୍ତା ହୋଇ ମୁଁ ନିଜେ କନ୍ୟା ହେଲି । ଏଇଲାଗେ ଯେବେ ରାଜି ନ ହୁଏ, ତେବେ ଏମାନେ ଜୋର ଜବରଦସ୍ତ କରି ବିଭାଦେବେ । ପଳାଇବାର ଉପାୟ ନାହିଁ–ଚାରିଆଡ଼େ ଜଗୁଆଳି ରହିଛନ୍ତି । ଏହିପରି ନାନାପ୍ରକାର ଭାବି ଶେଷରେ ରାଜିହେଲି-। ସ୍ତ୍ରୀଲୋକଟି ସାଙ୍ଗେ ସାଙ୍ଗେ ବଇଁଶୀ ବଜାଇଲେ, ସାଙ୍ଗେ ସାଙ୍ଗେ ଜଣେ କନ୍ଦର୍ପଲାଞ୍ଛିତ ରୂପବାନ ଯୁବକ ଘର ଭିତରକୁ ପଶି ଆସିଲେ । ତା’ପରେ ପୁରୋହିତ, ଦାସଦାସୀ କାଜୀ ପ୍ରଭୃତି ବିବାହର ଆୟୋଜନାଦି ନେଇ ଜଣେ ଜଣ ହୋଇ ଘର ଭିତରକୁ ଆସିଲେ ।

 

ଯୁବକର ରୂପରେ ମୁଁ ମୁଗ୍‌ଧ ହୋଇଥିଲି ।

 

ଦିନେ କେତେକ ମୂଲ୍ୟବାନ ଲୁଗାର ଦରକାର ପଡ଼ିବାରୁ ମୁଁ ମୋ ସ୍ୱାମୀଙ୍କଠାରୁ ଅନୁମତି ନେଇ ସେହି ବୁଢ଼ୀକୁ ସାଙ୍ଗରେ ନେଇ ବଜାରକୁ ବାହାରିଲି । ନାନାସ୍ଥାନରେ ବୁଲାବୁଲି କରି ନାନାପ୍ରକାର ଜିନିଷ କିଣିଲି, ହେଲେ ମୋ ପସନ୍ଦ ମୁତାବକ କୌଣସି ଲୁଗା ନ ପାଇ ବୁଢ଼ୀକୁ ପଚାରିଲି, ‘‘ଏଠାରେ କଣ କୌଣସି ଭଲ ଲୁଗା ବିକାଳୀ ନାହାନ୍ତି ?’’ ବୁଢ଼ୀ କହିଲା, ‘‘ହେଁ, ନାହାନ୍ତି ଆଉ କଣ ? ତୁମେ ଆସ ଟିକିଏ ଦୂରରେ ଖଣ୍ଡିଏ ଭଲ ଦୋକାନ ଅଛି ।’’ ବୁଢ଼ୀର କଥା ମୁତାବକ ତାହା ସାଙ୍ଗରେ ସେହି ଦୋକାନରେ ଉପସ୍ଥିତ ହୋଇ ଦେଖିଲି, ଦୋକାନଦାର ଜଣେ ରୂପବାନ ଯୁବକ ଏବଂ ତାହାର ଦୋକାନଟି ମୂଲ୍ୟବାନ ଲୁଗାପଟାରେ ଭରି ରହିଥିଲା । ମୁଁ ଦୋକାନୀକୁ ଭଲ ଲୁଗା ଦେଖାଇବାକୁ କହିବାରୁ ସେହି ଯୁବକ ତରବର ହୋଇ ଖଣ୍ଡିଏ ମୂଲ୍ୟବାନ ଲୁଗା ଦେଖାଇଲେ । ସେହି ଖଣ୍ଡିକ ମୋର ମନୋନୀତ ହେବାରୁ ମୁଁ ତାର ମୂଲ୍ୟ ପଚାରିଲି ।

 

ମୋ ପ୍ରଶ୍ନର ଉତ୍ତର ଦେଇ ଦୋକାନୀ କହିଲା, ‘‘ମୁଁ ଲୁଗାର ଦାମ ନେବି ନି, ତେବେ ତୁମର କୋମଳ ଗଣ୍ଡରେ ଯେବେ ଥରୁଟିଏ ଚୁମ୍ୱନ କରିବାକୁ ଅନୁମତି ଦିଅ, ତା’ହେଲେ ମୁଁ ଲୁଗାଟି ଦେବି, ନ ହେଲେ ନୁହେଁ ।’’ ମୁଁ ତାହାର ଅଭଦ୍ରୋଚିତ କଥାରେ ଅତ୍ୟନ୍ତ ବିରକ୍ତ ହୋଇ ବୁଢ଼ୀ ହାତରେ କହି ପଠାଇଲି, ‘‘ତୁମେ ବଡ଼ ଅନ୍ୟାୟ କଥା କହୁଛ; ମୁଁ ଦାମ ଦେଇ ଜିନିଷ କିଣିବି, ତୁମେ ଦେବ ନାହିଁ କାହିଁକି ?’’ ଯୁବକ କହିଲା, ‘‘ନା, ଚୁମା ଖାଇବାକୁ ଦେଲେ ମାଗଣାରେ ମୁଁ ଏଇ ଦାମିକା ଲୁଗାଟି ଦେବି ।’’ ବୁଢ଼ୀ ଶେଷରେ କହିଲା, ‘‘ଟିକିଏ ଚୁମା ଦେବ, ଏଥିରେ ଦୋଷ କଣ ? ଏଥିରେ ତୁମେ ରାଜି ହୁଅ, ଏହାଦ୍ୱାରା ତୁମେ ତୁମର ସ୍ୱାମୀର ପ୍ରେମରୁ ତ ବଞ୍ଚିତ ହେବନି !’’

 

ଲୁଗା ଖଣ୍ଡିକ ମୋର ଖୁବ୍‌ ପସନ୍ଦ ହୋଇଥିଲା, ଏଆଡ଼େ ଆଉ ଉପାୟ ନାହିଁ, ମୁଁ ବାଧ୍ୟ ହୋଇ ରାଜି ହେଲି ।

 

ଏହାପରେ ଯୁବକ କହିଲେ, ‘‘ମୁହଁର ଘୋଡ଼ଣି ଖୋଲ ।’’

 

ମୁଁ ପୂରାପୂରି ଖୋଲି ନ ଦେଇ କେବଳ ମାତ୍ର ଗଣ୍ଡର ଘୋଡ଼ାଣି ଟେକି ଦେଲି । ମୁହଁରେ ଚୁମା ଦେବା ପରିବର୍ତ୍ତରେ ଯୁବକ ଏମିତି ଜୋରରେ କାମୁଡ଼ି ଦେଲା ଯେ, ମୁଁ ଯନ୍ତ୍ରଣା ସହି ନ ପାରି ବେହୋସ ହୋଇ ପଡ଼ିଗଲି । କିଛିକ୍ଷଣ ପରେ ହୋସ ହେବାରୁ ଦେଖିଲି ଦୋକାନୀ ପଳାଇ ଯାଇଛି ଓ ବୁଢ଼ୀ ମୋ ପାଖରେ ବସି ସେବା ଶୁଶ୍ରୂଷା କରୁଛି ।

 

ମୁଁ ଉଠି ଶୀଘ୍ର ବୁଢ଼ୀକୁ ସାଙ୍ଗରେ ନେଇ ଘରକୁ ଫେରିଲି । ରାତିରେ ମୋ ସ୍ୱାମୀ ଗାଲରେ କ୍ଷତ ଚିହ୍ନ ଦେଖି ପଚାରିଲେ, ‘‘ଏ କଣ ପ୍ରିୟତମା ! ତୁମ ଗାଲରେ ଏ କି ଚିହ୍ନ ।’’ ସେ ମୋତେ ଏ କଥା ପଚାରିବାରୁ ମୁଁ ବଡ଼ ମୁସ୍କିଲରେ ପଡ଼ିଲି । ସତ କଥା କହିବାକୁ ଗଲେ ସେ ଖୁବ୍‌ ରାଗ ହେବେ, ବାଧ୍ୟ ହୋଇ କହିଲି ‘‘ଆଜି ବଜାରକୁ ଲୁଗା କିଣିବାଲାଗି ଗଲାବେଳେ ଦଳେ ଓଟ କାଠ ବୋଝେଇ ଗାଡ଼ି ଟାଣୁଥିଲେ, ସେମାନଙ୍କ ଭିତରୁ ଗୋଟେ ଓଟ, ତା’ର କଣ ହେଲା କେଜାଣି ସେ ମୋ ଆଡ଼କୁ ଧାଇଁ ଆସିବାରୁ ମୁଁ ତଳେ ପଡ଼ିଗଲି, ତଳେ ପଡ଼ିଯିବାରୁ ମୋ ଗାଲରେ ଏମିତି ଚିହ୍ନ ହୋଇଛି ।’’ ମୋ ସ୍ୱାମୀ ଏକଥା ଶୁଣି ରାଗରେ ନିଆଁ ବାଣ ହୋଇ କହିଲେ, ମୁଁ କାଲି ରାଜଦରବାରରେ ଏ ବିଷୟ ନେଇ ନାଲିସ କରି ଓଟ ପାଳକମାନଙ୍କୁ ଫାଶି ଦେବାର ବ୍ୟବସ୍ଥା କରିବି । ଏ କଥା ଶୁଣି ମୋତେ ଭାରୀ ଡରମାଡ଼ିଲା, ମିଛରେ ବିଚରା ଓଟପାଳକମାନେ ଦଣ୍ଡ ପାଇବେ । ମୁଁ ତରବର ହୋଇ କହି ପକାଇଲି, ନା, ‘‘ନା, ମୁଁ ତୁମ ପାଖରେ ମିଛ କଥା କହିଛି, ଓଟଯୋଗୁଁ ମୁଁ ପଡ଼ି ଯାଇନି । ବାଟରେ ଯାଉଁ ଯାଉଁ ଗଧଟାଏ ମୋତେ ଗୋଡ଼େଇଲା ମୁଁ ପଳେଇ ଯାଉଁ ଯାଉଁ ପଡ଼ିଗଲି । ମୁଁ ଖଣ୍ଡେ କାଠ ଉପରେ ପଡ଼ି ଯିବାରୁ ମୋ ଗାଲ ଖଣ୍ଡିଆ ହୋଇଗଲା ।’’

 

ମୋ ସ୍ୱାମୀ କହିଲେ, ‘‘ଆଚ୍ଛା, ଏ କଥା ଯେବେ ସତ ହୋଇ ଥାଏ, ତେବେ କାଲି ସକାଳେ ଗର୍ଦ୍ଦଭ ପାଳକକୁ ମୃତ୍ୟୁଦଣ୍ଡ ଦିଆଯିବ ।’’

 

ମୁଁ ଦେଖିଲି ଫଳ ପ୍ରାୟ ଏକ ପ୍ରକାର, ମିଛରେ ଗର୍ଦ୍ଦଭ ପାଳକ ପ୍ରାଣ ହରାଇବ । ସେତେବେଳେ ମୁଁ କହିଲି, ‘‘ବିନା ଦୋଷରେ ତାକୁ ଦଣ୍ଡ ଦେବ କାହିଁକି ? ମୁଁ ନିଜେ ପଡ଼ି ଆଘାତ ପାଇଲି ଏଥିରେ ଗର୍ଦ୍ଦଭପାଳକର କିଛି ଦୋଷ ନାହିଁ ।’’ ତା’ପରେ ସ୍ୱାମୀ କହିଲେ, ତୁ ସବୁ ମିଛ କଥା କହୁଛୁ । ଏହା କହି ଖୁବ୍‌ ରାଗହୋଇ ତିନିଜଣ କାଫ୍ରୀଙ୍କୁ ଡାକି କହିଲେ, ତୁମେମାନେ ଏଇ ମୁହୂର୍ତ୍ତରେ ଏଇ ଦୁରାଚାରିଣୀ ସ୍ତ୍ରୀଲୋକକୁ ବଧ୍ୟଭୂମିକୁ ନେଇଯାଅ ଏବଂ ଦୁଇ ଜଣ ଦୁଇଆଡ଼ୁ ଧରି ମାଟିରେ ଶୁଆଇ ଦିଅ ।’’ ଅନ୍ୟ ଜଣକୁ କହିଲେ, ‘‘ତୁ ଗୋଟାଏ ଖଣ୍ଡା ନେଇ ଆସି ଏଇଲାଗେ ପାପୀୟସୀକୁ ଦିଗଡ଼ କରି କାଟି ଦେ ।’’ ଚାକରମାନେ ମାଲିକଙ୍କ କଥା ଶୁଣି ବଧ୍ୟଭୂମିକୁ ନେବେ କି ନାହିଁ ଭାବିବାର ଦେଖି ରାଗରେ ଗର୍ଜନକରି କହିଲେ ହତ୍ୟାକର, ଡେରି କର ନି । ସେତେବେଳେ ଚାକରମାନେ ମୋତେ ପଚାରିଲେ, ‘‘ତୁମର କିଛି କହିବାର ଅଛି ?’’ ମୁଁ କହିଲି, ‘ହଁ’ ଅଛି । ଏହା କହି ମୁଁ ସ୍ୱାମୀ ଆଡ଼କୁ ଅନାଇ କହିଲି, ତୁମେ ମୋତେ ବିନା ଦୋଷରେ କାହିଁକି ହତ୍ୟା କରିବ ? ବିଭାବେଳେ ମୁଁ ଯେଉଁ ପ୍ରତିଜ୍ଞା କରିଥିଲି ସେଥିରେ କିଛି ହେଲେ ତ୍ରୁଟି କରି ନି, ବରଂ ତୁମର ତ୍ରୁଟି ହୋଇଛି । ଅତଏବ ମୁଁ ନେହୁରା ହେଉଛି, ମୋତେ ତୁମେ ପ୍ରାଣଭିକ୍ଷା ଦିଅ ।’’

 

ଏ କଥା ଶୁଣି ସେ ଠୋ ଠୋ ହସି କହିଲେ, ‘‘ବାଃ ବାଃ, ବେଶ୍‌ ଅଭିନୟ ଚାଲିଛି ।’’ ଏହା କହି ସେ ଚାକରମାନଙ୍କୁ ଇଙ୍ଗିତ ଦେଲେ ।

 

ଚାକରମାନେ ମୋତେ ବଧ୍ୟ ଭୂମିକୁ ନେଇ ଯାଉଛନ୍ତି, ଠିକ୍‌ ଏତିକିବେଳେ ବୁଢ଼ୀଟିଏ ଆସି ପାଟିତୁଣ୍ଡ କରି ସେମାନଙ୍କୁ ବାଧାଦେଲେ । ତା’ପରେ ସ୍ୱାମୀଙ୍କୁ ନେହୁରା ହୋଇ ମୋର ପ୍ରାଣଭିକ୍ଷା ମାଗିଲେ । ମରିବା ପରିବର୍ତ୍ତେ ମୋତେ ଶହେ ପାହାର ବେତମାଡ଼ ଖାଇବାକୁ ପଡ଼ିଲା । ତା’ପରେ ସ୍ୱାମୀ ଗୃହରୁ ବିତାଡ଼ିତ ହୋଇଆସିଲି । ସେହି ଦିନରୁ ମୁଁ ଭିକାରୁଣୀ ପରି ବାଟେ ଘାଟେ ବୁଲି ବୁଲି ଶେଷରେ ଏଇ ଭଉଣୀ ପାଖରେ ଆସି ପହଞ୍ଚିଲି । ଜୋବେଦୀ ପରମ ଦୟାବତୀ, ସେ ମୋତେ ଆଦର କରି ଘରେ ରଖିଲେ । ସେହି ଦିନଠାରୁ ମୁଁ ବରାବର ଏଠାରେ ରହୁଛି ।

 

କିଛିଦିନ ପରେ ମୋର ଆର ଭଉଣୀ ଏଠାରେ ଆସି ପହଞ୍ଚିଲା ।

 

ଏଇ ହେଲା ମୋର ଜୀବନୀ ।

 

ରାଜା ସମସ୍ତଙ୍କର ବିବରଣୀ ଶୁଣି ସନ୍ତୁଷ୍ଟ ହେଲେ । ଜୋବେଦୀ ଆଡ଼କୁ ଅନାଇ ରାଜା କହିଲେ, ତୁମ ସାଙ୍ଗରେ ଯେଉଁ ସର୍ପବେଶଧାରୀ ପରୀର ଦେଖା ସାକ୍ଷାତ୍‌ ହୋଇଥିଲା, ତାଙ୍କର ସାକ୍ଷାତ ପାଇବାର ଅନ୍ୟ କୌଣସି ଉପାୟ ଅଛି କି ?

 

ଜୋବେଦୀ ନିତାନ୍ତ ଅପ୍ରତିଭ ହୋଇ କହିଲେ, ‘‘ମନେ ନାହିଁ ମହାରାଜା, କହିବାକୁ ଭୁଲି ଯାଇଥିଲି । ପରୀ ଗଲାବେଳେ ତାଙ୍କର ମୁଣ୍ଡରୁ କେରାଏ ବାଳ ମୋତେ ଦେଇ କହିଥିଲେ, ଯେତେବେଳେ ଦରକାର ପଡ଼ିବ, ଗୋଟିଏ ବାଳ ପୋଡ଼ିଦେବ, ତା’ହେଲେ ମୁଁ ସାଙ୍ଗେ ସାଙ୍ଗେ ସେଠାରେ ହାଜର ହେବି । ତୁମେ ଯାହା କହିବ, ମୁଁ ତାହା କରିବି । ତୁମର ଯାହାକୁ ଦରକାର ମୁଁ ତାକୁ ଆଣି ଏଠାରେ ପହଞ୍ଚାଇଦେବି । ରାଜା ଏକଥା ପରୀକ୍ଷା କରିବାଲାଗି ଚାହିଁଲେ । ଜୋବେଦୀ ଲୁଗା ଭିତରୁ ବାଳକେରିକ ବାହାର କରି ଗୋଟିଏ ବାଳ ପୋଡ଼ିଦେଲେ । ସାଙ୍ଗେ ସାଙ୍ଗେ ଭୀଷଣ ଝଡ଼ ବହିବାକୁ ଲାଗିଲା ଏବଂ ପରୀ ସମସ୍ତଙ୍କ ସାମନାରେ ହାଜର ହୋଇ ପଚାରିଲେ, ‘‘କଣ ଦରକାର ପଡ଼ିଲା ମୋତେ ଡାକିଲେ ?’’ ରାଜା କହିଲେ, ‘‘ଆପଣ ଦୟାକରି ଏଇ ମାଈ କୁକୁର ଦୁଇଟିକୁ ମୁକ୍ତ କରନ୍ତୁ । ସେମାନଙ୍କର ପାପର ଯଥେଷ୍ଟ ସଜା ହୋଇଛି ।’’

 

ପରୀ ଟିକିଏ ହସିଦେଇ କହିଲେ, ‘‘ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେଉ ।’’ ଏହା କହି ସେ ସେମାନଙ୍କୁ ନରଦେହ ଦେଲେ । ତା’ପରେ ପୁଣି ରାଜା କହିଲେ, ‘‘ଆପଣଙ୍କ ନିକଟରେ ଆଉ ଗୋଟିଏ ଭିକ୍ଷା ଅଛି, ଯେବେ ଦେବେ ତା’ହେଲେ କହିବ ।’’ ପରୀ କହିଲେ, ‘‘ନିର୍ଭୟରେ କୁହନ୍ତୁ ।’’

 

ରାଜା ପଚାରିଲେ ‘‘ଆମିନୀର ଦ୍ୱିତୀୟ ସ୍ୱାମୀ ବଞ୍ଚିଛନ୍ତି କି ନାହିଁ ?’’ ପରୀ କହିଲେ, ‘‘ସେହି ବ୍ୟକ୍ତି ଆପଣଙ୍କର ପୁଅ ଏବଂ ଏଠାରେ ଉପସ୍ଥିତ ଅଛନ୍ତି ।’’ ଏକଥା ଶୁଣି ସଭାର ସମସ୍ତ ଲୋକ ଚମକି ପଡ଼ିଲେ । ସମସ୍ତଙ୍କର ଦୃଷ୍ଟି ରାଜକୁମାରଙ୍କ ଉପରେ ପଡ଼ିଲା । ସେ ନୀରବରେ ମୁଣ୍ଡ ତଳକୁ ପୋତି ଠିଆହେଲେ । ରାଜା ପୁଅକୁ ଡାକିଲେ, ପୁଅ ପାଖକୁ ଆସିବାରୁ ସେ କହିଲେ, ତୋର ଉପଯୁକ୍ତ ଶାସ୍ତି ହେଉଛି ଆମିନୀକୁ ପୁଣି ବିଭାହେବା । ଯୁବରାଜ ଆନନ୍ଦରେ ଶାସ୍ତି ଗ୍ରହଣ କରିବା ଲାଗି ପ୍ରସ୍ତୁତ ହେଲେ । ରାଜା ନିଜେ ଜୋବେଦୀକୁ ବିଭାହେଲେ । ତାଙ୍କର ଅନ୍ୟ ତିନି ଭଉଣୀ ସହିତ ଫକୀରମାନଙ୍କୁ ଉତ୍ତମ ଆବାସ ଓ ଉଚ୍ଚ ରାଜପଦ ଦେଇ ନିଜ ରାଜ୍ୟରେ ରଖାଇଲେ ।

 

ସମସ୍ତେ ରାଜାଙ୍କର ସୁବିଚାରରେ ସନ୍ତୁଷ୍ଟ ହେଲେ, ସେମାନଙ୍କ ମଧ୍ୟରେ ଜୋବେଦୀ ପ୍ରଧାନ ।

Image

 

କଂସେଇ ସ୍ତ୍ରୀଲୋକ ଓ ଭାଲୁ

 

କାଲିଫ ଅଲ ହାକିମ ଅଶ୍ରିଲାଙ୍କ ରାଜୁତି କାଳରେ କାଇରୋରେ ଓ୍ୟାରଜନ୍‌ ନାମରେ ଜଣେ କଂସେଇ ବାସ କରୁଥିଲା । ସେ ତିନି ମେଣ୍ଢା ମାରି ମାଂସ ବିକୁଥିଲା । ଦିନେ ଜଣେ ସ୍ତ୍ରୀ ଲୋକ ସେହି କଂସେଇ ପାଖକୁ ଆସି ଟଙ୍କାଟିଏ ଦେଇ ମେଣ୍ଢା ଛୁଆଟିଏ କିଣିଲେ । ସେହି ସ୍ତ୍ରୀଙ୍କ ସାଙ୍ଗରେ ଜଣେ ମୋଟିଆ ଥିଲା, ମେଣ୍ଢା ଛୁଆଟି ଟୋକେଇରେ ଭର୍ତ୍ତିକରି ସେ ସେହି ସ୍ତ୍ରୀ ଲୋକ ପଛେ ପଛେ ଚାଲିଲା ।

 

ତହିଁ ଆରଦିନ ସେହି ସ୍ତ୍ରୀ ଲୋକଟି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିବା ଆଗରୁ ପୁଣି କଂସେଇଖାନାକୁ ଆସିଲେ ଏବଂ ମେଣ୍ଢାଛୁଆ କିଣି ନେଇ ମୋଟିଆ ସାଙ୍ଗେ ସାଙ୍ଗେ ଗଲେ । ଏମିତି ଅନେକ ଦିନ ଚାଲିଲା । ଏହାର ହାଲ କଣ ଜାଣିବା ଲାଗି କଂସେଇର ମନ ହେଲା ଏବଂ ସେ ମନକୁ ମନ କହିଲା, ‘‘ଏହି ମାଇପିଟି ନିତି ନଗଦ ଟଙ୍କା ଦେଇ ମେଣ୍ଢାଛୁଆ କିଣୁଛି, ଦିନେ ହେଲେ ବି ବାଦ ଯାଉନି, ଏ ତ ବଡ଼ ଅଜବ କଥା ।’’

 

ସେହି ସ୍ତ୍ରୀଲୋକଟି ନ ଥିଲାବେଳେ କଂସେଇ ମୋଟିଆକୁ ପଚାରିଲା, ‘‘ହଇରେ ମୋଟିଆ, ସେହି ମାଇପି ଲୋକଟି ସାଙ୍ଗରେ ତୁ ନିତି କୁଆଡ଼େ ଯାଉ ?’’ ସେ କହିଲା, ‘‘ମୁଁ ପୂରାପୂରି କହି ପାରିବିନି । ସେ ତୁମ ପାଖରୁ ମେଣ୍ଢାଛୁଆ କିଣିଲା ପରେ ଖାଦ୍ୟପଦାର୍ଥ, ଫଳ, ମହମବତୀ ଆଦି କିଣନ୍ତି ଏବଂ ମୁଁ ସେସବୁ ଟୋକେଇରେ ପୂରେଇ ଟୋକେଇଟିକୁ ମୁଣ୍ଡେଇ ମୁଣ୍ଡେଇ ତାଙ୍କ ପଛେ ପଛେ ଯାଏଁ । ଆମେ ଦିହେଁ ଯାଇ ଉଜିରଙ୍କ ବଗିଚାରେ ପହଞ୍ଚୁ । ସେଠାରେ ସେ ମୋ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦିଅନ୍ତି ଓ ମୋ ହାତଧରି ଚଲେଇ ନେଇ ଯାଆନ୍ତି । ମୁଁ କୁଆଡ଼େ ଯାଏଁ, ମୁଁ ଜାଣି ପାରେ ନା । ଗୋଟିଏ ଜାଗାରେ ପହଞ୍ଚିଲାକ୍ଷଣି ଟୋକେଇରୁ ଜିନିଷପତ୍ର ବାହାର କରି ନେଇ ସେ ମୋତେ ଖାଲି ଟୋକେଇଟା ଫେରେଇ ଦିଅନ୍ତି ଏବଂ ମୂଲ ଦେଇସାରି ପୁଣି ମୋତେ ଉଜିରଙ୍କ ବଗିଚାରେ ଆଣି ଛାଡ଼ନ୍ତି ଓ ମୋ ଆଖିରୁ ଅନ୍ଧ ପୁଟୁଳି ବାହାର କରି ଦିଅନ୍ତି ଏବଂ ମୁଁ ମୋ ବାଟେ ବାଟେ ଚାଲିଯାଏ ।’’

 

କଂସେଇ କହିଲା, ଭଗବାନଙ୍କୁ ସବୁ ମାଲୁମ; ହେଲେ ତା’ମନରେ କୌତୂହଳ ଜନ୍ମିଲା ଏହାର ହାଲହଇକତ ନ ଜାଣିଲା ଯାଏ ତାକୁ ରାତିରେ ନିଦ ହେଲାନି । ସେ ରାତିଟାଯାକ ଅନିଦ୍ରାରେ କଟାଇଲା । କଂସେଇ ମନକୁ ମନ କହିଲା, ‘‘ହଉ, କାଲି ସକାଳେ ତ ସେଇ ମାଇପିଲୋକଟା ମୋଟିଆକୁ ସାଙ୍ଗରେ ନେଇ ପୁଣି ମୋ କଂସେଇ ଖାନାକୁ ମେଣ୍ଢାଛୁଆ କିଣିବାଲାଗି ଆସିବ, ସେ ମୋ ଦୋକାନରୁ ଲେଉଟିଲା ପରେ ମୁଁ ତାହା ଅଜାଣତରେ ପଛେ ପଛେ ଯିବି ।’’ ସତକୁ ସତ ମାଇପି ଲୋକଟି ତହିଁ ଆରଦିନ ସକାଳେ ଆସି ମେଣ୍ଢାଛୁଆ କଂସେଇ ପାଖରୁ କିଣି ମୋଟିଆକୁ ସାଙ୍ଗରେ ଧରି ବାହାରିଲେ । କଂସେଇ ଗୋଟିଏ ପିଲାକୁ ଦୋକାନରେ ବସାଇ ସେହି ମାଇପି ଲୋକର ପିଛା ନେଲା । କଂସେଇଟା ପଛେ ପଛେ ଆସୁଛି ବୋଲି ମାଇପି ଲୋକଟି ଜାଣି ପାରିଲାନି । ସେମାନେ ଉଜିରଙ୍କ ବଗିଚାରେ ପହଞ୍ଚିଲେ । କଂସେଇ ତ ବଡ଼ ଚାଲାକ ଲୋକ, ମାଇପିଟି ମୋଟିଆର ଆଖି ରୁମାଲରେ ବାନ୍ଧିଲାବେଳେ ସେ ଛପିଗଲା । ପୁଣି ସେମାନେ ଚାଲିବାରୁ କଂସେଇ ସେମାନଙ୍କ ପଛେ ପଛେ ଚାଲିଲା । ଶେଷରେ ସେମାନେ ଗୋଟିଏ ପର୍ବତ ପାଖରେ ପହଞ୍ଚିଲେ ଏବଂ ଗୋଟିଏ ବଡ଼ ପଥର ଥିବା ସ୍ଥାନରେ ଅଟକିଲେ । ମାଇପି ଲୋକଟି ଟୋକେଇରୁ ଜିନିଷ ପତ୍ର ବାହାର କରି ତଳେ ଥୋଇଲା ଓ ଖାଲି ଟୋକେତଟା ମୋଟିଆକୁ ଫେରାଇଦେଲା । କଂସେଇ ପୁଣି ଏଠାରେ ଛପି ରହିଲା, ମାଇପି ଲୋକଟି ମୋଟିଆକୁ ଚଲେଇ ଚଲେଇ ଆଣି ପୁଣି ଉଜିରଙ୍କ ବଗିଚାରେ ଛାଡ଼ି ଦେଇ ତା’ଆଖିରୁ ଅନ୍ଧପୁଟୁଳି ବାହାର କରି ଦେଇ ତାକୁ ବିଦା କରିବେଲା ଏବଂ ପର୍ବତ ଆଡ଼କୁ ଫେରିଆସିଲା । ସେ ପର୍ବତ ପାଖରେ ପହଞ୍ଚି ଜିନିଷ ପତ୍ର ଧରି ଅଦୃଶ୍ୟ ହେଲା ।

କଂସେଇ ଛପିଥିବା ଜାଗାରୁ ବାହାରିଆସି ପଥର ପାଖରେ ହାଜର ହେଲା ଏବଂ ପଥର ଟେକିଦେଇ ସେ ଗୋଟିଏ ପିତ୍ତଳରେ ତିଆରି ଦ୍ୱାର ଦେଖିଲା । ଦ୍ୱାର ପାଖରୁ ଭିତରକୁ ପାହାଚଗୁଡ଼ିଏ ଲମ୍ୱି ଯାଇଥିଲା । ସେ ଦ୍ୱାର ଖୋଲି ପାହାଚରେ ଓହ୍ଲେଇ ଗୋଟିଏ ଘର ପାଖରେ ପହଞ୍ଚିଲା । ଚାରିଆଡ଼େ ଆଲୁଅ ଜଳୁଥାଏ । ଘରଟି ବନ୍ଦ ଥିବାରୁ ସେ କିଛି ଦେଖି ପାରିଲାନି । କିଛି ସମୟ ପରେ କଂସେଇ ଘରର ଗୋଟିଏ କାନ୍ଥରେ ଗବାକ୍ଷଟିଏ ଦେଖି ତାହା ଭିତର ଦେଇ ଘର ଭିତରକୁ ଅନାଇଲା । କଂସେଇ ଦେଖିଲା ମାଇପି ଲୋକଟି ମେଣ୍ଢାଛୁଆକୁ ମାରି ଭଲ ଭଲ ମାଂସ ତକ କାଟି କରେଇରେ ଭାଜୁଛି ଏବଂ ବାକିତକ ଗୋଟିଏ ବଡ଼ ଭାଲୁକୁ ଖାଇବା ଲାଗି ଦେଉଛି । ଭାଲୁ ମେଣ୍ଢାଛୁଆର ହାଡ ଗୋଡ଼ ଓ ମାଂସ ଖାଇ ଶେଷ କରିଦେଲା । ରୋଷେଇ ସାରିଲା ପରେ ମାଇପି ଲୋକଟି ପେଟ ପୁରାଇ ଖାଇଲା । ତାପରେ ଫଳ ଓ ମିଷ୍ଟାନ୍ନ ଖାଇ ମଦ ପିଇଲା ଏବଂ ଗୋଟିଏ ସୁନା ଗିନାରେ ଭାଲୁକୁ ମଦ ପିଇବାକୁ ଦେଲା ।

ତା’ପରେ ମାଇପି ଲୋକଟି ଓ ଭାଲୁ ମାତାଲ ହୋଇ ଶୋଇଗଲେ ଏବଂ ହଲଚଲ ହେଲେନି । କଂସେଇ ମନକୁ ମନ କହିଲା, ‘‘ଏଇଟା ସୁବିଧା ବେଳ ।’’ ଏହା କହି ସେ ଧାରୁଆ ଛୁରୀ ଖଣ୍ଡେ ନେଇ ସେମାନଙ୍କ ପାଖକୁ ଗଲା । ସେ ଭାଲୁ ବେକରେ ଛୁରୀଟା ଚଳେଇ ଦେଇ ଗଣ୍ଡି ମୁଣ୍ଡ ଅଲଗା କରିଦେଲା । ଭାଲୁ ମଲାବେଳେ ଘଡ଼ଘଡ଼ି ପରି ଶବ୍ଦ କଲା, ମାଇପି ଲୋକଟିର ଛାନିଆରେ ନିଦ ଭାଙ୍ଗିଗଲା । ଭାଲୁ ମରିଥିବାର ଏବଂ ଛୁରୀ ହାତରେ ଧରି କଂସେଇ ଠିଆ ହୋଇଥିବାର ଦେଖି ସେ ଏମିତି ଗୋଟାଏ ପାଟିକଲା ଯେ, ତା ପିଣ୍ଡାରୁ ପ୍ରାଣ ବାହାରି ଗଲା ପରି ବୋଧହେଲା ।

ତା’ପରେ ସେ କଂସେଇକୁ କହିଲା, ‘‘ଓ୍ୟାରଦନ, ତୁ କଣ ଏ କାମ କରି ମୋ ପାଖରୁ ଅନୁଗ୍ରହ ପାଇ ପାରିବୁ ?’’ କଂସେଇ ଉତ୍ତର ଦେଲା, ତୁମର ଶତ୍ରୁ ଏ ଭାଲୁଟାକୁ ମୁଁ ମାରି ପକେଇଛି, ଆଉ ତୁମର ଡର କଣ ? ସେ କୌଣସି ଉତ୍ତର ନ ଦେଇ ଭାଲୁ ଉପରେ ଲଇଁପଡ଼ି ସ୍ନେହଭରା ଆଖିରେ ଭାଲୁ ଆଡ଼କୁ ଅନାଇଲା ଏବଂ ଭାଲୁର ଗଣ୍ଡି ଓ ମୁଣ୍ଡ ଦି ଭାଗ ହୋଇ ଯାଇଥିବାରୁ ସେ କହିଲା, ହଇରେ ଓ୍ୟାର୍ଦନ, ତୁମ ପାଇଁ ଦୁଇଟା ବାଟ ଅଛି, ଏଇ ଦୁଇଟାରୁ ତୋତେ ଗୋଟାଏ ବାଟ ଧରିବାକୁ ପଡ଼ିବ । ଗୋଟିଏ ବାଟ ହେଉଛି ମୋ କଥା ମାନିଲେ ତୋତେ ତୋର ବିନାଶର ପଥ ପରିଷ୍କାର କରିବାକୁ ପଡ଼ିବ । କଂସେଇ କହିଲା, ‘‘ମୁଁ ତୁମ କଥା ମାନିବି ।’’ ମାଇପି ଲୋକଟି କହିଲେ, ‘‘ଭାଲୁକୁ ଯେମିତି ମାରିଛୁ ତୁ ମୋତେ ସେମିତି ମାରିପକା ।’’ ମୋର ଏଠାରେ ଯାହା ଧନ ସମ୍ଫତ୍ତି ଅଛି, ତୁ ସେ ସବୁ ନେଇ ଏଠାରୁ ଚାଲିଯା ।’’

କଂସେଇ କହିଲା, ‘‘ମୁଁ ମଣିଷ, ଏଇ ଭାଲୁଟା ପଶୁ । ମୁଁ କଣ ଭାଲୁ ଅପେକ୍ଷା ଭଲ ନୁହେଁ ? ମୋ ଆଡ଼କୁ ଅନାଅ । ମୁଁ ତୁମକୁ ବିଭାହେବି । ତୁମର ଯାହା ଧନ ଅଛି, ଆମେ ସେଥିରେ ମହା ସୁଖରେ ଚଳିବା ।’’ ମାଇପି ଲୋକଟି କହିଲା, ‘‘ଓ୍ୟାରଦନ, ସେ କଥା ମୁହଁରେ ଧର ନି । ସେ ମଲାପରେ ମୁଁ କେମିତି ବଞ୍ଚିବି ? ମୁଁ ଈଶ୍ୱରଙ୍କ ରାଣ ପକାଇ କହୁଛି, ତୁ ଯେବେ ମୋତେ ନ ମାରୁ ତେବେ ମୁଁ ତୋ ଜୀବନକୁ ଛାରଖାର କରିଦେବି । ତୋ ଏ ମିଠା କଥାରେ ମୋ ପେଟ ପୂରିବନି, ତୁ ହୀନ କପାଳିଆ, ଏତକ ମୁଁ ତୋତେ କହୁଛି । ଏଥର ତୁ ଯାହା ଖୁସି ତାହା କର ।’’

ତା’ପରେ କଂସେଇ କହିଲା, ‘‘ତୁମର ଯେବେ ମରିବାକୁ ମନଅଛି, ତେବେ ମୁଁ ନ ମାରିବି କାହିଁକି ? ଏହା କହି କଂସେଇ ସେହି ମାଇପି ଲୋକର ବେକରେ ଛୁରୀ ଚଳେଇ ଦେଲା । ମାଇପି ଲୋକଟି ଛଟପଟ ହୋଇ ମଲା । କଂସେଇ ତାକୁ ମାରି ସାରି ତାର ଧନ ସମ୍ଫତ୍ତି କେଉଁଠି ଅଛି ଖୋଜିଲା । ସେ ସେହି ମାଇପି ଲୋକର ଘରୁ ସୁନା, ହୀରା, ନୀଳା ଓ ମୋତି ମାଣିକ୍ୟ ପାଇଲା । ସେଗୁଡ଼ିକ ଟୋକେଇରେ ଭର୍ତ୍ତି କରି ଏହା ଉପରେ ଲୁଗା ଖଣ୍ଡିଏ ଚୌତି ବିଛେଇ ଦେଲା ଏବଂ ଟୋକେଇକୁ ନେଇ ଘର ଭିତରୁ ପଦାକୁ ବାହାରି ଆସିଲା ଘରଆଡ଼କୁ ମୁହାଁଇଲା ।

କଂସେଇ କାଇରୋଲ ଫାଟକ ପାଖରେ ପହଞ୍ଚିଲାବେଳେ ସେ କାଲିଫ ଓ ଦଶଜଣ ଦେହରକ୍ଷୀଙ୍କ ହାବୁଡ଼ରେ ପଡ଼ିଗଲା । କାଲିଫ କଂସେଇକୁ ପଚାରିଲେ, ‘‘ହଇରେ ଓ୍ୟାରଦନ, ତୁ କଣ ସେଇ ଭାଲୁ ଓ ମାଇପି ଲୋକଟିକୁ ମାରିଦେଇ ଅଇଲୁ ?’’ କଂସେଇ ଉତ୍ତର ଦେଲା, ‘‘ମହାରାଜ ହଜୁର ଠିକ୍‌ କଥା କହିଛନ୍ତି ।’’ କାଲିଫ କହିଲେ, ‘‘ତୋ ମୁଣ୍ଡରୁ ଟୋକେଇ ଓହ୍ଲେଇ ତଳେ ଥୋ । ଡରନି, ତୋ ଟୋକେଇ ଭିତରେ ଯେଉଁ ଧନ ଅଛି ସେସବୁ ତୋର, କେହି ହେଲେ ତୋ ଧନରେ ହାତ ଦେବେ ନି ।’’ ତେଣୁ କଂସେଇ ଟୋକେଇ ମୁଣ୍ଡରୁ ଓହ୍ଲେଇ ତଳେ ଥୋଇଲା । ଟୋକେଇ ଉପରୁ ଲୁଗା ବାହାର କରି କାଲିଫ ଧନ ଆଡ଼କୁ ଅନାଇଲେ ଏବଂ ତା’ପରେ ସେ କଂସେଇକୁ କହିଲେ ‘‘ମୋତେ ସବୁ କଥା ଗୋଟି ଗୋଟି କହିଯା, ମୁଁ ତ ତୋ ସାଙ୍ଗରେ ଥାଇ ସବୁକଥା ଦେଖିଲାପରି ଆଗରୁ କହି ସାରିଛି ।’

ତା’ପରେ ଯାହା ଯାହା ଘଟିଥିଲା ସବୁକଥା କଂସେଇ କହିଗଲା । କାଲିଫ କହିଲେ, ‘‘ଓ୍ୟାରଦନ, ତୁ ସତ କଥା କହିଛୁ । ତୁ ଯେଉଁଠୁ ଧନ ପାଇଲୁ ମୋ ସାଙ୍ଗରେ ସେଠାକୁ ଚାଲ ।’’ ତେଣୁ କଂସେଇ କାଲିଫଙ୍କ ସାଙ୍ଗେ ସାଙ୍ଗେ ସେଠାକୁ ଗଲା । ପିତ୍ତଳରେ ତିଆରି ଦ୍ୱାରଟି ବନ୍ଦ ହୋଇ ଯାଇଥିଲା । କାଲିଫ କଂସେଇକୁ କହିଲେ ‘‘ଓ୍ୟାରଦନ, ଦ୍ୱାର ଖୋଲ, ତୋ ଛଡ଼ା ଅନ୍ୟ କେହି ଏ ଦ୍ୱାର ଖୋଲି ପାରିବେନି । ଘର ଭିତରେ ଥିବା ଧନ ତୋ ନାରେ ଉତ୍ସର୍ଗ ହୋଇଛି ।’’ କଂସେଇ କହିଲା, ‘‘ମହାରାଜ, ମୁଁ ଏହି ଦ୍ୱାରକୁ ଖୋଲି ପାରିବି ନି । କାଲିଫ କହିଲେ, ‘‘ଭଗବାନଙ୍କ ଉପରେ ଭରସା ରଖି ଯା’ ଖୋଲ, ଡରୁଛୁ କାହିଁକି ?’’ ମୁଁ ମନେ ମନେ ଭଗବାନଙ୍କୁ ଡାକି ଦ୍ୱାର ପାଖକୁ ଗଲି ଏବଂ ଦ୍ୱାରରେ ହାତ ମାରିଲା ମାତ୍ରେ ଦ୍ୱାରଟି ଖୋଲିଗଲା ।

ତା’ପରେ କାଲିଫ କହିଲେ, ‘‘ଆଉ ଡେରି କରୁଛୁ କାହିଁକି ? ଏହାରି ଭିତରେ ଘର ତିଆରି ହେଲାଦିନୁ କେହି ଏଠାକୁ ଯାଇ ପାରିନାହାନ୍ତି । ତୋର କପାଳର ଜୋର ଯୋଗୁଁ ତୁ ସେଠାକୁ ଯାଇ ପାରିଛୁ । ଭାଲୁ ଓ ମାଇପି ଲୋକଟି ତୋ ହାତରେ ମରିବାର ଥିଲା, ଏ ପ୍ରକାର ଭବିଷ୍ୟତ ବାଣୀ ଆଗରୁ ଶୁଣିଥିଲି । କେବେ ଏପରି ଦିନ ଆସିବ, ମୁଁ ଏହାକୁ ଅନାଇ ରହିଥିଲି । ଏତେ ଦିନ ପରେ ଏ ପ୍ରକାର ଭବିଷ୍ୟତ ବାଣୀ ସଫଳ ହୋଇଛି ।’’ କଂସେଇ ପାହାଚରେ ଓହ୍ଲାଇ ଘର ଭିତରକୁ ଗଲା ଓ ସବୁତକ ଧନ ନେଇ ଆସିଲା । ଭାରବାହୀ ପଶୁଗୁଡିଏ ଆଣିବା ଲାଗି କାଲିଫ ଲୋକ ପଠାଇଲେ । ଭାରବାହୀ ପଶୁମାନେ ଆସିବାରୁ ସେମାନଙ୍କ ପଠରେ ଧନତକ ଲଦାହେଲା । ସମସ୍ତେ ଉଆସ ପାଖରେ ପହଞ୍ଚିଲେ । ଭାରବାହୀ ପଶୁଙ୍କ ପଠିରୁ ଧନତକ କାଲିଫଙ୍କ ଧନାଗାରକୁ ନିଆଗଲା । କାଲିଫଙ୍କ ହୁକୁମ ପାଇ କଂସେଇ ଟୋକେଇରେ ଥିବା ଧନତକ ନେଇ ଘରକୁ ଲେଉଟି ଆସିଲା । ସେ କଂସେଇ ବ୍ୟବସାୟ ଛାଡିଦେଇ ଗୋଟିଏ ଦୋକାନ ଖୋଲିଲା । ବ୍ୟବସାୟ ଛାଡ଼ିଦେଇ ଗୋଟିଏ ଦୋକାନ ଖୋଲିଲା । ବ୍ୟବସାୟରେ ତା’ର ଯଥେଷ୍ଟ ଲାଭ ହେଲା । ସେ ଯେଉଁ ବଜାରରେ ଦୋକାନଟି ଖୋଲିଲା ତାହା ‘ଓ୍ୟାରଦନ୍‌ ବଜାର’ ନାମରେ ପରିଚିତ ହେଲା ।

Image